କେନ୍ଦ୍ରାପଡାରେ ଶତାଧିକ ବିଜେଡି କର୍ମୀ ବିଜେପିରେ ମିଶିଲେ

ଶାସନ କରିବା ପାଇଁ ରାଜନୀତି କରେନାହିଁ ବିଜେପି- ବୈଜୟନ୍ତ

କେନ୍ଦ୍ରାପଡ଼ା, ୦୨/୦୮/୨୦୨୫(ଓଡ଼ିଶା ସମାଚାର)- ଶାସନ କରିବା ପାଇଁ ରାଜନୀତି କରେ ନାହିଁ ଭାରତୀୟ ଜନତା ପାର୍ଟି । ଲୋକଙ୍କ ସେବା କରିବା ପାଇଁ ବିଜେପି ସବୁବେଳେ ଆଗଭର ହୋଇଥାଏ । ଲୋକଙ୍କ ସୁଖ ଦୁଃଖରେ ବିଜେପି ସର୍ବଦା ରହିଥାଏ । ତେଣୁ ବିଜେପି ଶାସନକୁ ଆସିବା ପରେ ଲମ୍ବା ସମୟ ପାଇଁ ଲୋକଙ୍କ ସେବା କାର୍ଯ୍ୟ କରେ । ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପାୟୀ, ଲାଲକୃଷ୍ଣ ଆଡଭାନୀ, ମୂରଲୀ ମନୋହର ଯୋଶୀଙ୍କ ଭଳି ଯଶସ୍ୱୀ ନେତା ବହୁ ପରିଶ୍ରମ କରି ଦଳକୁ ଏହି ସ୍ଥିତିକୁ ଆଣିଛନ୍ତି । ସେହିପରି ଦଳକୁ ମଜଭୁତ କରିବା ପଛରେ କୋଟି କୋଟି କର୍ମୀଙ୍କ ଅକ୍ଳାନ୍ତ ପରିଶ୍ରମ ରହିଛି ବୋଲି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ମତବ୍ୟକ୍ତ କରିଥିଲେ । ଶନିବାର ଜିଲା ସଂସ୍କୃତି ଭବନ ପରିସରରେ ବିଜେପିର ମିଶ୍ରଣ ପର୍ବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଣ୍ଡା କହିଲେ ରାଜ୍ୟକୁ ଓ ଦେଶକୁ ଆଗକୁ ବଢାଇବା ପାଇଁ ବିଜେପି ନେତାମାନେ ଖୁବ ପରିଶ୍ରମ କରୁଛନ୍ତି ।

କେନ୍ଦ୍ରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତରେ ବିକାଶ କାର୍ଯ୍ୟ ଆଗେଇ ଚାଲିଛି । ଭାରତର ଯିଏ କ୍ଷତି ପହଂଚାଇଛି ଭାରତ ତାହାକୁ ଗୁରୁତ୍ୱର ସହ ଗ୍ରହଣ କରିଛି । ଯାହା ଫଳରେ ଅପରେସନ ସିନ୍ଦୁରରେ ପାକିସ୍ତାନର ୯ଟି ଆତଙ୍କବାଦୀ ଆଡ୍ଡା ଓ ୧୧ଟି ଏୟାରବେସକୁ ଆମ ସେନା ନଷ୍ଟ କରିଦେଲା । ସେହିପରି ପହଲଗାମରେ ନିରୀହ ଲୋକଙ୍କୁ ମାରିଥିବା ଆତଙ୍କବାଦୀକୁ ମଧ୍ୟ ନିପାତ କରାଯାଇଛି । ଏହି ଅପରେସନ ମାଧ୍ୟମରେ ପାକିସ୍ତାନକୁ ଉଚିତ ଜବାବ ଦିଆଯାଇଛି ବୋଲି ସାଂସଦ ଶ୍ରୀ ପଣ୍ଡା କହିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମହାକାଳପଡ଼ାର ଯୁବ ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ ବିଜେପିରେ ମିଶିବାକୁ ଆସିଥିବା ମହାକାଳପଡ଼ାର ନେତା ଓ କର୍ମୀମାନଙ୍କୁ ଦଳକୁ ସ୍ୱାଗତ କରି କହିଲେ ମହାକାଳପଡ଼ାରେ ଜଣେ ନେତା ଭାବୁଥିଲେ ସେ ହେଉଛନ୍ତି ଅପ୍ରତିଦ୍ୱନ୍ଦୀ । କିନ୍ତୁ ସେ ୩୪ ହଜାର ଭୋଟରେ ପରାସ୍ତ ହେଲେ ।

