କେନ୍ଦ୍ରାପଡା ତହସିଲରେ ୱାରସ ସଂଶୋଧନ ପଟ୍ଟାର ସାମୂହିକ ବିତରଣ

କେନ୍ଦ୍ରାପଡ଼ା,୨୨/୦୯/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ତହସିଲ ଅଧିନରେ ୱାରସ ସଂଶୋଧନ (କଲମ-୨) ସମ୍ବନ୍ଧୀୟ ପଟ୍ଟାର ସାମୂହିକ ବିତରଣ କାର୍ଯ୍ୟକ୍ରମ ଆଜି କେନ୍ଦ୍ରାପଡ଼ା ତହସିଲ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆର. ଆୟର ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିତାଧିକାରୀମାନଙ୍କୁ ପଟ୍ଟା ବଂଟନ କରିଥିଲେ ।

ୱାରସ ସଂଶୋଧନ ପ୍ରକ୍ରିୟା ମାଧ୍ୟମରେ ଜମିଜମା ସମ୍ବନ୍ଧୀୟ ଅଧିକାରକୁ ସୁନିଶ୍ଚିତ କରିବା ସହ ହିତାଧିକାରୀମାନଙ୍କୁ ସରକାରୀ ରେକର୍ଡରେ ସଠିକ୍ ଭାବେ ଅନ୍ତର୍ଭୁକ୍ତ କରିବା ଦିଗରେ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଉଥିବା ଜିଲାପାଳ ପ୍ରକାଶ କରିଥିଲେ । ଆଜିର କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ତହସିଲ ଅଧିନରେ ପ୍ରାୟ ୩ ହଜାରରୁ ଅଧିକ ପଟ୍ଟା ହିତାଧିକାରୀମାନଙ୍କୁ ବଂଟନ କରାଯାଇଛି । ଏହା ଫଳରେ ଦୀର୍ଘଦିନ ଧରି ୱାରସ ସଂଶୋଧନ ଓ ଜମି ରେକର୍ଡ ସମ୍ବନ୍ଧୀୟ ପ୍ରକ୍ରିୟାରେ ଥିବା ହିତାଧିକାରୀମାନେ ନିଜ ଅଧିକାରର ସ୍ୱୀକୃତି ପାଇପାରିଛନ୍ତି । ଜିଲାପାଳ ହିତାଧିକାରୀମାନଙ୍କ ସହ ଆଲୋଚନା କରି ପଟ୍ଟା ପାଇବା ପରେ ଜମି ସମ୍ବନ୍ଧୀୟ ରେକର୍ଡ, ଅଧିକାର ଓ ଅନ୍ୟାନ୍ୟ ଆବଶ୍ୟକୀୟ ଦସ୍ତାବିଜ ସୁରକ୍ଷିତ ରଖିବା ସହିତ ଆବଶ୍ୟକ ସରକାରୀ ସେବା ପାଇଁ ରାଜସ୍ୱ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଥିଲେ ।

କାର୍ଯ୍ୟକ୍ରମରେ ଉପଜିଲାପାଳ ଅରୁଣ କୁମାର ନାୟକ, ତହସିଲଦାର କୁଇନି ଜେନା, ଅତିରିକ୍ତ ତହସିଲଦାରଙ୍କ ସମେତ ତହସିଲ କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ । ପଟ୍ଟା ବଂଟନ ପ୍ରକ୍ରିୟାକୁ ସୁଚାରୁ ଓ ସ୍ୱଚ୍ଛ ଭାବେ ସମ୍ପନ୍ନ କରିବା ପାଇଁ ତହସିଲ ପ୍ରଶାସନ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଥିଲା । ବହୁ ସଂଖ୍ୟକ ହିତାଧିକାରୀ ଏହି ସାମୂହିକ ପଟ୍ଟା ବିତରଣ କାର୍ଯ୍ୟକ୍ରମରୁ ଉପକୃତ ହୋଇଥିଲେ ।

ଜମିଜମା ସମ୍ବନ୍ଧୀୟ ରେକର୍ଡର ସଠିକ୍ ସଂଶୋଧନ ଓ ହିତାଧିକାରୀଙ୍କ ଅଧିକାର ସୁନିଶ୍ଚିତ କରିବା ଦିଗରେ ଏଭଳି ପଦକ୍ଷେପ ଜାରି ରହିବ ବୋଲି ତହସିଲ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *