ରୋଗୀ ସଂଖ୍ୟାରେ କ୍ରମଶଃ ହ୍ରାସ – ବ୍ୟାପକ ସଚେତନତା, ପରୀକ୍ଷଣ ଓ ଚିକିତ୍ସାକୁ ଗୁରୁତ୍ୱ
ଭୁବନେଶ୍ୱର,୧୭/୦୬/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଯାଜପୁର ସମେତ କେନ୍ଦୁଝର, ଭଦ୍ରକ, କଟକ, ଢେଙ୍କାନାଳ ଜିଲ୍ଲାରେ ଦେଖାଦେଇଥିବା ଡାଇରିଆ ସ୍ଥିତି ଓ ଏହାର ପ୍ରତିକାରାତ୍ମକ ପଦକ୍ଷେପ ସଂପର୍କରେ ସମୀକ୍ଷା କରିଥିଲେ। ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀଅଶ୍ୱତୀ ଏସ ସ୍ଥିତି ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଉପରୋକ୍ତ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ଯୋଗଦେଇ ନିଜ ନିଜ ଜିଲ୍ଲାର କ୍ଷେତ୍ରସ୍ତରୀୟ ସ୍ଥିତି ଜଣାଇଥିଲେ ।
ସ୍ୱାସ୍ଥ୍ୟ ସଚିବ ଜଣାଇଥିଲେ ଯେ, ଡାଇରିଆ ସ୍ଥିତିର ପୂର୍ଣ୍ଣ ନିୟନ୍ତ୍ରଣ ପାଇଁ ପ୍ରତିରୋଧ, ପରୀକ୍ଷଣ ଓ ପ୍ରତିଷେଧକ ବ୍ୟବସ୍ଥା ସହ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି। ବେସରକାରୀ ଓ ସରକାରୀ କୂପ ଆଦିକୁ ନିୟମିତ ଭାବେ ବିଶୋଧନ କରାଯାଉଛି। ରୋଗୀମାନଙ୍କ ସଂଖ୍ୟାରେ ହ୍ରାସ ଘଟିଛି । ଏବେ ଯେଉଁ ରୋଗୀମାନେ ଆସୁଛନ୍ତି, ସେମାନଙ୍କର ରୋଗର ଲକ୍ଷଣ ସାମାନ୍ୟ ରହୁଛି । ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଯୋଗୁଁ ସଂକ୍ରମିତ ଲୋକମାନେ ପ୍ରାରମ୍ଭିକ ଅବସ୍ଥାରୁ ହିଁ ଡାକ୍ତରଖାନା ଆସୁଛନ୍ତି, ଯାହା ଡାଇରିଆ ନିୟନ୍ତ୍ରଣ ଦିଗରେ ଏକ ଭଲ ଲକ୍ଷଣ ।
ସେ ଆହୁରି ମଧ୍ୟ ସୂଚନା ଦେଇଥିଲେ ଯେ, ବିଭିନ୍ନ ଡାକ୍ତରଖାନାରେ ନୂଆ ଆଡମିଶନ ହାରରେ କ୍ରମାଗତ ହ୍ରାସ ଘଟିଛି । ଅଦ୍ୟତନ ତଥ୍ୟ ଅନୁସାରେ ପ୍ରଭାବିତ ୫ ଟି ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ଆଜି ୪୨୯ ଜଣ ରୋଗୀ ଆଡମିଶନ ହୋଇଥିବା ବେଳେ ୨୮୪ ଜଣ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି । ତେବେ ବିଗତ ଦିନ ମାନଙ୍କୁ ମିଶାଇ ଆଜି ସୁଦ୍ଧା ସମୁଦାୟ ୩୭୦ ଜଣ ଚିକିତ୍ସାଧିନ ଅଛନ୍ତି । ଯେଉଁମାନେ ସୁସ୍ଥ ହେଉଛନ୍ତି,ସେମାନଙ୍କୁ ଡାକ୍ତରଙ୍କ ବିନା ପରାମର୍ଶରେ ଘରକୁ ଛଡା ଯାଉନାହିଁ। ପୂର୍ଣ୍ଣ ଆରୋଗ୍ୟ ପରେ ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଯ୍ୟ କରାଯାଉଛି । ପରିମଳ ଓ ବିଶୋଧ ନକାର୍ଯ୍ୟକୁ ବ୍ୟାପକ ଭାବେ ଜାରି ରଖିବାକୁ ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦିଆଯାଇଛି।
ମାଇକ୍ ଯୋଗେ ପ୍ରଚାର ପ୍ରସାରକୁ ବ୍ୟାପକ କରାଯାଇଛି। ଆଗାମୀ ୭ରୁ ୧୦ଦିନ ପର୍ଯ୍ୟନ୍ତ ଏହି କାର୍ଯ୍ୟ ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତିଦିନ ରାଜ୍ୟସ୍ତରୀୟ କମିଟି ସ୍ଥିତିର ସମୀକ୍ଷା କରୁଛନ୍ତି। ପ୍ରଭାବିତ ଜିଲ୍ଲାମାନଙ୍କରେ ୨୪ ଘଣ୍ଟିଆ ନିୟନ୍ତ୍ରଣ ଓ ପରିଚାଳନା କକ୍ଷ କାର୍ଯ୍ୟକରୁଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଟିମ ବିଭିନ୍ନ ଜିଲ୍ଲା ଗସ୍ତକରି ଏହା ମହାମାରୀ ନୁହେଁ ବୋଲି କରିଛନ୍ତି ।ଦେଖା ଦେଇଥିବା ଡାଇରିଆ ଗୋଟିଏ ଅଂଚଳରୁ ଅନ୍ୟ ଅଂଚଳକୁ ସଂକ୍ରମିତ ହୋଇନାହିଁ । ଏହା ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଭାବେ ଦେଖାଦେଇଛି । ବର୍ଷାଦିନେ ଜଳବାହିତ ରୋଗ ହୋଇଥାଏ। ତେଣୁ ପ୍ରଭାବିତ ୫ଟି ଜିଲ୍ଲା ସମେତ ଅନ୍ୟ ସମସ୍ତ ଜିଲ୍ଲାକୁ ସ୍ୱାସ୍ଥ୍ୟ ସତର୍କତା ଓ ସଚେତନତା ଅବଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ସ୍ୱାସ୍ଥ୍ୟ ସଚିବ ଆହୁରି ମଧ୍ୟ କହିଛନ୍ତି ଯେ, ହସ୍ପିଟାଲ କୁ ଆସୁଥିବା ପ୍ରତ୍ୟେକ ରୋଗୀଙ୍କ ଯେପରି ଉପଯୁକ୍ତ ଧ୍ୟାନ ଓ ଚିକିତ୍ସା ଦିଆଯିବ, ସେଥିପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ନଦୀ, ନାଳ ଅଂଚଳର ଲୋକମାନେ ଅଧିକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ଜଳ ବିଶୋଧନ କରାଯାଉଥିବା କ୍ଲୋରିନ୍ ରେ ଏହାର ଗୁଣାତ୍ମକମାନ ଅଛି କି ନାହିଁ, ତାହା ବିଶୋଧନ ବେଳେ ଦେଖିବା, ଅଧିକ ଦିନ ହୋଇଥିଲେ ନୂଆ କ୍ରୟ କରିବା ବା ସଂଗ୍ରହ କରିବା ଏବଂ ଯଥେଷ୍ଟ ସଂଖ୍ୟାରେ ଏହା ରଖିବାକୁ ପରାମର୍ଶ ଦିଆଯାଇଛି ।
ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ଜିଲ୍ଲାଓ୍ୱାରୀ ସ୍ଥିତି ସମୀକ୍ଷା କହିଥିଲେ ଯେ,ବିଭିନ୍ନ ଜିଲ୍ଲାରେ ସଂକ୍ରମଣ ମାତ୍ରା କମୁଥିଲେ ମଧ୍ୟ ଆମକୁ ସତର୍କତା ଓ ସଚେତନତା ମୂଳକ କାର୍ଯ୍ୟକ୍ରମ ଜାରି ରହିବାକୁ ପଡ଼ିବ । ଆଗକୁ ମୌସୁମୀ ବର୍ଷାରେ ଜଳ ସଂକ୍ରମଣ ର ସମ୍ଭାବନା ରହିଛି। ଏଥିପାଇଁ ନିୟମିତ ବ୍ୟବଧାନରେ ଜଳ ଉତ୍ସକୁ ବିଶୋଧନ କରିବା,ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ସଂକ୍ରାମକ ରୋଗ କାରଣରୁ ଯେପରି ଜୀବନ ହାନି ନ ଘଟେ, ସେଥିପ୍ରତି ଏହାର ନିରାକରଣ ପାଇଁ ସବୁ ସତର୍କତା, ସଚେତନତା ଓ ପରୀକ୍ଷା ଓ ଚିକିତ୍ସା କୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି। କ୍ଷେତ୍ର ସ୍ତରରେ ସ୍ଥିତି ଅନୁଧ୍ୟାନ କରି ଯାହା ଯାହା ଆବଶ୍ୟକତା ରହୁଛି, ସେଥିପ୍ରତି ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ସବୁ ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦେଇଛନ୍ତି।
ଯାଜପୁର ଜିଲ୍ଲାପାଳ, ଜିଲ୍ଲାରେ ବିଶୋଧନ କାର୍ଯ୍ୟକ୍ରମ, ସୂଚନା, ଶିକ୍ଷା ଓ ଯୋଗାଯୋଗ କାର୍ଯ୍ୟକ୍ରମ ଜାରି ରହିଥିବା, ଗ୍ରାମ ପଞ୍ଚାୟତ ସ୍ତରରେ ଏବଂ ଗାଁକୁ ଗାଁ ଓ ପଡା ଗ୍ରାମରେ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର ପ୍ରସାରକୁ ବ୍ୟାପକ କରାଯାଇଥିବା ପ୍ରକାଶ କରିଥିଲେ । ଆଶା, ଅଙ୍ଗନ ବାଡି,ସ୍ୱାସ୍ଥ୍ୟକର୍ମୀ ମାନେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛନ୍ତି। କେବଳ ଯାଜପୁର ଜିଲ୍ଲାରେ ନୂଆ ଆଡମିଶନ ସଂଖ୍ୟା ୬୪ ଥିବାବେଳେ ସେଥିରୁ ୪୫ଜଣ ସୁସ୍ଥ ହୋଇଛନ୍ତି। ଆଜି ସୁଦ୍ଧା ଏହି ଜିଲ୍ଲା ରେ ୨୧୦ ଜଣ ଚିକିତ୍ସାଧିନ ଅଛନ୍ତି । ଜିଲ୍ଲାରେ ୪୦ଲକ୍ଷ ହାଲୋଜେନ ବଟିକା ଏବଂ ୬ଲକ୍ଷ ଓଆରଏସ୍ ପ୍ୟାକେ ଟବଣ୍ଟନ କରାଯାଇଛି। ୪୦୦ ପ୍ୟାକେଟ୍ ବ୍ଲିଚିଂ ପାଉଡର ଏବଂ ୩ ଲକ୍ଷ ୪୦ ହଜାର ସଂକ୍ରାମକ ରୋଗ ନିରୋଧକ ଔଷଧ-ଡକ୍ସିସାଇକ୍ଲିନ୍ ବଣ୍ଟନ କରାଯାଇଛି।
ସେହିପରି କଟକ, ଭଦ୍ରକ, କେନ୍ଦୁଝର ଓ ଢ଼େଙ୍କାନାଳ ଜିଲ୍ଲାରେ ଡାଇରିଆ ସ୍ଥିତି ସଂପର୍କରେ ଜିଲ୍ଲାପାଳମାନେ ଅବଗତ କରାଇଥିଲେ । ଜଳ ଉତ୍ସ ବିଶୋଧନ କାର୍ଯ୍ୟ, ପ୍ରଚାର ପ୍ରସାର, ପରୀକ୍ଷଣ ଓ ଚିକିତ୍ସା କାର୍ଯ୍ୟକ୍ରମ ବ୍ୟାପକ କରାଯାଇଥିବା ସୂଚନା ଦେଇଥିଲେ। ସମସ୍ତ ଜିଲ୍ଲାରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ କର୍ମଚାରୀମାନେ କୂପ, ନଳକୂପ ବିଶୋଧନ କାର୍ଯ୍ୟ ଆଦି ଜାରି ରଖିଛନ୍ତି। ସମସ୍ତ ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣାଧିନ ରହିଥିବା ବୈଠକରୁ ଜଣାଯାଇଛି।
