ଭୁବନେଶ୍ୱର ଏମସକୁ ୧ନଂ କରିବା ଆମ ଲକ୍ଷ୍ୟ
– ଏମସ ପାଇଁ ଅତିରିକ୍ତ ୧୦୦ ଏକର ଜମି ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ
– ବିଏମସି ସେବା ଯୋଗାଇବାକୁ ପଦକ୍ଷେପ ନେବେ
– ଏମସ ବିକାଶ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଭେଟିବେ
– କ୍ରିୟାଶୀଳ ହେବ ଏମସ ସାଟେଲାଇଟ ସେଣ୍ଟର
ଭୁବନେଶ୍ୱର,୦୪/୦୩/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ଏମସରେ ସମୀକ୍ଷା ବୈଠକ କରିଛନ୍ତି। ୨୦୨୫- ୨୬ ପାଇଁ ଗଭଣ୍ଣିଂ ବଡିର ସଦସ୍ୟ ଭାବେ ମନୋନୀତ ହେଲା ପରେ ପ୍ରଥମଥର ପାଇଁ ଆଜି ଏମସ ପରିଦର୍ଶନ କରିବା ସହ ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ ହସ୍ପିଟାଲରେ ଚିକିତ୍ସାଧୀନ ବିଭିନ୍ନ ବର୍ଗର ରୋଗୀଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଥିଲେ। ମେଡ଼ିସିନ ବିଭାଗ, ଅସ୍ଥିଶଲ୍ୟ ବିଭାଗ, ଜରୁରୀକାଳୀନ ବିଭାଗ, ଶିଶୁରୋଗ ବିଭାଗ, ସ୍ତ୍ରୀ ଓ ପ୍ରସୂତି ବିଭାଗ ଓ ବିଭିନ୍ନ ବିଭାଗରେ ଆଇସିୟୁ ପରିଦର୍ଶନ କରିଥିଲେ। ହସ୍ପିଟାଲରେ ମିଳୁଥିବା ସେବାକୁ ନେଇ ରୋଗମାନଙ୍କ ମତ ନେବା ସହ ସମସ୍ୟା ପଚାରି ବୁଝିଥିଲେ।
ଏହାପରେ ଏକାଡେ଼ମିକ ବ୍ଲକର ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ ହୋଇଥିଲେ। ଏଥିରେ ଏମସର ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ, ସୁପରିଟେଣ୍ଡେଣ୍ଟ ଦିଲ୍ଲୀପ ପରିଡାଙ୍କ ସମେତ ସବୁ ବିଭାଗୀୟ ମୁଖ୍ୟଙ୍କ ମାନେ ଉପସ୍ଥିତ ଥିଲେ। ସେମାନଙ୍କ ସହ ହସ୍ପିଟାଲର ବିଭିନ୍ନ ସେବା ଓ ଭିତ୍ତିଭୂମି ପ୍ରସଙ୍ଗରେ ଆଲୋଚନା କରିଥିଲେ।
ଓଡ଼ିଶା ସମେତ ଏହାର ପଡୋଶୀ ୪ଟି ରାଜ୍ୟରୁ ଦୈନିକ ୫ହଜାର ରୋଗୀ ଏମସ ଆସୁଛନ୍ତି । ସେମାନେ ଚିକିତ୍ସା ସେବା ପାଇଁ ଭୁବନେଶ୍ୱର ଏମସ ଉପରେ ନିର୍ଭରଶୀ। ରୋଗୀ ସେବାକୁ ନେଇ ଆମ ପାଖରେ ଅନେକ ଆହ୍ୱାନ ରହିଛି। ଭିତ୍ତିଭୂମି ବିକାଶ, କର୍ମଚାରୀ ଓ ପାରାମେଡିକାଲ ଷ୍ଟାଫ, ଟେକନିସିଆନଙ୍କ ସଂଖ୍ୟା କିଭଳି ବଢାଯିବ, ତା ଉପରେ ପଦକ୍ଷେପ ନେବାକୁ ସାଂସଦ ଆଲୋଚନା କରିଥିଲେ।
ଏହି ବୈଠକରେ ଏମସ ନିର୍ଦ୍ଦେଶକ ଶ୍ରୀ ବିଶ୍ୱାସ ସାଂସଦଙ୍କ ସାମ୍ନାରେ ଅନେକ ପ୍ରସ୍ତାବ ରଖିଥିଲେ। ଭୁବନେଶ୍ୱର ଏମସ ପ୍ରତିଷ୍ଠା ଦିନଠାରୁ ଏହା ବିଏମସି ସେବାରୁ ବଞ୍ଚିତ ହେଉଛି। ଫଳରେ ଷ୍ଟ୍ରିଟଲାଇଟ, ପାଣି, ସଫେଇ ଓ ପରିମଳ, ଜଳଯୋଗାଣ ସୁବିଧାରୁ ବଞ୍ଚିତ ହୋଇରହିଛି। ଖୁବଶୀଘ୍ର ବିଏମସି ମେୟର ଓ କମିଶନରଙ୍କ ସହ ସେ ଏହି ଗୁରୁତ୍ୱପୂର୍ଣ ପ୍ରସଙ୍ଗରେ ଆଲୋଚନା କରି ସମସ୍ୟା ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏମସକୁ ରାଜ୍ୟ ସରକାରଙ୍କ ତରଫରୁ ଅତିରିକ୍ତ ୧୦୦ ଏକର ଜମି ଦେବାକୁ ମଧ୍ୟ ନିର୍ଦ୍ଦେଶକ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମୁଖ୍ୟମନ୍ତ୍ରୀ ଓ ରାଜସ୍ବ ବିଭାଗ ମନ୍ତ୍ରୀଙ୍କ ସହ ଖୁବଶୀଘ୍ର ଏ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ଜଣାଇଥିଲେ। ବାଲେଶ୍ୱରଠାରେ ଏମସର ସାଟେଲାଇଟ ସେଣ୍ଟରରେ ପର୍ଯ୍ୟାପ୍ତ ଚିକିତ୍ସା ସେବା ମିଳିପାରୁନି। ଏହି ସେଣ୍ଟର କିଭଳି ଅଧିକ କ୍ରିୟାଶୀଳ ହେବ ସେଥିପାଇଁ ପଦକ୍ଷେପ ନିଆଯିବ।
ଭୁବନେଶ୍ୱର ଏମସକୁ ଦେଶର ୧ନଂ ଏମସ କରିବା ଆମର ଲକ୍ଷ୍ୟ ବୋଲି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଥିଲେ। ଏଥିପାଇଁ ସମସ୍ତେ ଉତ୍ସର୍ଗୀକୃତ ଭାବେ କାମ କରିବା। ରୋଗୀ ସେବା ହେଉଛି ମାନବ ସେବା। କେହି ଜଣେ ବି ଯେମିତି ଉନ୍ନତ ରୋଗୀ ସେବାରୁ ବଞ୍ଚିତ ନ ହେବେ ଓ ସମସ୍ତ ପ୍ରତି ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ସମସ୍ତଙ୍କୁ ସେ ଆହ୍ୱାନ ଦେଇଥିଲେ।
ଏମସର ବିକାଶ ପାଇଁ ଯାହା ଦରକାର ସେ ସବୁ ଯେମିତି ମିଳିପାରିବ, ସେଥିପାଇଁ ସେ ଆଗାମୀ ସାଂସଦ ଅଧିବେଶନରେ ଉପସ୍ଥାପନ କରିବେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ଜଗତ ପ୍ରକାଶ ନଡ୍ଡାଙ୍କୁ ଭେଟି ଏହି ସବୁ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି କହିଥିଲେ।