ସ୍ୱାଧୀନତା ଦିବସ ପାଳନ ସମ୍ପର୍କରେ ସୂଚନା ଓ ଲୋକସମ୍ପର୍କ ବିଭାଗ ର ପ୍ରସ୍ତୁତି ବୈଠକ 

ଭୁବନେଶ୍ୱର,୦୫/୦୮/୨୦୨୫(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଚଳିତ ବର୍ଷ ୭୯ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ଶ୍ରୀ  ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପରେଡ୍‌ ରେ ଅଭିବାଦନ ଗ୍ରହଣ କରିବେ । ସୋମବାର ଅପରାହ୍ଣରେ ସୂଚନା ଓ ଲୋକସମ୍ପର୍କ  ବିଭାଗ ପକ୍ଷରୁ ସ୍ୱାଧୀନତା ଦିବସ-୨୦୨୫  ସମାରୋହର ରୂପରେଖ ସମ୍ପର୍କରେ ପ୍ରସ୍ତୁତି ବୈଠକ  ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ମୁଖ୍ୟ ଶାସନ  ସଚିବ ହେମନ୍ତ ଶର୍ମା ବୈଠକରେ ଅଧ୍ୟକ୍ଷତା କରି  ଉତ୍ସବ ଆୟୋଜନର ସମସ୍ତ ବିଷୟ ପ୍ରତି ଗୁରୁତ୍ୱ ଦେବାକୁ କହିଥିଲେ ।

ଆସନ୍ତା ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ସ୍ୱାଧୀନତା  ଦିବସ ପାଳନ ଉପଲକ୍ଷେ ମହାତ୍ମା ଗାନ୍ଧି ମାର୍ଗଠାରେ ଅଭ୍ୟାସ୍‌ ପରେଡ୍‌ ସୁପରିଚାଳନା କରାଯିବ । ୧୫  ତାରିଖ ଦିନ ରାଜ୍ୟସ୍ତରୀୟ ଉତ୍ସବ ପାଳନ ହେବ ।  ଏହି ଅବସରରେ ପରେଡ୍‌ ଓ ପତାକା ଉତ୍ତୋଳନ  ସ୍ଥାନଠାରେ ସମସ୍ତ ବ୍ୟବସ୍ଥା ସହ ପ୍ରଭାତରେ  ଡାକବାଜି ଯନ୍ତ୍ର ସାହାଯ୍ୟରେ ରାମଧୂନ୍‌ ପରିବେଷଣ,ମୁଖ୍ୟ ମଞ୍ଚ ଓ ପରେଡ୍‌ ସ୍ଥଳରେ ଡାକବାଜି ଯନ୍ତ୍ର ବ୍ୟବସ୍ଥା, ଟିଭି ଓ ସାମାଜିକ ଗଣମାଧ୍ୟମ ଯୋଗେ  ଉତ୍ସବର ସିଧା ପ୍ରସାରଣ, ଗଣମାଧ୍ୟମକୁ ସୂଚନା  ପ୍ରଦାନ, ବିଶିଷ୍ଟ ଅତିଥି, ନିମନ୍ତ୍ରିତ ଅତିଥି ଓ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ଉପବେଶନ ବ୍ୟବସ୍ଥା, ଉତ୍ସବ ସ୍ଥଳର ସାଜସଜ୍ଜା ନେଇ ବୈଠକରେ ବିସ୍ତୃତ  ଆଲୋଚନା ହୋଇଥିଲା । ସାଧାରଣତନ୍ତ୍ର ଦିବସ ୨୦୨୫ରେ ଉତ୍ତମ ପ୍ରଦର୍ଶନ କରିଥିବା ପ୍ରଜ୍ଞାପନ  ମେଢ଼ ଓ ପରେଡ୍‌ ଦଳଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ  କରିବା ସହ ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ର  ସ୍ୱତନ୍ତ୍ର ସଂଖ୍ୟାକୁ ଉନ୍ମୋଚନ କରିବେ । ଏଥିସହ  ରାଜଭବନରୁ ଉତ୍ସବ ସ୍ଥଳ ପର୍ଯ୍ୟନ୍ତ ରାସ୍ତାକୁ ଆକର୍ଷଣୀୟ ଭାବେ ସଜାଇବା ପାଇଁ ଶ୍ରୀ ଶର୍ମା  ପରାମର୍ଶ ଦେଇଥିଲେ ।

ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଉତ୍ସବର  ନିମନ୍ତ୍ରଣ ପତ୍ର ମୁଦ୍ରଣ ଓ ବଣ୍ଟନ ପାଇଁ ପଦକ୍ଷେପ  ନିଆଯିବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କୋଠା, ସରକାରୀ ଉଦ୍ୟୋଗ ଓ ପ୍ରମୁଖ କୋଠାର  ଆଲୋକୀକରଣ କରାଯିବ । ପୂର୍ବବର୍ଷ ପରି  ନୂଆଦିଲ୍ଲୀ, କୋଲକାତା, ଚେନ୍ନାଇ, ମୁମ୍ବାଇଠାରେ  ସ୍ୱାଧୀନତା ଦିବସ ଉତ୍ସବ ପାଳନ ହେବ । ଆର୍‌ଡିସି  ଜୋନ୍‌, ଜିଲ୍ଲା ଏବଂ ଉପଖଣ୍ଡ ସ୍ତରରେ ମଧ୍ୟ ମହାସମାରୋହରେ ସ୍ୱାଧୀନତା ଦିବସ ଉତ୍ସବ  ପାଳନ କରାଯିବ ।

 ଏହି ବୈଠକରେ ବିଭାଗୀୟ  ନିର୍ଦ୍ଦେଶକ ଅନୁଜ କୁମାର ଦାସ ପଟ୍ଟନାୟକ, ଅତିରିକ୍ତ ଶାସନ ସଚିବ ବିଷ୍ଣୁପ୍ରିୟା ସାହୁ, ଉପ  ନିର୍ଦ୍ଦେଶକ(କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ, ବିତ୍ତ  ପରାମର୍ଶଦାତା ପୃଥ୍ୱୀରାଜ ପାଣିଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *