ଆଳି ପୋଲିସର ନିଷ୍କ୍ରୀୟତା ବିରୁଦ୍ଧରେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

କେନ୍ଦ୍ରାପଡ଼ା, ୨୧/୦୫/୨୦୨୫(ଓଡ଼ିଶା ସମାଚାର)- ଜୀବନରୁ ମାରିଦେବା ପାଇଁ ହୋଇଥିବା ଷଡ଼ଯନ୍ତ୍ର ଏବଂ ବାରମ୍ବାର ଆକ୍ରମଣ ଘଟଣାରେ ଆଳି ପୋଲିସର ନିଷ୍କ୍ରିୟତା ବିରୁଦ୍ଧରେ ବୁଧବାର ଅନିର୍ଦ୍ଧିଷ୍ଟ କାଳ ପାଇଁ କେନ୍ଦ୍ରାପଡା ଏସ.ପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ ସାମ୍ବାଦିକ ଦୁଷ୍ମନ୍ତ ଆଚାର୍ଯ୍ୟ । ଶ୍ରୀ ଆଚାର୍ଯ୍ୟଙ୍କ ଉପରେ ହୋଇଥିବା ଆକ୍ରମଣ ଏବଂ ଜୀବନରୁ ମାରିଦେବାକୁ ହୋଇଥିବା ଷଡଯନ୍ତ୍ରରେ ଆଳି ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ହାତ ଥିବା ନେଇ କେନ୍ଦ୍ରାପଡା ଏସ.ପିଙ୍କୁ ଲିଖିତ ଭାବେ ଶ୍ରୀ ଆଚାର୍ଯ୍ୟ ପୂର୍ବରୁ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ଉପରେ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ସେ ଧାରଣା ଦେଇଥିବା କହିଛନ୍ତି ।

ଅଭିଯୋଗ ଅନୁଯାୟୀ ଆଳି ପୋଲିସକୁ ଦୁଷ୍ମନ୍ତ ପ୍ରଦାନ କରିଥିବା ସମସ୍ତ ପ୍ରମାଣ ଗୁଡ଼ିକୁ ଆଧାର କରି ସଠିକ୍ ଦଫା ଲଗାଇବା, ନିରପେକ୍ଷ ଓ ସଠିକ୍ ତଦନ୍ତ କରି ଦୋଷୀ ମାନଙ୍କ ବିରୁଦ୍ଧରେ ତୁରନ୍ତ ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା, ସାମ୍ବାଦିକ ଦୁଷ୍ମନ୍ତଙ୍କୁ ଜୀବନରୁ ମାରିବା ପାଇଁ ହୋଇଥିବା ଷଡଯନ୍ତ୍ରରେ ଆଳି ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ପଣ୍ଡାଙ୍କ ଭୂମିକା ଥିବାରୁ ଦୁଷ୍ମନ୍ତ ଦାଖଲ କରିଥିବା ପ୍ରମାଣ ଅନୁଯାୟୀ ଶ୍ରୀ ପଣ୍ଡାଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବା, ଦୁଷ୍ମନ୍ତଙ୍କ ନାମରେ ହୋଇଥିବା ମିଛ ମାମଲା ଗୁଡ଼ିକର ନିରପେକ୍ଷ ତଦନ୍ତ କରାଯିବା,ଦୁଷ୍ମନ୍ତ ଓ ତାଙ୍କ ପରିବାର ପରିଜନଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କ ପରିବାରକୁ ଆଇନଗତ ସୁରକ୍ଷା ପ୍ରଦାନ କରାଯିବା, ଦୁଷ୍ମନ୍ତଙ୍କୁ ଫୋନ୍ ମାଧ୍ୟମରେ ଧମକ ଦେଇଥିବା ସମସ୍ତଙ୍କୁ ପକ୍ଷଭୁକ୍ତ କରିବା, ଦୁଷ୍ମନ୍ତଙ୍କ ହତ୍ୟା ଷଡଯନ୍ତ୍ରକରୀଙ୍କୁ ଅଭିଯୁକ୍ତ ଭାବେ ଅଭିଯୋଗରେ ଯୋଡିବା, ଆଳି ଥାନାର ଯେଉଁ ଅଧିକାରୀ ମାନେ ଆଇନର ରକ୍ଷକ ହୋଇ ମଧ୍ୟ କାର୍ଯ୍ୟରେ ଅବହେଳା ପୂର୍ବକ ଦୁଷ୍ମନ୍ତଙ୍କ ଜୀବନକୁ ବିପଦରେ ପକାଇ ତାଙ୍କୁ ମାନସିକ ଯନ୍ତ୍ରଣା ଦେବା ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆଦି ଆଠ ଦଫା ଦାବିକୁ ନେଇ ଦୁଷ୍ମନ୍ତ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଥିଲେ ।

ଆଜିର ଧାରଣାରେ ଦୁଷ୍ମନ୍ତ ଆଚାର୍ଯ୍ୟଙ୍କୁ ଏସ.ପି ଏବଂ ଅତିରିକ୍ତ ଏସ.ପି ବୁଝାସୂଝା କରିବା ସହିତ ଆଳି ବିଜେପି ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡାଙ୍କୁ ଡକାଇ ପୁଙ୍ଖାନୁପୁଙ୍ଖ ଭାବେ ସମସ୍ତ ଅଭିଯୋଗ ଏବଂ ଦାବି ସମ୍ବନ୍ଧରେ ଆଲୋଚୋନା କରିଥିଲେ । ଦୁଷ୍ମନ୍ତଙ୍କ ବାବି ମୁତାବକ ତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରି ଥିବା ଆଳି କଳସପୁର ଗ୍ରାମର ସମ୍ବିତ ନାୟକ ଓ ମହୁ ଗ୍ରାମର ଦେବପ୍ରସାଦ ନନ୍ଦ ଓରଫ ବାପୁଜୀ ଦୁଇଜଣଙ୍କ ସମେତ ଆହୁରି ଚାରିଜଣ ନରେନ୍ଦ୍ରପୁର ପାଖରେ ଜଗିଥିବା ନେଇ କେନ୍ଦ୍ରାପଡା ଏସ.ପି ଏବଂ ଅତିରିକ୍ତ ଏସ.ପିଙ୍କ ସମ୍ମୁଖରେ ଶ୍ରୀ ପଣ୍ଡା ସ୍ୱୀକାର କରିଥିଲେ । ଏଥିସହିତ ଦୁଷ୍ମନ୍ତଙ୍କୁ ଫୋନ୍ ଯୋଗେ ମିଳିଥିବା ଧମକ କ୍ଷେତ୍ରରେ ଏ ସମସ୍ତ ବ୍ୟକ୍ତି ଶ୍ରୀ ପଣ୍ଡାଙ୍କ ଖାସ ଅନୁଗତ ହୋଇଥିବାରୁ ସେହି ବ୍ୟକ୍ତି କିମ୍ବା ତାଙ୍କ ଦଳର କୌଣସି ବ୍ୟକ୍ତି ଦୁଷ୍ମନ୍ତଙ୍କ ଉପରେ ଆକ୍ରମଣ କରିବେ ନାହିଁ ବୋଲି ଶ୍ରୀ ପଣ୍ଡା ଦୃଢୋକ୍ତିର ସହିତ ପ୍ରତିଶ୍ରୁତି ଦେଇଥିଲେ ।

ଯଦି ଏହି ଗ୍ୟାଙ୍ଗର କୌଣସି ବ୍ୟକ୍ତି ଦୁଷ୍ମନ୍ତଙ୍କୁ ଆକ୍ରମଣ କରନ୍ତି ତେବେ ଶ୍ରୀ ପଣ୍ଡାଙ୍କ ନାମରେ ଅଭିଯୋଗ ପଞ୍ଜିକୃତ ହେବ ବୋଲି ଶ୍ରୀ ପଣ୍ଡା ପ୍ରତିଶ୍ରୁତି ଦେଇଥିଲେ । ଏ ବାବଦରେ କେନ୍ଦ୍ରାପଡା ଏସ.ପି ମଧ୍ୟ ଦୁଷ୍ମନ୍ତଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ସେହି ଗ୍ୟାଙ୍ଗର ଯଦି କୌଣସି ବ୍ୟକ୍ତି ଦୁଷ୍ମନ୍ତଙ୍କୁ ଆକ୍ରମଣ କରନ୍ତି ତେବେ ଦୁଷ୍ମନ୍ତଙ୍କୁ ଫୋନ ମାଧ୍ୟମରେ ଧମକ ଦେଇଥିବା ବ୍ୟକ୍ତି ଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଦୁଷ୍ମନ୍ତ କରିଥିବା ଅଭିଯୋଗ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଆଳି ପୋଲିସକୁ ଏସପି ନିର୍ଦ୍ଧେଶ ଦେଇଛନ୍ତି ।

ଏ ବାବଦରେ ଧାରଣା କାରୀ ଦୁଷ୍ମନ୍ତଙ୍କୁ ପଚାରିବାରୁ ସେ କହିଛନ୍ତି ଜିଲା ପ୍ରଶାସନ ଓ ଆଳି ବିଜେପି ବିଧାୟକ ଦେଇଥିବା ପ୍ରତିଶ୍ରୁତି ଯଦି ପାଳନ ନହୁଏ କିମ୍ବା ଆଳି ପୋଲିସ ଯଦି ସଠିକ୍ ପଦକ୍ଷେପ ନନିଅନ୍ତି ତେବେ ଆଗାମୀ ଦିନରେ ଆବଶ୍ୟକ ଆଇନ ସଙ୍ଗତ ପଦକ୍ଷେପ ନେବେ ବୋଲି କହିବା ସହିତ ଜିଲା ପ୍ରଶାସନର ପ୍ରତିଶ୍ରୁତି ଉପରେ ଭରଷା ରଖିବା ସହିତ ଏକ ଲିଖିତ ଦାବିପତ୍ର ପ୍ରଦାନ କରି ଏହି ଧାରଣା ପ୍ରତ୍ୟାହୃତ କରିଛନ୍ତି । ଧାରଣାକାରୀ ଦୁଷ୍ମନ୍ତଙ୍କ ଧାରଣାକୁ ସମର୍ଥନ କରି ସୁବାସ ସ୍ୱାଇଁ, ନିରଞ୍ଜନ ପରିଡ଼ା , କମଳଲୋଚନ ଗିରି, ରାଜ୍ୟ ସାମ୍ବାଦିକ ସଂଘ କେନ୍ଦ୍ରାପଡା ଜିଲା ଶାଖାର ସଭାପତି ଦୈତାରି ଜେନାଙ୍କ ସମେତ ପ୍ରଫୁଲ୍ଲ କୁମାର ମଲ୍ଲ , ତ୍ରିଲୋଚନ ବେହେରା, ସର୍ବେଶ୍ୱର ମଲ୍ଲିକ ପ୍ରମୁଖ ବହୁ ସାମାଜିକ କର୍ମୀ ଏବଂ ସାମ୍ବାଦିକ ମାନେ ଧାରଣାରେ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *