ପ୍ରାଦେଶିକ ମେଧା ପରୀକ୍ଷା ଫଳ ପ୍ରକାଶିତ

ଭୁବନେଶ୍ୱର, ୧୪/୦୫/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଗୁଡ଼ିକୁ ପରିଚାଳନା କରୁଥିବା ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ପ୍ରାଦେଶିକ ମେଧା ପରୀକ୍ଷା ଓ ଶ୍ରୀ ଭାରତୀକୃଷ୍ଣ ଗଣିତ ପ୍ରତିଭା ପରୀକ୍ଷା ଫଳ ୨୦୨୩-୨୪ ଆଜି ପ୍ରକାଶିତ ହୋଇଯାଇଛି । ଏହି ପରୀକ୍ଷାରେ ତୃତୀୟ, ପଂଚମ, ସପ୍ତମ ଓ ନବମ ଶ୍ରେଣୀର ଚୟନିତ ୨୨ହଜାର ୫ଶହ ୯୯ (୧୧୭୪୨ ଛାତ୍ର ଓ ୧୦୮୫୭ ଛାତ୍ରୀ) ଜଣ ମେଧାବୀ ଛାତ୍ରଛାତ୍ରୀ ରାଜ୍ୟ ସ୍ତରରେ ୧୧୬ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ  । ପ୍ରାଦେଶିକ ମେଧା ପରୀକ୍ଷାରେ ୩ୟ ଶ୍ରେଣୀରେ ୫୯ ଜଣ, ୫ମ ଶ୍ରେଣୀରେ ୫୧ ଜଣ, ୭ମ ଶ୍ରେଣୀରେ ୪୬ ଜଣ ଓ ୯ମ ଶ୍ରେଣୀରେ ୩୬ ଜଣ ମୋଟ ୧୯୨ ଜଣ ପ୍ରଥମ ୧୦ଟି ସ୍ଥାନରେ ରହିଥିବା ବେଳେ ଶ୍ରୀ ଭାରତୀକୃଷ୍ଣ ଗଣିତ ପ୍ରତିଭା ପରୀକ୍ଷାରେ ୩ୟ ଶ୍ରେଣୀରେ ୩୨ ଜଣ, ୫ମ ଶ୍ରେଣୀରେ ୭୧ ଜଣ, ୭ମ ଶ୍ରେଣୀରେ ୧୧୧ ଜଣ ଓ ୯ମ ଶ୍ରେଣୀରେ ୫୧ ଜଣ ମୋଟ ୨୬୫ ଜଣ ପ୍ରଥମ ୧୦ଟି ସ୍ଥାନରେ ରହି ସର୍ବକାଳୀନ ରେକର୍ଡ କରିଛନ୍ତି । ୫୦ ପ୍ରତିଶତରୁ ଅଧିକ ନମ୍ବର ରଖି ପ୍ରାଦେଶିକ ମେଧା ପରୀକ୍ଷାରେ ୮୮୦୬ ଜଣ (୪୩୯୨ ଛାତ୍ର ଓ ୪୪୧୪ ଛାତ୍ରୀ) ଓ ଶ୍ରୀ ଭାରତୀକୃଷ୍ଣ ଗଣିତ ପ୍ରତିଭା ପରୀକ୍ଷାରେ ୨୨୦୩ ଜଣ (୧୩୮୧ ଛାତ୍ର ଓ ୮୨୨ ଛାତ୍ରୀ) କୃତକାର୍ଯ୍ୟ ହୋଇଛନ୍ତି  । ବିଦ୍ୟା ଭାରତୀ, ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନର ସଂଗଠନ ମନ୍ତ୍ରୀ ଶ୍ରୀମାନ ଗୋବିନ୍ଦଚନ୍ଦ୍ର ମହାନ୍ତଙ୍କ ଦ୍ୱାରା ଏହି ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚିତ ହୋଇଥିଲା  ।

ଏହି ଅବସରରେ ସେ କୃତୀ ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ  । କାର୍ଯ୍ୟକ୍ରମରେ ବିଦ୍ୟା ଭାରତୀ, ପୂର୍ବକ୍ଷେତ୍ରର ସଂଗଠନ ମନ୍ତ୍ରୀ ଶ୍ରୀମାନ ଦିବାକର ଘୋଷ, ପ୍ରାନ୍ତ ସଂଗଠନ ସମ୍ପାଦକ ଶ୍ରୀମାନ ତାରକଦାସ ସରକାର , ପ୍ରାନ୍ତ ନିରୀକ୍ଷକ ଶ୍ରୀ ପ୍ରସନ୍ନ କୁମାର ବିଶ୍ୱାଳ, ସମସ୍ତ ସମ୍ଭାଗ ସଂଯୋଜକ ଏବଂ ଶିକ୍ଷା ବିକାଶ ସମିତି, ଓଡ଼ିଶାର ଅନ୍ୟାନ୍ୟ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । ପ୍ରାନ୍ତ ପରୀକ୍ଷା ସଂଯୋଜକ ଶ୍ରୀ ମନୋଜ କୁମାର ଦାଶ ଅତିଥି ପରିଚୟ କରିବା ସହିତ ଫଳାଫଳ ବିବରଣୀ ପାଠ କରିଥିଲେ । ଶେଷରେ ସହ ପ୍ରାନ୍ତ ପରୀକ୍ଷା ସଂଯୋଜକ ଶ୍ରୀ ରୁଦ୍ରନାରାୟଣ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ କୃତଜ୍ଞତା ଜ୍ଞାପନ କରିଥିଲେ ।

Leave a Reply

Your email address will not be published. Required fields are marked *