ଗୋଟିଏ ଗର୍ଭବତୀ ଗାଈ ଓ ଗୋଟିଏ ବାଛୁରୀ ମୃତ, ଦୁଇଟି ଗାଈ ଅର୍ଦ୍ଧ ଦଗ୍ଧ
ଗରଦପୁର, ୧୬/୦୭/୨୦୨୫ (ଓଡ଼ିଶା ସମାଚାର)- ଗତକାଲି ବିଳମ୍ବିତ ରାତିରେ ତଳକୁସୁମା ପଂଚାୟତ ବଙ୍ଗାରୀ ଗ୍ରାମରେ ଅଗ୍ନୀକାଣ୍ଡ ଘଟିଛି । ଏହି ଅଗ୍ନୀ କାଣ୍ଡରେ ଗ୍ରାମର ରୁଷ ସ୍ୱାଇଁଙ୍କର ଦୁଇ ବଖରା ଘର ପୋଡ଼ି ପାଉଁଶ ହେବା ସହିତ ଗୁହାଳେ ବନ୍ଧା ହୋଇଥିବା ଗୋଟିଏ ଗର୍ଭବତୀ ଗାଈ, ଗୋଟିଏ ବାଛୁରୀ ପୋଡ଼ି ହୋଇ ଗୃତ୍ୟୁ ବରଣ କରିଛନ୍ତି ଓ ଅନ୍ୟ ଦୁଇ ଗୋଟି ଗାଈ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ରହିଛନ୍ତି ।
ମଶାପାଇଁ ଗୁହାଳ ଘରେ ଦିଆଯାଇଥିବା ଧୂଆଁ ରୁ ଗୁହାଳ ଘରେ ରଖାଯାଇଥିବା ଘଷି ଗଦାରେ ନିଆଁ ଲାଗି ଯିବାରୁ ଏଭଳି ଅଗ୍ନୀକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । କୋରୁଆ ଠାରେ ଥିବା ଦମକଳ ବାହିନୀ ପହଂଚିଥିଲେ ସୁଦ୍ଧା ସେତେବେଳେକୁ ସବୁ ଜଳି ପୋଡ଼ି ଯାଇଥିଲା । ବିଳମ୍ବିତ ରାତିରେ ଅଗ୍ନୀକାଣ୍ଡ ଘଟିଥିବାରୁ ସମସ୍ତେ ନିଘୋଡ଼ ନିଦରେ ଶୋଇଯାଇଥିବାରୁ ଗାଈ ଗୁଡ଼ିକୁ ମଧ୍ୟ ଉଦ୍ଧାର କରିବା ସମ୍ଭବ ହୋଇ ପାରିନାହିଁ ।
ଆଜି ତଳକୁସୁମା ରାଜସ୍ୱ ନିରୀକ୍ଷକ ପହଂଚି କ୍ଷୟକ୍ଷତିର ଆକଳନ କରିଛନ୍ତି । ସେହିପରି ଗରଦପୁର ପ୍ରାଣୀଧନ ବିଭାଗର ଡ଼ାକ୍ତର ଜ୍ୟୋତିଦୀପ୍ତ ମହାନ୍ତି ଅର୍ଦ୍ଧ ଦଗ୍ଧ ଗାଈ ର ଚିକିତ୍ସା କରିବା ସହିତ ମୃତ ଗାଈ ଓ ବାଛୁରୀ ର ବ୍ୟବଛେଦ ପାଇଁ ନେଇଥିଲେ । ଅଗ୍ନୀକାଣ୍ଡରେ କ୍ଷତିଗ୍ରସ୍ତ ରୁଷ ସ୍ୱାଇଁ ଜଣେ ଗରୀବ ଲୋକ ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସରପଂଚ ପ୍ରଭାତନଳିନୀ ଜେନା ଓ ପୂର୍ବତନ ସରପଂଚ ଅଶୋକ କୁମାର ଜେନା କେନ୍ଦ୍ରାପଡ଼ା ଜିଲାପାଳଙ୍କୁ ନିବେଦନ କରିଛନ୍ତି । ଏହି ଖବର ପାଇ ସମାଜସେବୀ ପ୍ରାଧ୍ୟାପକ ଅଜୟ କୁମାର ରାଉତ ବଙ୍ଗାରୀ ଗ୍ରାମରେ ପହଂଚି ପୋଡ଼ି ପାଉଁଶ ହୋଇଥିବା ଗୁହାଳ ଘର, ମୃତ ଓ ଆହତ ଗାଈ ମାନଙ୍କୁ ଦେଖିବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।
