ଛୁରାମାଡ଼ରେ ୨ ନାବାଳକ ଗୁରୁତର

                                      ବିଲରୁ ଦୁର୍ବୃତକୁ ଧରି ପୁଲିସ ଜିମାଦେଲେ ଗ୍ରାମବାସୀ
ରଘୁନାଥପୁର ୨୦/୦୭/୨୦୨୫(ଓଡ଼ିଶା ସମାଚାର)- ରଘୁନାଥପୁର ଥାନା ଚାନ୍ଦପୁର ଗ୍ରାମର ଜନୈକ ଦୃର୍ବୃତର ଛୁରା ମାଡରେ ସେହି ଗ୍ରାମର ୨ ଜଣ ନାବାଳକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ସେମାନେ ହେଲେ ଏହି ଗ୍ରାମର ଏନ ମାରାଣ୍ଡିଙ୍କ ପୁଅ ଓମପ୍ରକାଶ (୧୨) ଜେକି ରେଳବାଇ କଲୋନୀରେ ରହୁଛନ୍ତି । ଅନ୍ୟଜଣେ ହେଲେ ମନୋଜ ନାୟକଙ୍କ ପୁଅ ଆକାଶ (୧୪) ଉଭୟ ନିକଟସ୍ଥ ସ୍କୁଲରେ ପାଠ ପଢ଼ୁଛନ୍ତି ।

ଛୁରା ମାଡରେ ଓମପ୍ରକାଶଙ୍କ ପେଟରେ ଗଭୀର ଆଘାତ ଲାଗିଥିବାବେଳେ ଆକାଶଙ୍କ ବେକରେ ଆଘାତ ଲାଗି ଗୁରୁତର ହାଇପଡ଼ିଛନ୍ତି । ୨ ନାବାଳକଙ୍କୁ ପ୍ରଥମେ ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କଟକ ବଡ଼ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ଓମପ୍ରକାଶ ଓ ଆକାଶ ନିକଟସ୍ଥ ଦୋକାନରୁ କୁରୁକୁରେ ନେଇ ଫେରୁଥିବାବେଳେ ହଠାତ ଉକ୍ତ ଗ୍ରାମର ବଟକୃଷ୍ଣ ଦାସଙ୍କ ପୁଅ ନିତ୍ୟାନନ୍ଦ ଓରଫ ବଳିଆ ଏକ ଛୁରୀରେ ୨ ନାବାଳକଙ୍କୁ ଆକ୍ରମଣ କରିଥିଲା । ଗ୍ରାମବାସୀ ପାଟି କରିବାରୁ ବଳିଆ ସେଠାରୁ ଫେରାର ହୋଇଯାଉଥିବା ସମୟରେ ଗ୍ରାମବାସୀ ଗୋଡାଇ ଗୋଡାଇ ବିଲ ମଧ୍ୟରୁ ତାକୁ ଧରିବାକୁ ସକ୍ଷମ ହୋଇଥିଲେ । ପରେ ପୁଲିସ ପହଂଚି ବଳିଆକୁ ଗିରଫ କରିବା ସହ ତା ପାଖରୁ ଏକ ଧାରୁଆ ଛୁରୀ ଜବତ କରିଥିଲା ।

ସୂଚନାଯୋଗ୍ୟ କି ନିତ୍ୟାନନ୍ଦ ଓରଫ ବଳିଆ ଗତ ୨୦୧୯ ମସିହାରେ ନିଜ ମାକୁ ନିଶାଦ୍ରବ୍ୟ ସେବନ ପାଇଁ ଟଙ୍କା ମାଗି ନିରାଶ ହେବାରୁ ଏକ ଛୁରୀରେ ନିଜ ମା’କୁ ଅତି ବୀଭତ୍ସ ଭାବେ ହତ୍ୟା କରିଥିଲା । ଗତ ଦେଢମାସ ତଳେ ଜେଲରୁ ଫେରି ପୁରୀସ୍ଥିତ ଏକ ହୋଟେଲରେ କାମ କରୁଥିଲା । ସେଠାରୁ ଚାଲିଆସି ଗତ ୪ ଦିନ ହେଲା ନିଜ ପୈତୃକ ଘରେ ରହୁଥିଲା । ଏ ସମ୍ପର୍କରେ ରଘୁନାଥପୁର ଥାନା କେଶ ନଂ- ୧୫୧/୨୦୨୫ ରେ ଏକ ମାମଲା ରୁଜୁ କରାଯାଇଥିବା ଏଏସଆଇ ଯୋଗେଶ୍ୱର ବେହେରାଙ୍କ ଠାରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *