ଆୟୁଷ୍ମାନ ଭାରତ ଓ ରାଜ୍ୟର ସ୍ୱାସ୍ଥ୍ୟ ସେବାର ଦୁରାଵସ୍ଥାକୁ ନେଇ ରାଜ୍ୟସ୍ତରୀୟ ଗୋଲ ଟେବୁଲ ବୈଠକ

ଯୋଜନାର ସୁଧାର ନଆଣିଲେ ରାସ୍ତାକୁ ଓହ୍ଲାଇବ ଜନ ସ୍ବାସ୍ଥ୍ୟ ଅଭିଯାନ ଓ ଆଗାମୀ ଓଡ଼ିଶା

ଭୁବନେଶ୍ୱର,୧୭/୦୮/୨୦୨୫ (ଓଡ଼ିଶା ସମାଚାର)-  ଜନସ୍ୱାସ୍ଥ୍ୟ ଅଭିଯାନ (ଓଡ଼ିଶା), ଆଗାମୀ ଓଡ଼ିଶା ଓ ଓଡ଼ିଶା ମେଡିକାଲ ସର୍ଭିସେସ ଆସୋସିଏସନ ପକ୍ଷରୁ ଭୁବନେଶ୍ୱର ବୁଦ୍ଧ ମନ୍ଦିର ସମ୍ମିଳନୀ କକ୍ଷରେ “ଆୟୁଷ୍ମାନ ଭାରତ ଓ ସ୍ୱାସ୍ଥ୍ୟ ସେବାର ଦୁରାଵସ୍ଥା” ବିଷୟରେ ଏକ ରାଜ୍ୟସ୍ତରୀୟ ଗୋଲ ଟେବୁଲ ବୈଠକଅନୁଷ୍ଠିତ ହୋଇଯାଇଛି। ଆଗାମୀ ଓଡ଼ିଶାର ଆବାହକ ଶ୍ରୀ ସୁଦର୍ଶନ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ରାଜ୍ୟର ୨୦ଟି ଜିଲ୍ଲାରୁ ୧୨୦ରୁ ଉର୍ଦ୍ଧ୍ବ ପ୍ରତିନିଧି ସାମିଲ ହୋଇଥିବା ବେଳେ ରୋଗୀ ଅଧିକାର ଗୋଷ୍ଠୀ, ସ୍ୱାସ୍ଥ୍ୟ କର୍ମୀ, ସ୍ୱାସ୍ଥ୍ୟ ନୀତି ବିଶେଷଜ୍ଞ, ନାଗରିକ ସମାଜ, ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ,ସାମାଜିକ କର୍ମୀ, ଉପେକ୍ଷିତ ବୀମା କାର୍ଡଧାରୀ ପ୍ରମୁଖ ଯୋଗଦେଇ ଆୟୁଷ୍ମାନ ଭାରତ ଯୋଜନାରେ ବିଭିନ୍ନ ସମସ୍ୟାଗୁଡିକ ଉପରେ ଆଲୋକପାତ କରିବା ସହ ସାର୍ବଜନୀନ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ପାଇଁ ଗୁରୁତ୍ୱାରୋପ କରିଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ତଥା ଜନସ୍ୱାସ୍ଥ୍ୟ ଅଭିଯାନର ରାଜ୍ୟ ଆବାହକ ଗୌରାଙ୍ଗ ମହାପାତ୍ର ଆୟୁଷ୍ମାନ ଭାରତ ଯୋଜନାର ଦୁରାଵସ୍ଥା ସମ୍ପର୍କରେ ଏକ ବିଷଦ ରିପୋର୍ଟ ବୈଠକରେ ଉପସ୍ଥାପନ କରି କହିଲେ ଯେ, ସରକାରୀ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ କରିବା, ଯାହାର ଫଳସ୍ୱରୂପ ସମସ୍ତ ରୋଗୀ ମାଗଣା ସ୍ୱାସ୍ଥ୍ୟ ସେବା ପାଇପାରିବେ। ବର୍ତ୍ତମାନର ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବନ୍ଦ କରି ଆୟୁଷ୍ମାନ ଭାରତ–ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ଓଡ଼ିଶା ଜନସଂଖ୍ୟାର ପ୍ରାୟ ୮୦ % ଅର୍ଥାତ୍ ୧.୦୩ କୋଟି ପରିବାରକୁ ସାମିଲ କରିଥିଲେ ବି, ଅନେକ ସମୟରେ କାର୍ଡଧାରୀମାନେ ସଫ୍ଟୱେର, ଆଧାର ଲିଙ୍କ, ବାୟୋମେଟ୍ରିକ, ଓଟିପି, ରୋଗୀଙ୍କ ଫୋଟୋ ପ୍ରଦାନ ଭଳି ହେଉଥିବା ସମସ୍ୟା ପାଇଁ ରୋଗୀମାନେ କାର୍ଡ ମାଧ୍ୟମରେ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି ଓ ଅତିରିକ୍ତ ଖର୍ଚ୍ଚ କରି ସର୍ଵସ୍ୱାନ୍ତ ହେଉଛନ୍ତି।

ଆୟୁଷ୍ମାନ ଭାରତ ଯୋଜନାରେ ୭୦ ବର୍ଷରୁ ଉର୍ଦ୍ଧ୍ବ ଗରିବ ଲୋକମାନେ ସାମିଲ ହୋଇଥିବା ବେଳେ ବୟୋ ବନ୍ଦନା ଯୋଜନାରେ ଗରିବ ଲୋକଙ୍କ ଟିକସ ପଇସାରେ ଧନୀ ଲୋକଙ୍କୁ ଉନ୍ନତ ଚକିତ୍ସା କରିବା ଫଳରେ ସାଧାରଣ ରୋଗୀମାନେ ଗୁରୁତ୍ୱର ଚକିତ୍ସାରୁ ବଞ୍ଚିତ ହେଉଛନ୍ତି। ବେସରକାରୀ ହସ୍ପିଟାଲରେ ସରକାରଙ୍କ ଦ୍ଵାରା ଲକ୍ଷ ଲକ୍ଷ ଟଙ୍କା ବକେୟା ଥିବାରୁ ସେମାନେ ସିଧାସଳଖ କାର୍ଡଧାରୀମାନଙ୍କୁ ଚିକିତ୍ସା ପ୍ରଦାନ କରିବାକୁ ମନାକରୁଛନ୍ତି। ତେଣୁ ସଫ୍ଟୱେରରେ ଆଵଶ୍ୟକୀୟ ପରିବର୍ତ୍ତନ, କାର୍ଡ ମାଧ୍ୟମରେ ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ଆଧାର କାର୍ଡ କିମ୍ବା ବାୟୋମେଟ୍ରିକକୁ ବାଧ୍ୟତାମୂଳକ ନକରିବା, ସମସ୍ତ ସାର୍ବଜନୀନ ନୀତିରେ ସ୍ୱାସ୍ଥ୍ୟକୁ ସାମିଲ କରିବା ସହ ଏବଂ ସ୍ୱାସ୍ଥ୍ୟସେବାରେ ଡିଜିଟାଲ୍ ଅନ୍ତର୍ଭୁକ୍ତିକରଣକୁ ବନ୍ଦ ତଥା ପ୍ରାଇଭେଟ୍ ହସ୍ପିଟାଲମାନେ ପ୍ୟାକେଜ୍ ରେଟରେ ପରିବର୍ତ୍ତନ କରିବା, ନୋଡ଼ାଲ ଅଫିସରଙ୍କୁ ନିୟୋଜକ କରିବା, ଅଭିଯୋଗ ଶୁଣାଣି ବ୍ୟବସ୍ଥା କରିବା ଉପରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ।

ଆଜିର ବୈଠକରେ ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ ସାହୁ, ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ଓଡିଶା ଘରୋଇ ମେଡିକାଲ ଆସୋସିଏସନର ସଭାପତି ଇନ୍ଦ୍ରମଣି ଜେନା, ସମ୍ପାଦକ ସଂଗ୍ରାମ ମହାପାତ୍ର, ପ୍ରଫେସର ବିଜୟ ବହିଦାର, ପ୍ରଫେସର ଅମୀୟ ମହାନ୍ତି, ଶ୍ରମିକ ନେତା ମହେନ୍ଦ୍ର ପରିଡା, ଲୋହିଆ ଏକାଡେମୀ ସମ୍ପାଦକ ଦେବପ୍ରସାଦ ରାୟ, ଆରଜେଡି ନେତା ହେମନ୍ତ କୁମାର, ଏନସିପି ରାଜ୍ୟ ସଭାପତି ବିକ୍ରମ ସ୍ୱାଇଁ, ସ୍ତମ୍ଭକାର ସତୀଶ ମିଶ୍ର, ବିଜୟଲକ୍ଷ୍ମୀ ରାଉତରାୟ, ଅରୁଣ ଦେହୁରୀ, ମମତା ସାହୁ, ତୁଷାର ରାୟ, ବିଜୟ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ନିଜ ମତ ରଖିଥିଲେ। ଆଗାମୀ ଓଡ଼ିଶାର ସଚ୍ଚି ପ୍ରଧାନ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *