ଯାଜପୁର,୨୦/୦୧/୨୦୨୬ (ଓଡ଼ିଶା ସମାଚାର)- ଯାଜପୁର ଜିଲ୍ଲାରେ ବେଶ ଧୁମଧାମରେ ଚାଲିଛି ପ୍ରସିଦ୍ଧ ବରୁଣେଶ୍ୱର ମେଳା ଏବଂ ଓଳାଶୁଣୀ ମେଳା । ଏହି ମେଳାରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନ ସହ ଖାଦ୍ୟ ଷ୍ଟଲଗୁଡିକରେ ଲୋକଙ୍କ ଭିଡ଼ ଜମୁଛି। ତେଣୁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମେଳାରେ ବିକ୍ରି ହେଉଥିବା ଖାଦ୍ୟର ଗୁଣବତ୍ତା ଓ ସ୍ୱଚ୍ଛତା ଯାଞ୍ଚ କରାଯାଇଛି।

ଯାଜପୁର ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ତିନି ଦିନ ଧରି ଜାନୁଆରୀ ୧୭, ୧୮ ଓ ୨୦ ତାରିଖରେ ବରୁଣେଶ୍ୱର ମେଳାର ବିଭିନ୍ନ ଖାଦ୍ୟ, ଫାଷ୍ଟଫୁଡ ଷ୍ଟଲଗୁଡିକରେ ଟିକିନିଖି ଯାଞ୍ଚ କରାଯାଇଛି। ମେଳାରେ ବିକ୍ରି ହେଉଥିବା ପ୍ରାୟ ୧୭ କିଲୋ ବାସି ଅଖାଦ୍ୟକୁ ଚିହ୍ନଟ କରି ନଷ୍ଟ କରାଯାଇଛି। ସେହିଭଳି ଓଳାଶୁଣୀ ମେଳାରେ ମଧ୍ୟ ସୋମବାର ଖାଦ୍ୟର ଗୁଣାତ୍ମକ ମାନ ନିରୀକ୍ଷଣ କରାଯାଇଛି।

ଏହାସହ ଖାଦ୍ୟ ସୁରକ୍ଷା ଅଧିନିୟମ ଅଧୀନରେ ଯେଉଁ ଖାଦ୍ୟ ଦୋକାନୀଙ୍କ ଲାଇସେନ୍ସ ନାହିଁ, ସେମାନଙ୍କୁ ନୋଟିସ ମଧ୍ୟ ଜାରି କରାଯାଇଛି। ମେଳାରେ ଯେପରି ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ବିକ୍ରି ହେବ ଏବଂ ଲୋକେ ସଠିକ୍ ମାନର ଖାଦ୍ୟ ପାଇବେ, ସେ ଉପରେ ଧ୍ୟାନ ଦିଆଯାଇ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଏହାସହ ଉତ୍ତମ ମାନର ଖାଦ୍ୟ ବ୍ୟଞ୍ଜନ ବିକ୍ରି କରିବା ପାଇଁ ଦୋକାନୀମାନଙ୍କୁ ସଚେତନ କରାଯାଇଛି।
