ଭୁବନେଶ୍ୱର,୧୯/୦୮/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ମାଲକାନଗିରି ଜିଲାର ଦୂରଦୂରାନ୍ତ ଅଂଚଳରେ ବସବାସ କରୁଥିବା ଲୋକମାନଙ୍କୁ ସାର୍ବଜନୀନ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବା ନିମନ୍ତେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଯୋଜନାରେ ସୋମବାର ଶ୍ରୀ ରାମ ଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜ ଏବଂ ହସପିଟାଲର ବିଶେଷଜ୍ଞ ଟିମ୍ ମାଲକାନଗିରି ଜିଲା ସଦର ମହକୁମା ହସ୍ପିଟାଲରେ ପହଂଚିଛନ୍ତି ।ଏହି ଟିମ୍ ସେଠାରେ ୨୧ ତାରିଖ ପର୍ଯ୍ୟନ୍ତ ରହି ବିଶେଷଜ୍ଞ ସେବା ଓ ଚିକିତ୍ସା ଯୋଗାଇବେ ।
ଲାପ୍ରୋସ୍କୋପି ସର୍ଜରୀ ବିଭାଗର ବରିଷ୍ଠ ଡାକ୍ତର ଜ୍ୟୋତିର୍ମୟ ନାୟକ, ନେଫ୍ରୋଲୋଜି ବିଭାଗର ଡାକ୍ତର ଡି. ଲେଙ୍କା, ନୁ୍ୟରୋଲୋଜି ବିଭାଗର ଡାକ୍ତର ଏସ୍. ସାହୁ ଏବଂ ଡାକ୍ତର ରାଜ ମହାପାତ୍ରଙ୍କ ସମେତ ସହାୟକମାନେ ସେଠାରେ ରୋଗୀଙ୍କର ପ୍ରାରମ୍ଭିକ ପରୀକ୍ଷା ନିରୀକ୍ଷା ଆରମ୍ଭ କରିଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ସୋମବାର ଅପରାହ୍ନ ସୁଦ୍ଧା ଜିଲାର ବିଭିନ୍ନ ଅଂଚଳରୁ ପ୍ରାୟ ୨୫୦ରୁ ଅଧିକ ରୋଗୀ ବିଶେଷଜ୍ଞ ସେବା ନିମନ୍ତେ ତାଲିକାଭୁକ୍ତ ହୋଇଥିଲେ । ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି ଆକଳନ କରାଯାଉଛି ।
ଡାକ୍ତରୀ ଟିମ୍ ପ୍ରତି ରୋଗୀଙ୍କର ପ୍ରାଥମିକ ପରୀକ୍ଷା ନିରୀକ୍ଷା କରି ଚିକିତ୍ସା ନିମନ୍ତେ ସେମାନଙ୍କର ସବିଶେଷ ତଥ୍ୟ ପ୍ରସ୍ତୁତ କରୁଛନ୍ତି । ମଙ୍ଗଳବାର ସିନିୟର୍ ବିଶେଷଜ୍ଞ ଟିମ୍ ପହଂଚିବା ପରେ ରୋଗୀଙ୍କର ଆବଶ୍ୟକୀୟ ଚିକିତ୍ସା ଓ ଅପରେସନ ଆଦି କରାହେବ । ଏପରି ଉଚ୍ଚମାନର ଚିକିତ୍ସା ସୁବିଧା ମାଲକାନଗିରି ଜିଲା ଭଳି ଉପାନ୍ତ ଅଂଚଳରେ ପହଂଚି ଥିବାରୁ ଜିଲାର ବୁଦ୍ଧିଜୀବୀମାନେ ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
