କେନ୍ଦ୍ରାପଡା ଶତବାର୍ଷିକୀ ଗଜଲକ୍ଷ୍ମୀ ପୂଜା:ମଧ୍ୟ ରାତ୍ର ଯାଏଁ ଲାଉଡସ୍ପିକର ବ୍ୟବହାର ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଅନୁମତି

କେନ୍ଦ୍ରାପଡ଼ା,୨୩/୧୦/୨୦୨୬(ଓଡ଼ିଶା ସମାଚାର)- ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଗଣପର୍ବ ତଥା ଐତିହାସିକ କେନ୍ଦ୍ରାପଡ଼ା ମା’ ଗଜଲକ୍ଷ୍ମୀ ପୂଜାର ୧୦୦ତମ ବର୍ଷ ପୂର୍ତି ବା ଶତବାର୍ଷିକୀ ଉପଲକ୍ଷେ ରାଜ୍ୟ ସରକାର ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ଚଳିତ ବର୍ଷ ଉତ୍ସବର ଭବ୍ୟତା ଓ ଐତିହାସିକ ଗୁରୁତ୍ୱକୁ ବିଚାର କରି ପୂଜା ସମୟରେ ମଧ୍ୟରାତ୍ରି ପର୍ଯ୍ୟନ୍ତ ଲାଉଡସ୍ପିକର ଓ ସାଉଣ୍ଡ ବକ୍ସ ବଜାଇବା ପାଇଁ ରାଜ୍ୟ ଗୃହ ବିଭାଗ ସ୍ୱତନ୍ତ୍ର ଅନୁମତି ପ୍ରଦାନ କରିଛି । ରାଜ୍ୟ ସରକାରଙ୍କ ଏହି ଘୋଷଣା ପରେ ସମଗ୍ର କେନ୍ଦ୍ରାପଡ଼ା ସହର ସମେତ ପୂଜା କମିଟିଗୁଡ଼ିକ ମଧ୍ୟରେ ବେଶ ଉତ୍ସାହ ପ୍ରକାଶ ପାଇଛି ।

ରାଜ୍ୟ ଗୃହ ବିଭାଗ ପକ୍ଷରୁ ଶୁକ୍ରବାର ଦିନ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଆସନ୍ତା ଅକ୍ଟୋବର ୨୫ ତାରିଖରୁ ନଭେମ୍ବର ୨ ତାରିଖ, ୨୦୨୬ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ରାତି ୧୦:୦୦ରୁ ମଧ୍ୟରାତ୍ରି ୧୨:୦୦ ଯାଏଁ ଲାଉଡସ୍ପିକର ବ୍ୟବହାର ଲାଗି ସ୍ୱତନ୍ତ୍ର ରିହାତି ମିଳିଛି । ସାଧାରଣତଃ ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅନୁସାରେ ରାତି ୧୦ଟା ପରେ ସର୍ବସାଧାରଣ ସ୍ଥାନରେ ଲାଉଡସ୍ପିକର ବଜାଇବା ଉପରେ କଟକଣା ରହିଥାଏ । ମାତ୍ର କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ପୂଜାର ଏହି ଶହେ ବର୍ଷର ଐତିହ୍ୟ, ସାଂସ୍କୃତିକ ଭାବନା ଏବଂ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆବେଗକୁ ସମ୍ମାନ ଜଣାଇ ସରକାର ଏହି ବ୍ୟତିକ୍ରମ ନିଷ୍ପତି ନେଇଛନ୍ତି । କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ପୂର୍ବରୁ ଗୃହ ବିଭାଗ ନିକଟରେ ଦାବି ଉପସ୍ଥାପନ କରି ପତ୍ର ଲେଖିଥିଲେ । ତତ୍ସହିତ ଏହି ମହୋତ୍ସବର ଧାର୍ମିକ, ସାଂସ୍କୃତିକ ଓ ପର୍ଯ୍ୟଟନ ମହତ୍ୱକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ୍ଙ୍କ ପକ୍ଷରୁ ମଧ୍ୟ ସରକାରଙ୍କୁ ଏକ ସ୍ୱତନ୍ତ୍ର ପ୍ରସ୍ତାବ ପଠାଯାଇଥିଲା ।

ଏହି ସୁପାରିସକୁ ଅନୁଧ୍ୟାନ କରିବା ପରେ ଗୃହ ବିଭାଗ ପକ୍ଷରୁ ସବୁଜ ସେଙ୍କତ ପ୍ରଦାନ କରାଯାଇଛି । ଜିଲାପାଳଙ୍କୁ ଲିଖିତ ପତ୍ରରେ ଗୃହ ବିଭାଗର ଯୁଗ୍ମ ସଚିବ ମୀନାକ୍ଷୀ ବେହେରା ଦର୍ଶାଇଛନ୍ତି ଯେ, ଜନସାଧାରଣଙ୍କ ଭାବପ୍ରବଣତାକୁ ଗୁରୁତ୍ୱ ଦେଇ ଏହାକୁ ଏକ “ସ୍ୱତନ୍ତ୍ର ପଦକ୍ଷେପ’ ଭାବେ ଅନୁମୋଦନ କରାଯାଇଛି । ତେବେ ଏହି ଛାଡ଼ ସମ୍ପୂର୍ଣ୍ଣ ସର୍ତମୂଳକ । ଏହି ନିଷ୍ପତି “ଦି ଓଡ଼ିଶା ଫାୟାରୱାର୍କସ ଆଣ୍ଡ ଲାଉଡସ୍ପିକର୍ସ (ରେଗୁଲେସନ) ଆକ୍ଟ, ୧୯୫୮’ ଏବଂ ଶବ୍ଦ ପ୍ରଦୂଷଣ ନିୟମାବଳୀର ପରିସରଭୁକ୍ତ ହେବ । କୌଣସି ପରିସ୍ଥିତିରେ ବି ଧାର୍ଯ୍ୟ ଡେସିବେଲ୍ ସୀମା ଉଲ୍ଲଂଘନ କରାଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ଶାନ୍ତିଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥା ଉପରେ ସରକାର କଡ଼ା ନିର୍ଦ୍ଧେଶାବଳୀ ଜାରି କରିଛନ୍ତି ।

ପୂଜା ସମୟରେ ଏବଂ ବିଶେଷ ଭାବରେ ନଭେମ୍ବର ୧ ଓ ୨ ତାରିଖରେ ହେବାକୁ ଥିବା ଭସାଣି ଶୋଭାଯାତ୍ରାରେ ବିରାଟ ଜନସମାଗମ ହେବାର ସମ୍ଭାବନା ଥିବାରୁ ଜିଲା ପ୍ରଶାସନ ତଥା ପୋଲିସ ପ୍ରଶାସନକୁ ଅଧିକ ସତର୍କ ରହିବାକୁ କୁହାଯାଇଛି । ସହରର ଗଳିକନ୍ଦିରେ ସୁରକ୍ଷା, ସୁବ୍ୟବସ୍ଥିତ ଟ୍ରାଫିକ ପରିଚାଳନା, ସିସିଟିଭି ନଜରଦାରି ଏବଂ ଶବ୍ଦ ମାନକର ନିୟମିତ ଯାଂଚ କରିବାକୁ ନିର୍ଦେଶ ଦିଆଯାଇଛି ।କେନ୍ଦ୍ରାପଡ଼ାରେ ଚଳିତ ବର୍ଷ ଶତାଧିକ ମଣ୍ଡପରେ ମା’ ଧନଦାତ୍ରୀ ଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହେଉଛି । ଶତବାର୍ଷିକୀ ପାଳନ ପାଇଁ ପ୍ରତ୍ୟେକ ପୂଜା କମିଟି ଆକର୍ଷଣୀୟ ଆଲୋକସଜ୍ଜା, ତୋରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛନ୍ତି । ସରକାରଙ୍କ ଏହି ସ୍ୱତନ୍ତ୍ର ଅନୁମତି ଯୋଗୁଁ ସାଂସ୍କୃତିକ ମଂଚ ଏବଂ ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପାଦିତ ହୋଇପାରିବ ବୋଲି ପୂଜା କମିଟି ଓ କେନ୍ଦ୍ରାପଡ଼ାବାସୀ ଖୁସି ବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *