ଗ୍ରାମ୍ୟ ଉନ୍ନୟନ ବିଭାଗର ବେପରୁଆ ମନୋଭାବ : କେବେ ହେବ ରାସ୍ତା ମରାମତି

ସାଲେପୁର ୦୭/୧୧/୨୦୨୫ ( ଓଡିଶା ସମାଚାର/ ଅଭୟ ଜେନା )-ସାଲେପୁର ବ୍ଲକ ଅଂଚଳ ରେ ଗ୍ରାମ୍ୟ ଉନ୍ନୟନ ବିଭାଗ  ଦ୍ୱାରା ପରିଚାଳିତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ରେ ନିର୍ମିତ ରାସ୍ତା ଗୁଡିକ ରାକ୍ଷଣବେକ୍ଷଣ ଅଭାବରୁ ବର୍ଷା ଋତୁ ରେ ଶୋଚନୀୟ ହୋଇପଡିଛି । ସେହି ରାସ୍ତା ଗୁଡିକ ମଧ୍ୟରୁ ମାଛୁଆତି-ପୁରୁଷୋତ୍ତମ ପୁର, ନଈଗୁଆଁ ଓ ବଲ୍ଲଭ ପୁର ଠାରେ ଢ଼ଳେଇ କରାଯାଇଥିବା ରାସ୍ତା ପ୍ରୟ ୧୦୦ମିଟର ରୁ ଉର୍ଦ୍ଧ ରାସ୍ତା ଫାଟି ମଝିରେ ଆଁ କରିଛି ।ଏହି ରାସ୍ତାଟିର ବିଭାଗୀୟ ପ୍ୟାକେଜ ନଂ-ଓ. ଆର. ୦୭. ୨୯୬/ଫେଜ-୨ ଅଟେ । ଅନେକ  ସ୍ଥାନରେ ପିଚୁ ଉଠି ଗଲାଣି, ଦୁଇ ପାର୍ଶ୍ଵ ଅନାବନା ଗଛରେ ପରିପୂର୍ଣ୍ଣ ହୋଇଛି ।

ନିକଟରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ନଈଗୁଆଁ ଗ୍ରାମ ପଂଚାୟତ ଜନସମ୍ପର୍କ ଯାତ୍ରାରେ ଆସିଥିବା ବେଳେ ବଲ୍ଲଭପୁର ଠାରେ ଢ଼ଳେଇ ରାସ୍ତା ଫାଟିବା ଓ ନଈଗୁଆଁ, ପୁରୁଷୋତ୍ତମ ପୁର ଠାରେ ରାସ୍ତାରୁ ପିଚୁ ଉଠିଯିବା ସମ୍ପର୍କ ରେ ଗ୍ରାମ ବାସୀ ମାନେ ଅଭିଯୋଗ କରିଥିଲେ । ୨ବର୍ଷ ହେଲାଣି  ଠିକାଦାର ରାକ୍ଷଣବେକ୍ଷଣ କାର୍ଯ୍ୟ କରୁନାହାନ୍ତି, ଯାହାଫଳରେ ଯାତାୟାତ ରେ ବହୁ ଅସୁବିଧା ଦେଖାଦେଇଛି ।ଏ ସମ୍ପର୍କରେ ସାଲେପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ର ପଦସ୍ତ ଅଧିକାରୀଙ୍କୁ ବିଧାୟକ ଶ୍ରୀ ପ୍ରଶାନ୍ତ ବେହେରା ମରାମତି ପାଇଁ ଧ୍ୟାନ ଦେବାକୁ ନିର୍ଦେଶ ଦେଇଥିଲେ । ସେହିପରି ଆର. ଡି ଅଫିସ ଠାରୁ ମାଛୁଆତି ଛକ ପର୍ଯ୍ୟନ୍ତ ଢ଼ଳେଇ ଉଠି ଯାଇଛି । ଠିକାଦାର ମଧ୍ୟ ୨ ବର୍ଷ ହେଲା ମରାମତି ନକରିବାରୁ ଏଭଳି ଶୋଚନୀୟ ଅବସ୍ଥାରେ ରାସ୍ତାଟି ରହିଛି । ସାଧାରଣ ଜନତା ଙ୍କ ଗମନାଗମନ ସୁବିଧା ପାଇଁ ଯୁଦ୍ଧ କାଳୀନ  ଭିତ୍ତିରେ ମରାମତି କରିବାକୁ ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଞ୍ଜନ ମହାନ୍ତି ଦୃଢ଼ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *