ଅରଡା ଗ୍ରାମରୁ ୨ କେଜି ରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ। ଯୁବକ ଗିରଫ।।

ଜଗତସିଂହପୁର,୨୪/୦୯/୨୦୨୬ (ଓଡ଼ିଶା ସମାଚାର)-୨୪ ତାରିଖ ପ୍ରାୟ ସକାଳ ୯ଟା ପାଖାପାଖି ତିର୍ତ୍ତୋଲ ଥାନା ଅନ୍ତର୍ଗତ ଅରଡା ଗ୍ରାମରେ ଚଢଉ କରି ୨କେଜି ୧୦୦ ଗ୍ରାମର ଗଞ୍ଜେଇ ଜବତ କରିଛି ତିର୍ତ୍ତୋଲ ଅବକାରୀ ଥାନା ଯାହାର ଆନୁମାନିକ ମୂଲ୍ୟ ୨୧,୦୦୦/- ଟଙ୍କା ହେବ। ଏକ ଗୁଇନ୍ଦା ଖବରକୁ ଭିତ୍ତି କରି ତିର୍ତ୍ତୋଲ ଅବକାରୀ ଥାନାର ସବ୍ଇନ୍ସପେକ୍ଟର ରବି ବେହେରାଙ୍କ ନେତୃତ୍ବରେ ଏକ ଟିମ ବୁଧବାର ସକାଳେ ଅରଡା ଗ୍ରାମରେ ଚଢଉ କରିଥିଲା।

ସନ୍ଦିଗ୍ଧ ଜଣକ କୌଣସି ସୂତ୍ରରୁ ଖବର ପାଇ ଗଞ୍ଜେଇ ବ୍ୟାଗକୁ ନେଇ ଖସିପଳାଇବାକୁ ଚେଷ୍ଟା କରୁଥିବାବେଳେ ଅବକାରୀ ବିଭାଗର କର୍ମଚାରୀମାନେ ତାଙ୍କୁ ପିଛା କରିବା ପରେ ଅରଡା ଠାରେ କାବୁ କରିନେଇଥିଲେ। ଯାଞ୍ଚ ପରେ ତାଙ୍କ ନିକଟରୁ ୨କେଜି ୧୦୦ ଗ୍ରାମର ଗଞ୍ଜେଇ ଜବତ କରାଯାଇଥିଲା। ଅଭିଯୁକ୍ତ ଜଣକ ହେଲେ ବାଲିସାହି ଗ୍ରାମର ଟହଲି ନାଥଙ୍କ ପୁଅ ଅକ୍ଷୟ କୁମାର ନାଥ। ତାଙ୍କ ବିରୁଦ୍ଧରେ ଏନ୍ ଡି ପି ଏସ୍ ଆକ୍ଟ ୧୯୮୫ ଅନୁସାରେ ତିର୍ତ୍ତୋଲ ଅବକାରୀ ଥାନା କେସ୍ ନଂ ୭୨୵୨୦୨୬-୨୭ ରେ ମାମଲା ରୁଜ୍ଜୁ କରାଯାଇ ଜଗତସିଂହପୁର ଜିଲ୍ଲା ଦୌରାଜଜ ଙ୍କ କୋର୍ଟ କୁ  ଚାଲାଣ କରାଯାଇଥିବାବେଳେ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୧୪ ଦିନିଆ ବିଚାର ବିଭାଗିୟ ହାଜତକୁ ପଠାଯାଇଛି। ଏହି ଅଭିଯାନରେ ତିର୍ତ୍ତୋଲ ଅବକାରୀ ଥାନାର କନଷ୍ଟେବଳ ଦିନବନ୍ଧୁ ସେଠୀ, ବର୍ଷାରାଣୀ ଖୁଣ୍ଟିଆ ପ୍ରମୁଖ ସାମିଲ ଥିଲେ।

ଜିଲ୍ଲା ଅବକାରୀ ବିଭାଗ ନର୍କୋଟିକ୍ସ ବ୍ୟବସାୟ ବିରୋଧରେ ଆହୁରି କଠୋର ଅଭିଯାନ ଚାଲାଇବାକୁ ସଂକଳ୍ପବଦ୍ଧ ଥିବାର ପ୍ରକାଶ କରିଛନ୍ତି ଅବକାରୀ ଅଧିକ୍ଷିକା ଶ୍ରୀମତି ଅନିତା ପ୍ରଧାନ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *