ନିଯୁକ୍ତି ଭିତ୍ତିକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

ଯାଜପୁର,୧୨/୦୭/୨୦୨୫ (ଓଡ଼ିଶା ସମାଚାର)- ଆଜି ଅପରାହ୍ନରେ ସୁକିନ୍ଦା ବ୍ଲକ ଅନ୍ତର୍ଗତ ସୁକିନ୍ଦା ମହାବିଦ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଯୁକ୍ତି ଭିତ୍ତିକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ  ମାନ୍ୟବର ସମବାୟ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ ବଳ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ମାନ୍ୟବର ମନ୍ତ୍ରୀ କହିଥିଲେ ଯେ ନିକଟ ଅତୀତରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଜିଲ୍ଲା ଗସ୍ତରେ ଆସି ଶିଳ୍ପର ସହର କଳିଙ୍ଗ ନଗର ଠାରେ ବିଭିନ୍ନ ଶିଳ୍ପ ପ୍ରକଳ୍ପଗୁଡ଼ିକର ଉଦଘାଟନ ସହ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ।

ଏହା ଦ୍ବାରା ଆମ ଜିଲ୍ଲାର ନିଯୁକ୍ତିର ସମ୍ଭାର ସୃଷ୍ଟି ହେଉଛି। ଜିଲ୍ଲାପ୍ରଶାସନ ଏବଂ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସହାୟତାରେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୭,୦୦୦ରୁ ଉର୍ଦ୍ଧ୍ବ ଆଶାୟୀ ଯୁବକ ଯୁବତୀମାନଙ୍କୁ ବିଭିନ୍ନ ଲବ୍ଧ ପ୍ରତିଷ୍ଠିତ ସଂସ୍ଥା ଦ୍ଵାରା ତାଲିମ ପ୍ରଦାନ କରାଯାଇ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ପ୍ରଦାନ କରାଯିବ। ଏହି ଅବସରରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ କହିଥିଲେ ଯେ ଆଜିର କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ଜିଲ୍ଲାର ଆଶାୟୀ ଯୁବକ ଓ ଯୁବତୀମାନଙ୍କୁ ଦେଶର ପ୍ରତିଷ୍ଠିତ ସଂସ୍ଥା ଏବଂ ଅନୁଷ୍ଠାନ ଅଧୀନରେ ତାଲିମ ପ୍ରଦାନ କରି ସେମାନଙ୍କ ଦକ୍ଷତା ବୃଦ୍ଧି କରିବା ସହ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ପ୍ରଦାନ କରିବା।

ସଭା ଆୟୋଜନ ଆରମ୍ଭରେ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କୁମାର ବେହୁରିଆ ଯୋଗ ଦେଇ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସୁକିନ୍ଦା ବିଡ଼ିଓ ପ୍ରଜ୍ଞା ପରିମିତା ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ।   ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଟିମ୍ ଲିଡର ଡ଼ଃ . ସତ୍ୟ ସ୍ୱରୂପ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ସ୍କିଲ୍ କାଉନସିଲ୍ ଅଫ୍ ମାଇନିଙ୍ଗ ସେକ୍ଟର୍ (SCMS), ସିଟିଟିସି, ସିପେଟ୍, ଓକେଶିଏଲ୍ ଆଦି ପ୍ରତିଷ୍ଠିତ ସଂସ୍ଥା ଏବଂ ଅନୁଷ୍ଠାନଗୁଡ଼ିକ ସେମାନଙ୍କ ଦକ୍ଷତା କାର୍ଯ୍ୟକ୍ରମ ଗୁଡ଼ିକ ଉପରେ  ବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ, ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ବି.ଡ଼ି.ଓ, ସୁକିନ୍ଦା, ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସମେତ ଦକ୍ଷତା ବିକାଶ ସଂସ୍ଥା ଏବଂ ବହୁ ଯୁବକ ଓ ଯୁବତୀମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *