ଜୁନାଗଡ଼ ବ୍ଲକରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ଭିଜିଲାନ୍ସ ର ଛାନଭିନ ।

ଭବାନୀପାଟଣା,୩୧/୦୭/୨୦୨୫ (ଓଡ଼ିଶା ସମାଚାର/ରାକେଶ ବେମାଲ):କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକରେ ୨୦୨୩-୨୪ ଆର୍ଥିକ ବର୍ଷରେ ପ୍ରତି ପଞ୍ଚାୟତକୁ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଯୋଗାଇ ଦିଆ ଯାଇଥିବା ଖେଳ ସାମଗ୍ରୀରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଦାମ୍ ଅନୁଯାୟୀ କ୍ରୀଡ଼ା ସାମଗ୍ରୀ ଯୋଗା ନ ଯାଇ ନିମ୍ନମାନର ସାମଗ୍ରୀ ବଣ୍ଟନ କରାଯାଇଥିବା ଅଭିଯୋଗ ହୋଇଥିଲା।

ଜୁନାଗଡ ବ୍ଲକରେ ୩୪ ପଞ୍ଚାୟତ ରହିଥିବାବେଳେ ପ୍ରତି ପଞ୍ଚାୟତକୁ ଅଢେଇଲକ୍ଷ ଟଙ୍କା ହିସାବରେ ପାଖାପାଖି ୮୩ଲକ୍ଷ ଟଙ୍କାର କ୍ରୀଡ଼ା ସାମଗ୍ରୀ ବ୍ଲକ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆ ଯାଇଥିଲା। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା କଳାହାଣ୍ଡି ଜିଲା ସମେତ ଓଡ଼ିଶାରେ ଅନେକ ଖେଳ ସାମଗ୍ରୀ ଦୋକାନ ରହିଥିବାବେଳେ ଛତିଶଗଡ଼ ରାଜ୍ୟ ରାୟପୁରର ଏକ ନିର୍ଦ୍ଦିଷ୍ଟ ଦୋକାନରୁ ଏହି ସାମଗ୍ରୀ କିଣାଯାଇଥିଲା , ଯାହାକୁ  ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଥିଲା।

ଏହି ଖେଳ ସାମଗ୍ରୀର ଦାମ୍, ମାନ ଓ ଯୋଗାଇଥିବା ଦୋକାନ ବିଷୟରେ ଭିଜିଲାନ୍ସ ଦ୍ବାରା ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଥିଲା। ଯାହାଫଳରେ ଗତ ୨ ଦିନ ହେଲା ଜୁନାଗଡ଼ ବ୍ଲକ ର ବିଭିନ୍ନ ପଞ୍ଚାୟତରେ ଏହି ଯୋଜନାରେ ଆସିଥିବା କ୍ରୀଡା ସାମଗ୍ରୀକୁ ତଦନ୍ତ କରୁଛି କଳାହାଣ୍ଡି ଭିଜିଲାନ୍ସ। ମଙ୍ଗଳବାର ପ୍ରଥମେ ଦିନରେ ଭିଜିଲାନ୍ସ ବିଭାଗ ଜୁନାଗଡ଼ ବ୍ଲକର ବଣିଜରା,ମାଟିଗାଁ,ବୁଡିଦର,ତଲଜାରିଙ୍ଗ ପଞ୍ଚାୟତକୁ ଯାଇ ତଦନ୍ତ କରିଥିବାବେଳେ ଦ୍ଵିତୀୟ ଦିନରେ ବୁଧବାର ବଳଦିଆମାଲ,ପଲାସ, କାଲୋପଲା,ମହିଚଲା ଓ ଚାରବାହାଲ ପଞ୍ଚାୟତକୁ ଯାଇ ତଦନ୍ତ କରିଥିବା ଜଣାପଡିଛି।

ଯାହାଫଳରେ ଏହି ଘଟଣାରେ ଅନିୟମିତତା କରିଥିବା ଅଧିକାରୀ, କର୍ମଚାରୀଙ୍କ ମଧ୍ୟରେ କୋକୁଆ ଭୟ ଦେଖିବାକୁ ମିଳିଛି। ଏହି ତଦନ୍ତ ବେଳେ ଭିଜିଲାନ୍ସ ଡ଼ିଏସପି ପ୍ରଦୀପ କୁମାର ଆଇନ୍ଦ,ଇନ୍ସପେକ୍ଟର ଆଲୋକ କୁମାର ମହାପାତ୍ର ,ଷ୍ଟେନୋ ସନ୍ତୋଷ ମହାନ୍ତି ପ୍ରମୁଖ ସାମିଲ ଥିଲେ। ଏ ନେଇଁ ଭିଜିଲାନ୍ସ ଡ଼ିଏସ ପି ଙ୍କୁ ପଚାରିବାରୁ ବର୍ତ୍ତମାନ ଏହି ଘଟଣାର ତଦନ୍ତ ଚାଲିଛି,ତଦନ୍ତ ଶେଷ ପରେ ଆଗାମୀ ପଦକ୍ଷେପ ନିଆଯିବ ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *