ବନ୍ଧୁକ ମୁନରେ ଫ୍ଳିପ୍କାର୍ଟ କର୍ମଚାରୀଙ୍କ ଠାରୁ ୫.୮୫ ଲକ୍ଷ ଲୁଟ୍

ରାଉରକେଲା,୨୫/୧୨/୨୦୨୪ (ଓଡ଼ିଶା ସମାଚାର)- ଦିନ ଦ୍ବିପ୍ରହରରେ ରାଉରକେଲା ଶିଳ୍ପାଞ୍ଚଳରେ ଫ୍ଳିପ୍କାର୍ଟ କର୍ମଚାରୀଙ୍କ ଠାରୁ ୫ ଲକ୍ଷ ୮୫ ହଜାର ଟଙ୍କା ଲୁଟ୍ ହୋଇଛି। ତିନି ଜଣ ଯୁବକ ବନ୍ଧୁକ ଦେଖାଇ ଟଙ୍କା ଭର୍ତ୍ତି ବ୍ୟାଗ୍ ଲୁଟିନେବା ସହ ଫ୍ଲିପ୍କାର୍ଟ କର୍ମଚାରୀଙ୍କୁ ସ୍କୁଟରରୁ ଠେଲି ଦେଇଥିଲେ। ଫଳରେ ଫ୍ଲିପ୍କାର୍ଟ କର୍ମଚାରୀଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଛି। ତାଙ୍କ ଲିଖିତ ଅଭିଯୋଗ ଆଧାରରେ ରଘୁନାଥପାଲି ପୁଲିସ ମାମଲା ରୁଜୁ କରିଛି। ଲୁଟ୍ ସ୍ଥାନରେ ଲାଗିଥିବା ସିସି କ୍ୟାମେରା ଫୁଟେଜ୍ ଆଧାରରେ ପୁଲିସ ଘଟଣାର ତନାଘନା ଚଳାଇଛି।
ସୂଚନା ମୁତାବକ ରାଉରକେଲା ଶିଳ୍ପାଞ୍ଚଳରେ ଫ୍ଲିପ୍କାର୍ଟର କାର୍ୟ୍ୟାଳୟ ରହିଛି। ଶିବଶଙ୍କର ତନ୍ତୀ ନାମକ ଜଣେ କର୍ମଚାରୀ ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ କାର୍ୟ୍ୟାଳୟରୁ ୫ ଲକ୍ଷ ୮୫ ହଜାର ଟଙ୍କା ନେଇ ସେ ରାଉରକେଲାର ଏକ ବ୍ୟାଙ୍କକୁ ଜମା କରିବାକୁ ଯାଉଥିଲେ। ରାଉରକେଲା ଶିଳ୍ପାଞ୍ଚଳ ପୁରୁଣା ଦୁର୍ନୀତି ନିବାରଣ କାର୍ୟ୍ୟାଳୟ ରାସ୍ତାରେ ପିଛା କରୁଥିବା ତିନିଜଣ ଯୁବକ ଶିବଶଙ୍କରଙ୍କୁ ଅଟକାଇଥିଲେ। ଶିବଶଙ୍କର ସ୍କୁଟରକୁ ରଖିବା ମାତ୍ରେ ତିନି ଯୁବକଙ୍କ ମଧ୍ୟରୁ ଜଣେ ବନ୍ଧୁକ ବାହାର କରି ତାଙ୍କ ମୁଣ୍ଡରେ ଲଗାଇବା ସହ ଟଙ୍କା ଭର୍ତ୍ତି ବ୍ୟାଗ୍ ଦେବାକୁ ଧମକ ଦେଇଥିଲା। ଜୀବନବିକଳରେ ଶିବଶଙ୍କର ଟଙ୍କା ଭର୍ତ୍ତି ବ୍ୟାଗକୁ ଯୁବକଙ୍କୁ ଦେଇଥିଲେ। ସେଠାରୁ ଚମ୍ପଟ୍ ମାରିବା ପୂର୍ବରୁ ଅନ୍ୟ ଦୁଇ ଯୁବକ ଶିବଶଙ୍କରଙ୍କୁ ସ୍କୁଟର ଉପରୁ ଠେଲିଦେବା ଫଳରେ ସେ ତଳେ ପଡ଼ି ଯାଇଥିଲେ। ତାଙ୍କ ପାଟି ଶୁଣି ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ତିନି ଯୁବକ ସେଠାରୁ ବାଇକ୍ ଯୋଗେ ଫେରାର ହୋଇ ଯାଇଥିଲେ। ଶିବଶଙ୍କର ଏ ସଂକ୍ରାନ୍ତରେ କାର୍ୟ୍ୟାଳୟକୁ ଜଣାଇଥିଲେ। ପରେ ରଘୁନାଥପାଲି ଥାନାରେ ପହଞ୍ଚି ଲିଖିତ ଏତଲା ଦେଇଥିଲେ।

Leave a Reply

Your email address will not be published. Required fields are marked *