ଭୁବନେଶ୍ୱର ୨୦/୦୭/୨୦୨୫(ଓଡ଼ିଶା ସମାଚାର)- ସାଙ୍ଗହୋଇ ଗୋଟିଏ ଘରେ ରହୁଥିଲେ । ଗୋଟିଏ ଥାଳିରେ ମଧ୍ୟ ଖାଉଥିଲେ । ହେଲେ ମଦ ନିଶା ସବୁ ସାରିଦେଲା । ସାମାନ୍ୟ ବଚସାରୁ ସାଙ୍ଗର ମୁଣ୍ଡକୁ ପଥରରେ ଛେଚି ହତ୍ୟା କଲା ସାଙ୍ଗ । ଭରତପୁର ସୋମନାଥ ବସ୍ତିରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ମୃତକ ହେଉଛନ୍ତି ଗଞ୍ଜାମ ଜିଲା ବୁଗୁଡ଼ା ଅଂଚଳର କୈଳାସ ନାୟକ (୨୬) । ଏଭଳି କାଣ୍ଡ ଭିଆଇଥିବା ଅଭିଯୁକ୍ତ ନରହରି ଫେରାର ହୋଇ ଯାଇଛି । ତେବେ ଉଭୟଙ୍କ ନାମରେ ପୂର୍ବରୁ ଚୋରି ମାମଲା ରହିଥିବାରୁ ଚୋରି ଟଙ୍କା ଭାଗ ବଂଟାକୁ ନେଇ ଏପରି ଘଟଣା ଘଟିଥିବା କୁହାଯାଉଛି ।
ମିଳିଥିବା ସୂଚନା ଅନୁସାରେ, ରଙ୍ଗ ମିସ୍ତ୍ରି ଭାବେ କାମ କରୁଥିବା କୈଳାସ ତାଙ୍କ ମାଆଙ୍କ ସହିତ ସୋମନାଥ ବସ୍ତିରେ ଭଡ଼ାରେ ରହୁଥିଲେ । ଏଇ କିଛିଦିନ ହେବ କୈଳାସର ସାଙ୍ଗ ନରହରି ମଧ୍ୟ ତାଙ୍କ ଘରକୁ ଆସି ରହିବାକୁ ଲାଗିଲା । ଉଭୟ ଏକାଠି ରହିବା ସହିତ ଖିଆପିଆ ମଧ୍ୟ କରୁଥିଲେ । ଗୁରୁବାର ସନ୍ଧ୍ୟାରେ ରୋଷେଇକୁ ନେଇ କୈଳାସ ଓ ତାଙ୍କ ମାଆ ବେବିନାଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏହାପରେ ମା ବେବିନା ରାଗିଯାଇ କିଛି ଦୂରରେ ଥିବା ସମ୍ପର୍କୀୟଙ୍କ ଘରକୁ ପଳାଇଥିଲେ । କିନ୍ତୁ କୈଳାସ ଓ ନରହରି ସୋମନାଥ ବସ୍ତିସ୍ଥିତ ଘରେ ରହିଥିଲେ ।
ରାତିରେ କୈଳାସ ଓ ନରହରି ମିଶି ଘରେ ମଦ୍ୟପାନ କରିବା ସହିତ ଖିଆପିଆ କରିଥିଲେ । ବିଳମ୍ବିତ ରାତିରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏମିତିକି କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା । ଏହାପରେ ନରହରି ରାଗିଯାଇ ପ୍ରଥମେ କୈଳାସଙ୍କୁ ଆକ୍ରମଣ କରିଥିଲା । କୈଳାସ ତଳେ ପଡ଼ିଯିବା ପରେ ନରହରି ପାଖରେ ଥିବା ସିମେଂଟ ଇଟାରେ ତାଙ୍କ ମୁଣ୍ଡକୁ ଛେଚି ଦେଇଥିଲା । ସେ ଜୀବନ ବଂଚାଇବାକୁ କାକୁତିମିନତି ହେଉଥିଲେ ମଧ୍ୟ ନରହରି ଇଟାରେ ଛେଚି ଚାଲିଥିଲା । କୈଳାସ ଅଚେତ ହୋଇଯିବା ପରେ ନରହରି ଚୋରା ବାଇକ୍ ନେଇ ଫେରାର ହୋଇ ଯାଇଥିଲା ।
ଶୁକ୍ରବାର ସକାଳୁ ମା ବେବିନା ଘରେ ଆସି ପହଂଚିବା ବେଳକୁ ପୁଅର ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିଲା । ଖବରପାଇ ଭରତପୁର ଥାନା ପୁଲିସ ଘଟଣାସ୍ଥଳରେ ପହଂଚିଥିଲା । କୈଳାସଙ୍କ ମୁହଁ ଓ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ଘର ଭିତରେ ରକ୍ତ ଲଗା ଇଟା ମଧ୍ୟ ପଡ଼ି ରହିଥିଲା ।
ବେବିନାଙ୍କ ଅଭିଯୋଗ ଆଧାରରେ ଭରତପୁର ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଥିଲା । ସାଇଂଟିଫିକ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଥିଲା । ଘର ଭିତରୁ ରକ୍ତ ଲଗା ସିମେଂଟ ଇଟା, ରକ୍ତ ନମୁନା ସବୁକୁ ସଂଗ୍ରହ କରିଥିଲା । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା ।
ସେପଟେ କୈଳାସଙ୍କ ନାମରେ ଏକାଧିକ ଚୋରି ମାମଲା ରହିଥିବା ବେଳେ ପୂର୍ବରୁ ସେ ଜେଲ୍ ମଧ୍ୟ ଯାଇଛନ୍ତି । ସେହିପରି ହତ୍ୟା ଅଭିଯୁକ୍ତ ନରହରି ମଧ୍ୟ ଅନେକ ଚୋରି ମାମଲାରେ ସଂପୃକ୍ତ ରହିଛି । ତେଣୁ ଚୋରି ଟଙ୍କା ଭାଗ ବଂଟାକୁ ନେଇ ଏପରି ହତ୍ୟାକାଣ୍ଡ ଘଟି ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି । ତେବେ ନରହରିକୁ ଧରିବା ପାଇଁ ଗୋଟିଏ ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢାÿଉ କରିଥିଲେ ମଧ୍ୟ ପୁଲିସ୍ ତା’କୁ ଧରି ପାରିନାହିଁ ।
