ଖୋର୍ଦ୍ଧା,୨୦/୦୭/୨୦୨୫(ଓଡ଼ିଶା ସମାଚାର)- ଚଳିତ ୨୦୨୫ ଖରିଫ ଚାଷ ନିମନ୍ତେ ଚାଷୀ ମାନଙ୍କ ପଞ୍ଜିକରଣ ଚଳିତ ମାସ ୧୯ ତାରିଖ ଠାରୁ ପ୍ରାଥମିକ କୃଷି ସମବାୟ ସମିତି ସ୍ତରରେ ଆରମ୍ଭ ହୋଇଛି । ଚାଷୀ ପଞ୍ଜିକରଣ ସଂପୂର୍ଣ୍ଣ ନୂତନ ମାର୍ଗଦର୍ଶିକା ଅନୁଯାୟୀ କରାଯିବ, ଯେଉଁଥିରେ ସମସ୍ତ ଚାଷୀ ସେମାନଙ୍କର ନାମ ନୂତନ ଭାବେ ଧାନ ବିକ୍ରୟ ପାଇଁ ପଞ୍ଜିକରଣ କରି ପାରିବେ । ପଞ୍ଜିକରଣ ନିମନ୍ତେ ଚାଷୀ ମାନଙ୍କର ଇ କେୱାଇସି ମାଧ୍ୟମରେ ଆଧାର ଭେରିଫିକେସନ କରାଯିବ ଓ ଧାନ ବିକ୍ରୟ ପ୍ରାପ୍ୟ ବାବଦକୁ ଚାଷୀର ଆଧାର ଲିଙ୍କ ଥିବା ବ୍ୟାଙ୍କ ଆକାଉନ୍ଟ ମାଧ୍ୟମରେ ପ୍ରଦାନ କରାଯିବ ।
ପଞ୍ଜିକରଣ ଜୁଲାଇ ୧୯ ତାରିଖ ଠାରୁ ଆରମ୍ଭ ହୋଇ ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ପଞ୍ଜିକୃତ ଚାଷୀ ମାନଙ୍କୁ ଏକ ରସିଦ ପ୍ରଦାନ କରାଯିବ ଯେଉଁଥିରେ ଚାଷୀ ଦେଇଥିବା ଜମିର ପରିମାଣ ସମ୍ବନ୍ଧରେ ଉଲ୍ଲେଖ କରାଯିବ । ପଞ୍ଜିକରଣ ନିମନ୍ତେ ପ୍ୟାକ୍ସ ସମ୍ପାଦକ ଓ ଡାଟାଏନ୍ଟ୍ରି ଅପରେଟରମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଉକ୍ତ ପ୍ରଶିକ୍ଷଣ ଶିବିରରେ ଉପ ସହକାରୀ ନିବନ୍ଧକ ସମବାୟ ସମିତି ଅଳକାନନ୍ଦା ଜେନା, ସହକାରୀ ନିବନ୍ଧକ ଭଗବତ ମାରାଣ୍ଡି, ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ଜୟନ୍ତ କୁମାର ଦାସଙ୍କ ସହ ଟ୍ରେନର ରଶ୍ମିତ କୁମାର ଉପସ୍ଥିତ ରହି ସମସ୍ତ ଚାଷୀଙ୍କର ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ପଞ୍ଜିକରଣ ସଂପୂର୍ଣ୍ଣ କରିବା ନିମନ୍ତେ ପରାମର୍ଶ ଦେଇଥିଲେ ।
ଶିବିରରେ ଖୋର୍ଦ୍ଧା ବ୍ଲକ କାଇପଦର ସେବା ସମବାୟ ସମିତି ସମ୍ପାଦକ ଝଜ ସାମନ୍ତରାୟ, ବିଶ୍ୱନାଥ ମହାରଣା, ଖୋର୍ଦ୍ଧା ଓ ପଲାତୋଟାପଡ଼ା, ନିତ୍ୟାନନ୍ଦ ଦାଶ, ଆରଏମସି ବାଲୁଗାଁ, ସମ୍ପାଦକ ଅନିଲ କୁମାର ରାଉତ, ଜ୍ୟୋତିର୍ମୟୀ ଲେଙ୍କା, ସୁଶ୍ରୀ ସାଗରିକା ପରିଡ଼ା, ସୁଚିସ୍ମିତା ସାହୁ, କାର୍ତିକ ପ୍ରଧାନ, ସୁବାସ ପରିଡ଼ା, ରୋହିତ ପଟ୍ଟନାୟକ, ବିଭୂତି ସେନାପତି, ବୁଧିବାମନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।