ଯାହା ଫଳରେ ସେ ଏବେ ନିଜର ରାଜନୈତିକ ସ୍ଥିତି ହରାଇ ବସିଛନ୍ତି । ଏହାର ଉଦାହରଣ ହେଉଛି ମହାକାଳପଡ଼ା ପଂଚାୟତ ସମିତି । ଏକ ନିର୍ଦ୍ଧିଷ୍ଟ ଦଳକୁ ସମର୍ଥନ କରୁଥିବା ନେତା ଓ କର୍ମୀ ସ୍ୱତଃପୁତ ଭାବେ ବିଜେପିରେ ମିଶି ପଂଚାୟତ ସମିତି ଗଠନ କରିଛନ୍ତି ଓ ଏଠାରେ ଉନ୍ନୟନମୂଳକ କାର୍ଯ୍ୟ ଦୃତ ଗତିରେ ଚାଲିଛି । ଏବେ ମାର୍ଶାଘାଇର ନିର୍ବାଚିତ ପ୍ରତିନିଧିମାନେ ସଂପୃକ୍ତ ନେତାଙ୍କୁ ବାଏ ବାଏ କରି ବିଜେପିରେ ମିଶିଛନ୍ତି । ଏଥିରୁ ସ୍ପଷ୍ଟ ବାରି ହୋଇ ପଡୁଛି ସଂପୃକ୍ତ ନେତା ନିଜର ସ୍ଥିତି ମହାକାଳପଡ଼ା ନିର୍ବାଚନମଣ୍ଡଳୀରେ ହରାଇ ବସିଛନ୍ତି । ବିଜେପି ସବୁବେଳେ କର୍ମୀଙ୍କୁ ଅଗ୍ରାଧିକାର ଦେଇଥାଏ । କାରଣ କର୍ମୀ ହେଉଛନ୍ତି ଦଳର ମେରୁଦଣ୍ଡ ବୋଲି ଡ. ନାୟକ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲା ସଭାପତି ଶଶାଙ୍କ ଶେଖର ସେଠୀ, ପୁର୍ବତନ ଜିଲା ସଭାପତି କିଶୋର କୁମାର ପଣ୍ଡା, ପୁର୍ବତନ ସାଂସଦ ଅର୍ଚ୍ଚନା ନାୟକ, ଆଳି ନିର୍ବାଚନମଣ୍ଡଳୀ ନେତା କୃଷ୍ଣ ପଣ୍ଡା, ତେଜେଶ୍ୱର ପରିଡ଼ା, ଗିତାଞ୍ଜଳୀ ସେଠୀ, ଦୋଳ ଗୋବିନ୍ଦ ନାୟକ, ସୁନାକର ବେହେରା, ବୈଦ୍ୟନାଥ ଚାଟାର୍ଜୀ, ଡ. କଳ୍ପନା ମଲ୍ଲିକ, ଉମାକାନ୍ତ ପଟ୍ଟନାୟକ, ଲଳିତ କୁମାର ବେହେରା ପ୍ରମୁଖ ନେତା ମଂଚାସୀନ ଥିଲେ । ଏହି ମିଶ୍ରଣ କାର୍ଯ୍ୟକ୍ରମରେ ବିଜେଡିର ଶତାଧିକ ନେତା ଓ କର୍ମୀ ବିଜେପିରେ ମିଶିଥିଲେ ।

Leave a Reply

Your email address will not be published. Required fields are marked *