ଶରଣକୁଳ ଅଂଚଳରେ ବନ୍ଧୁକ କାରଖାନା ଠାବ

ବିପୁଳ ପରିମାଣର ସାମଗ୍ରୀ ଜବତ, ୩ ଗିରଫ
ଓଡ଼ଗାଁ, ୨୨/୦୬/୨୦୨୫(ଓଡ଼ିଶା ସମାଚାର)- ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣକୁଳ ଥାନା ଅଧୀନ ଜାକେଡ଼ା ଗ୍ରାମରେ ବହୁଦିନ ଧରି ଚାଲିଥିବା ବେଆଇନ୍ ବନ୍ଧୁକ କାରଖାନାର ପର୍ଦ୍ଧାଫାଶ ହୋଇଛି । ଏହି ଘଟଣାରେ ପୁଲିସ ୩ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି ।

ସୂଚନା ଅନୁଯାୟୀ ଜାକେଡ଼ା ଗ୍ରାମ ନିକଟସ୍ଥ ଏକ ଜଙ୍ଗଲରେ ବେଆଇନ୍ ବନ୍ଧୁକ କାରଖାନା ଚାଲିଥିବା ପୁଲିସ କୌଣସି ସୂତ୍ରରୁ ଖବରପାଇ ସେଠାରେ ଚଢାଉ କରିଥିଲା । ବନ୍ଧୁକ ତିଆରିରେ ସାମିଲ୍ ଥିବା ବ୍ୟକ୍ତିମାନେ ଖସିବାକୁ ଉଦ୍ୟମ କରୁଥିବାବେଳେ ପୁଲିସ ସେମାନଙ୍କୁ କାବୁକରି ନେଇଥିଲେ । ଘଟଣାସ୍ଥଳରୁ ବନ୍ଧୁକ ତିଆରି ସରଞ୍ଜାମ ଜବତ କରିବାରେ ପୁଲିସ ସକ୍ଷମ ହୋଇଥିଲା ।

ଏହି ଘଟଣାର ମାଷ୍ଟର ମାଇଣ୍ଡ ପ୍ରଶାନ୍ତ ବିଶ୍ୱାଳ ବୋଲି ପୁଲିସ ଜାଣିବାକୁ ପାଇଛି । ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଜାକେଡ଼ା ଗ୍ରାମରେ ଚଢଉକରି ମଙ୍ଗରାଜ ପ୍ରଧାନଙ୍କ ପୁଅ ସୁଶାନ୍ତ ପ୍ରଧାନ (୪୪), ସନେଇ ବାଣ୍ଠଙ୍କ ପୁଅ ବସନ୍ତ ବାଣ୍ଠ ଓରଫ ଟିକିନା (୩୩) ଓ ବଂଶୀଧର ବିଶ୍ୱାଳଙ୍କ ପୁଅ ପ୍ରଶାନ୍ତ ବିଶ୍ୱାଳ ଓରଫ ପଣ୍ଡା(୪୫)ଙ୍କୁ ପୁଲିସ ଗିରଫ କରିଛି । ସେମାନଙ୍କୁ ପୃଥକ୍ ପୃଥକ୍ ଜାଗାରେ ରଖି ଜେରା କରିବା ପରେ ସମସ୍ତ ୩ଜଣ ବନ୍ଧୁକ ତିଆରି କାର୍ଯ୍ୟରେ ନିୟୋଜିତ ଥିବା ସତ ମାନିଛନ୍ତି । ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟଚାଲାଣ କରାଯାଇଥିବା ଶରଣକୁଳ ଥାନା ଦାୟିତ୍ୱରେ ଥିବା ଓଡ଼ଗାଁ ଆଦର୍ଶ ଥାନା ଅଧିକାରୀ ଅଭୟ କୁମାର ବେହେରା ସୂଚନା ଦେଇଛନ୍ତି । ଚଢ଼ଉରେ ଶରଣକୁଳ ପୁଲିସ କର୍ମଚାରୀମାନେ ସାମିଲ୍ ଥିଲେ ।

Leave a Reply

Your email address will not be published. Required fields are marked *