ଡାବୁଲୁମାହା ଘାଟିରେ ଅଟୋ ଦୁର୍ଘଟଣାଗ୍ରସ୍ତ: ଗୁରୁତର ବୃଦ୍ଧଙ୍କୁ ଛାଡି ଚାଳକ ଫେରାର

ବାଲିଗୁଡା,୦୯/୦୬/୨୦୨୫ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ଦେଇ ଯାଇଥିବା ୫୯ନଂ ଜାତୀୟ ରାଜପଥର ଡାବୁଲୁମାହା ଘାଟିର ବୁଲାଣି ରାସ୍ତାରେ ଏକ ଅଜଣା ଅଟୋ ଦୁର୍ଘଟଣାଗ୍ରସ୍ତରେ ଜଣେ ଷାଠିଏ ବର୍ଷର ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ଆହତ ବୃଦ୍ଧ ହେଲେ ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ଗ୍ରାମ ବାଲେଶ୍ୱର କହଁର ବୋଲି ଜଣାପଡିଛି।

ପ୍ରକାଶ ଯେ, ବୃଦ୍ଧଙ୍କ ସ୍ବାସ୍ଥ୍ୟ ଖରାପ ରହିଥିବାରୁ ସେ ପବିଙ୍ଗିଆରୁ ଏକ ଅଟୋକୁ ଭଡାସୁତ୍ର ରେ ଦାରିଙ୍ଗବାଡି କୌଣସି ଗାଁ ବୈଦ୍ୟ ନିକଟକୁ ଚିକିତ୍ସା ପାଇଁ ଆସିଥିଲେ। ସେଠାରେ ନିଜର ଚିକିତ୍ସା କରାଇ ପୁଣି ନିଜ ଗାଁକୁ ଉକ୍ତ ଅଟୋରେ ଫେରୁଥିଲେ। ତେବେ ଅଟୋଟି ଦ୍ରୁତ ଗତିରେ ଯାଉଥିବାବେଳେ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା। ତେବେ ରାଜପଥରେ ଯାତାୟାତ କରୁଥିବା ଯାତ୍ରୀମାନେ ଅଟୋକୁ ଉଠାଇ ଠିଆ କରିବା ସହ ପୋଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ହେଲେ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚିଲା ବେଳେ ଅଟୋଟି ଗୁରୁତର ରୋଗୀଙ୍କୁ ଛାଡି ଫେରାର ହୋଇଗଲା। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ ପୋଲିସ ପହଞ୍ଚି ଗୁରୁତର ବାଲେଶ୍ୱରଙ୍କୁ ପ୍ରଥମେ ସିମନବାଡି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା ପରେ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଧିକ ଚିକିତ୍ସା ପାଇଁ ନିଆଯାଇଛି।

Leave a Reply

Your email address will not be published. Required fields are marked *