ଉପଜିଲ୍ଲାପାଳ ଙ୍କ ନିର୍ଦେଶ କୁ ତହସିଲଦାର ଙ୍କ ଖାତିର ନାହିଁ

ହଇରାଣ ହରକତ ହେଉଛନ୍ତି ବୃଦ୍ଧା

ନିଶ୍ଚିନ୍ତକୋଇଲି,୧୬/୦୬/୨୦୨୫(ଓଡିଶା ସମାଚାର /ଅଭୟ ଜେନା ) – ଉପଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କୁ କାର୍ଯ୍ୟକାରୀ କରୁନାହାଁନ୍ତି ତହସିଲଦାର। ଆଦେଶ ନାମାର ୬ ମାସ ପରେ ବି କାର୍ଯ୍ୟକାରୀ କରୁନାହାନ୍ତି ସଂପୃକ୍ତ ତହସିଲଦାର। ଏଭଳି ବେଖାତିର ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ତହସିଲ କାର୍ୟ୍ୟାଳୟ ରେ ।

ଏହି ତହସିଲ ଅନ୍ତର୍ଗତ ଜନାର୍ଦ୍ଦନ ପୁର ପଞ୍ଚାୟତ ତିଳଦା ଗ୍ରାମରେ ଜନୈକ ଅସହାୟା ୮୦ ବର୍ଷୀୟା ବୃଦ୍ଧା ଶୈଳବାଳା ମିଶ୍ର ନିଜେ ବସବାସ କରୁଥିବା ଆଜବେଷ୍ଟସ ଘର ଉପରେ ପଡୋଶୀ ସୁଦର୍ଶନ ମିଶ୍ର ଙ୍କର ଗୋଟିଏ ନଡିଆ ଓ ଗୋଟିଏ ଆମ୍ବ ଗଛ ଓହଳି ରହିଥି ବାରୁ ନଡ଼ିଆ ଓ ବାଉଙ୍ଗା ପଡ଼ି ଆଜବେଷ୍ଟସ ବାରମ୍ବାର ଭାଙ୍ଗି ଯାଉଛି । ବର୍ଷା ହେତୁ ଘର ଭିତରେ ପାଣିର ଲହଡ଼ି ଖେଳୁଛି ଏବଂ ବୃଦ୍ଧା ଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବାରୁ କଟକ ଉପଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରିଥିଲେ।

ଉକ୍ତ ଅଭିଯୋଗକୁ ଭିତ୍ତି କରି ଉପଜିଲ୍ଲାପାଳ ନେମାଳ ପୋଲିସ ଏବଂ ନିଶ୍ଚିନ୍ତକୋଇଲି ତହସିଲଦାର ଙ୍କୁ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଧେଶ ଦେଇଥିଲେ। ଉଭୟ ତଦନ୍ତ ରିପୋର୍ଟରେ ବୃଦ୍ଧାଙ୍କ ଜୀବନ ପ୍ରତି ବିପଦ ଥିବା କଥା ଉପଜିଲ୍ଲାପାଳ ଙ୍କୁ ଜଣାଇ ଦିଆଯାଇଥିଲା।

ଉକ୍ତ ରିପୋର୍ଟ କୁ ଭିତ୍ତି କରି ଉପଜିଲ୍ଲାପାଳ ଗତ ବର୍ଷ (୨୦୨୪ ) ଡିସେମ୍ବର ୨୦ ତାରିଖ ରେ ନଡ଼ିଆ ଓ ଆମ୍ବ ଗଛ କାଟିଦେବାକୁ ନିଶ୍ଚିନ୍ତକୋଇଲି ତହସିଲଦାର ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଇତି ମଧ୍ୟରେ ୬ ମାସ ବିତିଯାଇଥିଲେ ମଧ୍ୟ ଉପଜିଲ୍ଲାପାଳ ଙ୍କ ନିର୍ଦ୍ଧେଶ ଅନୁସାରେ ଅଦ୍ୟାବଧି ତହସିଲ କର୍ତୃପକ୍ଷ ଉଭୟ ଗଛ ନ କାଟି ଟାଳ ଟୁଳ ନୀତି ଅବଲମ୍ବନ କରିବା ସହ ସମୟ ଗଡାଇ ଚାଲିଥିବା ଅଭିଯୋଗ କରିଛନ୍ତି ବୃଦ୍ଧା ଶୈଳବାଳା ଓ ତାଙ୍କ ସାନଭାଇ । ଦେଖିବାକୁ ବାକି ରହିଲା, କେବେ ତହସିଲଦାର, ଉପଜିଲ୍ଲାପାଳ ଙ୍କ ନିର୍ଦେଶ ମୁତାବକ ଉଭୟ ଗଛକୁ କଟାଇ ବୃଦ୍ଧାଙ୍କୁ ନ୍ୟାୟ ପ୍ରଦାନ କରୁଛନ୍ତି ।

Leave a Reply

Your email address will not be published. Required fields are marked *