ପ୍ରକାଶ ଥାଉକି, ଜୁନ୍ ୧୦ ତାରିଖରେ ସମନ୍ୱିତ ରୋଗ ସର୍ବେକ୍ଷଣ କାର୍ଯ୍ୟକ୍ରମ (ଆଇଡିସିଏସପି) ସେଲ ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ଯାଜପୁର ଜିଲ୍ଲାର ବିଭିନ୍ନ ଅଂଚଳରୁ ଦେଖାଦେଇଥିବା ଏବଂଏହାର ସଂଖ୍ୟା ଜାଣିବାକୁ ପାଇଥିଲେ, ଯାହାକି ବିଭିନ୍ନ ସ୍ଥାନୀୟ ଭୋଜିଭାତ ଯୋଗୁଁ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଇଥିଲା ।ଏହା ଜନସାଧାରଣଙ୍କ ପାଇଁ ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ ଅନୁଭବ କରି ସଙ୍ଗେସଙ୍ଗେ ରାଜ୍ୟ ସର୍ଭେଲାନ୍ସ ୟୁନିଟ ତରଫରୁ ସତର୍କତା ଅବଲମ୍ବନ କରିବାକୁ ସୂଚନା ଦିଆଯାଇଥିଲା। ଏହା ଯେପରି ଅଧିକ ନବ୍ୟାପେ, ଠିକ୍ ସମୟରେ ରୋଗୀଙ୍କୁ ଚିକିତ୍ସା ଓ ଜୀବନ ହାନୀ ରୋକିବା ପାଇଁ ସବୁ ପ୍ରକାର ପ୍ରତିକାର ଓ ସଚେତନତା କାର୍ଯ୍ୟକ୍ରମ ବ୍ୟାପକ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ନୂଆ ଆଡମିଶନ ମଧ୍ୟରେ ଆଜି ସକାଳସୁଦ୍ଧା, କେନ୍ଦୁଝର ଜିଲ୍ଲାରେ ୮୨ ଜଣ, ଯାଜପୁର ଜିଲ୍ଲାରେ ୬୪ଜଣ, କଟକ ଜିଲ୍ଲାରେ ୧୪୫ଜଣ, ଢ଼େଙ୍କାନାଳ ଜିଲ୍ଲାରେ ୬୫, ଭଦ୍ରକ ଜିଲ୍ଲାରେ ୭୩ ଏହିପରି ମୋଟ ୪୨୯ଜଣ ଡାଇରିଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ରିପୋର୍ଟ ଅନୁସାରେ ଆଜି ସୁଦ୍ଧା ବିଭିନ୍ନ ଜିଲ୍ଲାରେ ମୋଟ ୧୧ଜଣଙ୍କ ମୃତ୍ୟୁ ଘଟିଛି।
ସଂକ୍ରମିତ ଜଳଉତ୍ସ କିମ୍ବା ସଂକ୍ରମିତ ଖାଦ୍ୟ, ପରିମଳ ବ୍ୟବସ୍ଥାରେ ତ୍ରୁଟି, ଅଧିକ ରୋଗୀ ଦେଖାଦେଇଥିବା ଅଂଚଳରୁ କିମ୍ବା ଏବଂ ଡେରିରେ ପରୀକ୍ଷା ପାଇଁ ରୋଗୀ ଆସୁଥିବା କାରଣରୁ ଏହା ହୋଇଥାଇ ପାରେ ବୋଲି କୁହାଯାଇଛି। ଡାଇରିଆ ସଂକ୍ରମଣକୁ ରୋକିବା ପାଇଁ ବ୍ୟାପକ ସଚେତନତା, ପ୍ରତିଷେଧକ ବ୍ୟବସ୍ଥା, ଜଳଉତ୍ସ ର ବିଶୋଧନ ଆଦି ଯୋଗୁଁ ବିଭିନ୍ନ ଜିଲ୍ଲାରେ ଡାଇରି ଆସଂଖ୍ୟା କମୁଥିବା ପରିଲକ୍ଷିତ ହୋଇଛି ।
-0-
ପଠାଣି ରାଉତ ,ମୁଖ୍ୟ ଶାସନ ସଚିବଙ୍କ ଲୋକସମ୍ପର୍କ ଅଧିକାରୀଙ୍କ ସୌଜନ୍ୟ ରୁ
