ଏକ ପେଡ ମା କେ ନାମ ଅଧିନରେ ଲାଗିବ ଅଢେଇ ଲକ୍ଷ ଚାରା

କେନ୍ଦ୍ରାପଡ଼ା,୦୨/୦୯/୨୦୨୫(ଓଡ଼ିଶା ସମାଚାର)- ଆସନ୍ତା ୧୭ତାରିଖରେ ଏକ ବିଶାଳ ଚାରାରୋପଣ ଅଭିଯାନ ଚାଲିବ । ଏହି ପରିପ୍ରେକ୍ଷୀରେ ଜିଲାରେ ପାଖାପାଖି ଅଢେଇ ଲକ୍ଷ ଚାରାଗଛ ଲଗାଯିବ । “ଏକ ପେଡ ମା କି ନାମ ୨.୦’ଅଧୀନରେ ଏହି ସବୁ ଚାରା ଲଗାଯିବ । ଜିଲାରେ ଏହି ଅଭିଯାନକୁ କିପରି ସଫଳତାର ସହ ଆୟୋଜନ କରାଯିବ ସେହି ପରିପ୍ରେକ୍ଷୀରେ ମଙ୍ଗଳବାର ଜିଲାପାଳ ରଘୁରାମ ଆର. ଆୟାରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ସନ୍ଧ୍ୟାରେ ସ୍ଥାନୀୟ ଓସ୍ୱାନ ହଲରେ ଅନୁଷ୍ଠିତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲାପାଳ(ସାଧାରଣ) ନବକ୍ରିଷ୍ଣ ଜେନା, ଉପଜିଲାପାଳ ଅରୁଣ କୁମାର ନାୟକଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗ, ଶିକ୍ଷା, ଉଦ୍ୟାନ, ବନବିଭାଗ, କ୍ରୀଡ଼ା, ମିଶନ ଶକ୍ତି, ମୃତିକା ସଂରକ୍ଷଣ, ସାମାଜିକ ସୁରକ୍ଷା ପ୍ରଭୃତି ବିଭାଗର ଜିଲା ସ୍ତରୀୟ ଅଧିକାରୀ, ବିଭିନ୍ନ କଲେଜର ଅଧ୍ୟକ୍ଷଙ୍କ ସମେତ ଭିଡିଓ କନଫରେନ୍ସ ମାଧ୍ୟମରେ ଜିଲାର ସମସ୍ତ ବିଡ଼ିଓ, ତହସିଲଦାର ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।

ଚାରାରୋପଣ ପ୍ରସ୍ତୁତିକୁ ନେଇ ଜିଲାପାଳ ବିଭିନ୍ନ ବିଭାଗୀୟ ଅଧିକାରଙ୍କୁ ପ୍ରସ୍ତୁତି ନେଇ ପଚାରି ବୁଝିଥିଲେ । ଚାରାରୋପଣ ପାଇଁ ସ୍ଥାନ ଏବଂ ଜାଗା ଚିହ୍ନଟ କରାଯିବା ସହିତ ଚାରା ରୋପଣ ସ୍ଥାନ ଗୁଡିକର ରୋଡ଼ମ୍ୟାପ ଚୂଡାନ୍ତ କରିବାକୁ କୁହାଯାଇଛି । ଚାରାରୋପଣ ସହ ମେରୀଲାଇଫ ପୋର୍ଟାଲରେ ତଥ୍ୟ ଏବଂ ଜିଓଟ୍ୟାଗ ଫଟୋ ଅପଲୋଡ଼ ଇତ୍ୟାଦି ବିଷୟରେ ଆଲୋଚନା ହୋଇଥିଲା । ଚାରାଗୁଡିକ ବନବିଭାଗ,ମୃତିକା ସଂରକ୍ଷଣ, ଉଦ୍ୟାନ ବିଭାଗ ପ୍ରମୁଖ ଯୋଗେଇ ଦେବେ । ଚାରାରୋପଣ ସହିତ ତା’ର ରକ୍ଷଣାବେକ୍ଷଣ ସଠିକ ଭାବରେ ଯେପରି ହୋଇପାରିବ ସେଥିପାଇଁ ସମସ୍ତେ ଯତ୍ନବାନ ହେବାକୁ ଜିଲାପାଳ କହିଛନ୍ତି । ଏହି ବିଶାଳ ଚାରାରୋପଣ ଅଭିଯାନରେ ଶିକ୍ଷାନୁଷ୍ଠାନ, ବ୍ୟାଙ୍କ ସମେତ ଅନ୍ୟ ସଂସ୍ଥା /ଅନୁଷ୍ଠାନ ଗୁଡିକ ସାମିଲ ହୋଇ ଚାରାରୋପଣ ଅଭିଯାନକୁ ସଫଳ କରିବାକୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *