ଭୁବନେଶ୍ୱର,୧୯/୦୮/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଗନ୍ଧମାର୍ଦ୍ଧନ ଅଂଚଳ ପରିଦର୍ଶନ କରିବାକୁ ମହାମହିମ ରାଷ୍ଟ୍ରପତିଙ୍କୁ ଆମନ୍ତ୍ରଣ କଲେ ବରଗଡ ସାଂସଦ ପ୍ରଦୀପ ପୁରୋହିତ । ରାଷ୍ଟ୍ରପତି ଭବନରେ ମହାମହିମଙ୍କୁ ଭେଟି ନିମନ୍ତ୍ରଣ କରିଛନ୍ତି ସାଂସଦ ପ୍ରଦୀପ ପୁରୋହିତ । ଏହାସହ ପର୍ବତରେ ଥିବା ନୃସିଂହନାଥ ମନ୍ଦିର ଆସିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାଂସଦ ଆମନ୍ତ୍ରଣ କରିଛନ୍ତି । ରାଷ୍ଟ୍ରପତି ଙ୍କ ସହିତ ସାକ୍ଷାତ ସମୟରେ ଗନ୍ଧମାର୍ଦ୍ଧନକୁ ନେଇ ହୋଇଥିବା ଐତିହାସିକ ଆନ୍ଦୋଳନକୁ ନେଇ ଦ୍ରୌପଦୀ ମୁର୍ମୁଙ୍କ ସହ ଆଲୋଚନା କରିଥିଲେ ।
ଦେଶ ସ୍ୱାଧୀନ ହେବା ପରେ ଉତରାଖଣ୍ଡର ଆନ୍ଦୋଳନ ଓ କେରଳର ସାଇଲେଂଟ ଭାଲି ଆନ୍ଦୋଳନ ପରେ ଗନ୍ଧମାର୍ଦ୍ଧନ ଆନ୍ଦୋଳନ ହେଉଛି ତୃତୀୟ ଜନ ଆନ୍ଦୋଳନ । ଏହି ଆନ୍ଦୋଳନ ଫଳରେ ପରିବେଶ ସହ ଜନଜାତି ମାନଙ୍କୁ ସୁରକ୍ଷା ମିଳି ପାରିଥିଲା । ଏହି କ୍ରମରେ ୧୯୮୦ ତତ୍କାଳୀନ କଂଗ୍ରେସ ସରକାର ସମୟରେ ଐତିହାସିକ ବାଲକୋ ଆନ୍ଦୋଳନ ହୋଇଥିଲା । ଏଥିରେ ୫୦ ହଜାରରୁ ଅଧିକ ଜନଜାତି, ସାଧୁସନ୍ଥ ,ବୁଦ୍ଧିଜୀବୀଙ୍କ ସହ ସ୍ଥାନୀୟ ବାସିନ୍ଦା ସାମିଲ ହୋଇଥିଲେ । ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ ବର୍ତମାନର ସାଂସଦ ପ୍ରଦୀପ ପୁରୋହିତ ।
ଆନ୍ଦୋଳନରେ ଗନ୍ଧମାର୍ଦ୍ଧନର ପବିତ୍ରତା ଓ ପରିବେଶ ବଂଚାଇବାରେ ସେ ଐତିହାସିକ ଭୂମିକା ନେଇଥିଲେ । ଯାହାଫଳରେ ଗନ୍ଧମାର୍ଦ୍ଧନ ଓ ଏଠାକାର ବାସିନ୍ଦାଙ୍କୁ ସୁରକ୍ଷା ଦିଆଯାଇପାରିଥିଲା । ଆଜି ବି ଗନ୍ଧମାର୍ଦ୍ଧନ ଅଂଚଳ ଓ ଆଖପାଖରେ ୫୦ ହଜାରରୁ ଅଧିକ ଆଦିବାସୀ ଏବଂ ଗ୍ରାମବାସୀ ବସବାସ କରୁଛନ୍ତି । ଯେଉଁମାନଙ୍କର ଜୀବୀକା ଜଙ୍ଗଲ, ଔଷଧୀୟ ବୃକ୍ଷ ଓ ପ୍ରାକୃତିକ ପରିବେଶ ଉପରେ ଆଧାରିତ ।
ଦୁର୍ଭାଗ୍ୟବଶତଃ ଆଜି ବି ଏମାନେ ଆର୍ଥôକ ଓ ସାମାଜିକ କ୍ଷେତ୍ରରେ ବହୁ ପଛରେ ଅଛନ୍ତି । ଏଠାରେ ଆଧ୍ୟାତ୍ମିକ ପର୍ଯ୍ୟଟନ, ପରିବେଶ ପର୍ଯ୍ୟଟନ ଓ ଅଂଚଳର ବିକାଶ ହୋଇପାରିଲେ ଏହି ଅଂଚଳ ନୂଆ ପରିଚୟ ସୃଷ୍ଟି ପାଇପାରିବ ବୋଲି ରାଷ୍ଟ୍ରପତିଙ୍କୁ ଶ୍ରୀ ପୁରୋହିତ ଜଣାଇଛନ୍ତି । ଆଦିବାସୀ ସଂସ୍କୃତି ସହ ଗନ୍ଧମାର୍ଦ୍ଧନ ପର୍ବତ ଯୋଡ଼ି ହୋଇ ରହିଥିବାରୁ ଅନୁକୁଳ ସମୟ ଦେଖି ପର୍ବତରେ ଥିବା ନୃସିଂହନାଥ ମନ୍ଦିର ଆଗମନ ପାଇଁ ରାଷ୍ଟ୍ରପତି ଦ୍ରେୀପଦୀ ମୁର୍ମୁଙ୍କୁ ବିନମ୍ର ନିବେଦନ କରିଛନ୍ତି । ରାଷ୍ଟ୍ରପତିଙ୍କ ଆଗମନ ଏହି ଅଂଚଳ ପାଇଁ ଐତିହାସିକ ଓ ଅବିସ୍ମରଣୀୟ ହେବ ବୋଲି ଶ୍ରୀ ପୁରୋହିତ କହିଛନ୍ତି । ରାଷ୍ଟ୍ରପତି ଗନ୍ଧମାର୍ଦ୍ଧନ ଆସିବା ନେଇ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।
ରାଷ୍ଟ୍ରପତିଙ୍କୁ ସାକ୍ଷାତ ସମୟରେ ସାଂସଦ ପ୍ରଦୀପ ପୁରୋହିତଙ୍କ ସହ ତାଙ୍କ ଧର୍ମପତ୍ନୀ ପ୍ରତିମା ପୁରୋହିତ, ଦ୍ୱାରିକା ପ୍ରସାଦ ପଣ୍ଡା ଓ ଅନ୍ନପୂର୍ଣ୍ଣା ପଣ୍ଡା ଉପସ୍ଥିତ ଥିଲେ ।
