ଝାରସୁଗୁଡ଼ାରେ ଟ୍ରିପଲ୍ ମର୍ଡର

ଝାରସୁଗୁଡ଼ା, ୦୯/୦୫/୨୦୨୪ (ଓଡ଼ିଶା ସମାଚାର)- ଝାରସୁଗୁଡ଼ାରେ ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ବଣିପାହାଡ଼ ଜଙ୍ଗଲ ପାଖରେ ଏକ କାର୍‌ରେ ମୃତକମାନେ ବସିଥିବା କୁହାଯାଉଛି। ଏହି ସମୟରେ ସେମାନଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବଣିପାହାଡ଼ ଲଖନପୁର ଥାନା ଆଦର୍ଶ ବିଦ୍ୟାଳୟ ଖେଳପଡ଼ିଆ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି।ମୃତକମାନେ ବ୍ରଜରାଜନଗରର ଓରିଏଣ୍ଟ ଥାନା କାଳୀନଗର ଅଞ୍ଚଳର ବୋଲି ଜଣାପଡ଼ିଛି। ବାପା,ମା ଏବଂ ୭ ବର୍ଷର ଝିଅଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ସମସ୍ତଙ୍କ ମୁଣ୍ଡରେ ଗୁଳି ବାଜିଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସ୍ତ୍ରୀ ଏବଂ ଝିଅଙ୍କୁ ଗୁଳି କରିବା ପରେ ସ୍ବାମୀ ଆତ୍ମହତ୍ୟା କରିଥାଇ ପାରନ୍ତି ‌ବୋଲି ସନ୍ଦେହ କରାଯାଉଛି। ମୃତକ ବ୍ରଜରାଜନଗର ଓରିଏଣ୍ଟ ଥାନା ଅର୍ନ୍ତଗତ କାଳୀନଗର ଅଞ୍ଚଳର ସୁଜିତ ରାଏ, ତାଙ୍କ ପତ୍ନୀ ଖୁସ୍‌ବୁ ରାଏ ଓ ଝିଅ ଅର୍ପିତା ରାଏ ବୋଲି ଜଣାପଡ଼ିଛି। ଗୋଟିଏ ପରିବାରର ବାପା , ମାଆ ଏବଂ ଝିଅ ।

ଗୁରୁବାର ସକାଳେ ଖେଳପଡ଼ିଆ ଥିବା କାରରୁ ୩ ଜଣଙ୍କ ଗୁଳିବିନ୍ଧ ଉଦ୍ଧାର କରାଯାଇଥିଲା। କାର୍‌ ଭିତରେ ୩ ଜଣ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ କାର୍ ଡୋର୍ ଲକ୍ ଭାଙ୍ଗି ମୃତଦେହକୁ ‌ଉଦ୍ଧାର କରିଥିଲା। ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍ ଘଟଣାର ତଦନ୍ତ କରୁଛନ୍ତି। କାହିଁକି ବ୍ୟକ୍ତି ଜଣଙ୍କ ଏପରି କଲେ ତାର କାରଣ ଜଣାପଡ଼ିନାହିଁ। କିନ୍ତୁ ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ସୁଜିତ କୌଣସି କଥାକୁ ନେଇ ପ୍ରଥମେ ତାଙ୍କ ପତ୍ନୀ ଓ ଝିଅକୁ ଗୁଳି କରି ହତ୍ୟା କରିବା ପରେ ସେ ନିଜେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛି। ପୁଲିସ କାର ଭିତରୁ ୩ ଜଣଙ୍କ ମୃତଦେହକୁ ଉଦ୍ଧାର କରିବା ସହ ଏକ ବନ୍ଧୁକ ମଧ୍ୟ ଜବତ କରିଛି। ମୃତ ସୁଜିତ ଝାରସୁଗୁଡ଼ା ସ୍ଥିତ ଏକ ଘରୋଇ କମ୍ପାନୀରେ ଜଣେ କର୍ମଚାରୀ ଥିବା ଜଣାପଡ଼ିଛି। ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *