ନୟାଗଡ଼,୦୯/୧୧/୨୦୨୬(ଓଡ଼ିଶା ସମାଚାର)- ବିଧିର ବିଧାନ । ଶବ ନେଇ ଯାଉଥିବା ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୩ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥର ବାଣିଗୋଛା ଥାନା ଶାଳଭଙ୍ଗା ଜଙ୍ଗଲରେ ଏହି ଭୟଙ୍କର ଦୁର୍ଘଟଣା ହୋଇଛି । ସୂଚନା ଅନୁସାରେ ଭୁବନେଶ୍ୱରରୁ ବଲାଙ୍ଗୀର ଜିଲ୍ଲା ଦେଓଗାଁ ଅଞ୍ଚଳକୁ ଆମ୍ବୁଲାନ୍ସଟି ଯାଉଥିଲା । ଦେଓଗାଁର ଇଶ୍ୱର ସାହୁଙ୍କ ମରଶରୀରକୁ ଏକ ଘରୋଇ ଆମ୍ବୁଲାନ୍ସରେ ଭୁବନେଶ୍ୱରରୁ ନିଆଯାଉଥିଲା । ଆମ୍ବୁଲାନ୍ସରେ ଡ୍ରାଇଭର ସମେତ ଇଶ୍ୱରଙ୍କ ପୁଅ ରାଜୁ ଏବଂ ତାଙ୍କ ଦୁଇ ବନ୍ଧୁ ପ୍ରତାପ ବାଗ ଓ ଶୀର୍ଷ ବାଗ ଥିଲେ ।
ସନ୍ଧ୍ୟା ସମୟରେ ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ଗାଡ଼ିଟି ଭାରସାମ୍ୟ ହରାଇ ଏକ କଲଭର୍ଟକୁ ଧକ୍କା ଦେଇଥିଲା । ସେଠାରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ଖବର ପାଇ ବାଣିଗୋଛା ପୁଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଗାଡ଼ିରୁ ସମସ୍ତଙ୍କୁ ଉଦ୍ଧାର କରି ଦଶପଲ୍ଲା ମେଡିକାଲକୁ ପଠାଇଥିଲା । ହେଲେ ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ ।
ମୃତକମାନେ ହେଲେ ପ୍ରତାପ ବାଗ, ଶୀର୍ଷ ବାଗ ଏବଂ ଆମ୍ବୁଲାନ୍ସ ଡ୍ରାଇଭର । ଡ୍ରାଇଭରଙ୍କ ପରିଚୟ ମିଳିପାରି ନାହିଁ । ଅନ୍ୟ ଜଣେ (ମୃତକ ଇଶ୍ୱର ସାହୁଙ୍କ ପୁଅ ) ରାଜୁ ସାହୁଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ମୃତ ବାପା ଇଶ୍ୱର ସାହୁ ଙ୍କ ଶବ ନେଇ ଯାଉଥିବା ପୁଅ ହେଉଛନ୍ତି ରାଜୁ ସାହୁ ।
