ଓଡ଼ିଶାର ଏକ ନମ୍ବର ଜିଲ୍ଲା ହେବ କେନ୍ଦ୍ରାପଡ଼ା: ମୁଖ୍ୟମନ୍ତ୍ରୀ

ଦ୍ୱିତୀୟ ବର୍ଷର ବିକାଶ ଯୋଜନାର ଶୁଭାରମ୍ଭ କେନ୍ଦ୍ରାପଡାରୁ
ତ୍ୱରାନ୍ୱିତ ହେବ ଆର୍ସେଲର ମିତଲ ଷ୍ଟିଲ ପ୍ଳାନ୍ଟକାର୍ଯ୍ୟ
ଦକ୍ଷ ରାଜନେତାଙ୍କୁ ସୃଷ୍ଟି କରିଛି ଏହି ମାଟି
ଅନୁପ୍ର୍ରବେଶକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ

କେନ୍ଦ୍ରାପଡ଼ା, ୦୯/୦୬/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲା ରାଜ୍ୟ ରାଜନୀତିରେ ବହୁ ଦକ୍ଷ ରାଜନେତାଙ୍କୁ ସୃଷ୍ଟି କରିଛି । ଏହି ଜିଲାର ନେତାମାନେ ଅତୀତରେ ମନ୍ତ୍ରୀମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି । ବିଜେପି ସରକାର ଅମଳରେ ଏହି ଜିଲା ଏକ ନମ୍ବର ଜିଲାରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସୋମବାର କେନ୍ଦ୍ରାପଡ଼ା ଜିଲାକୁ ପ୍ରଥମ ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ କହିଲେ ଏହି ଜିଲାକୁ ଆସିଥିବା ଆସେଲର ମିତଲ ଷ୍ଟିଲ ପ୍ଲାନ୍ଟ କିପରି ତାହାର କାର୍ଯ୍ୟ ତ୍ୱରାନ୍ୱିତ କରିବ ସେ ନେଇ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବେ । ସେହିପରି ଏହି ଜିଲାରେ ମେଡିକାଲ କଲେଜ ଖୁବଶୀଘ୍ର ପ୍ରତିଷ୍ଠା ହେବ ।

ଏହି ଜିଲାର ଲୋକେ ପାନୀୟ ଜଳ ସମସ୍ୟାରେ ପଡୁଛନ୍ତି । ତେଣୁ ପାନୀୟ ଜଳ ସମସ୍ୟାକୁ ସମାଧାନ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବେ । ଲକ୍ଷପତି ଦିଦି ଯୋଜନାରେ କେନ୍ଦ୍ରାପଡ଼ା ଜିଲା ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ଧାନ ଅମଳରେ ମଧ୍ୟ ଏହି ଜିଲା ଉତମ ପ୍ରଦର୍ଶନ କରିଛି । ଜଳସେଚନ ବ୍ୟବସ୍ଥା ଉନ୍ନତ ନ ଥିବାରୁ ଚାଷୀମାନେ ଚାଷ କରିବାରେ ସମସ୍ୟାରେ ପଡୁଛନ୍ତି । ତେଣୁ ଉନ୍ନତ ମାନର ଜଳସେଚନ ବ୍ୟବସ୍ଥା ହେବ । ଏହି ଜିଲାର ବିକାଶ ଇଞ୍ଜିନ ଆଗାମୀ ଦିନରେ କିପରି ଦୃତଗତିରେ ଚାଲିବ ସେ ନେଇ ପଦକ୍ଷେପ ଗ୍ରହଣ କରାଯାଇ ଜିଲାକୁ ଓଡ଼ିଶାରେ ଏକ ନମ୍ବର ଜିଲାରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

କେନ୍ଦ୍ରାପଡ଼ା ଜିଲାରେ ଥିବା ଲୁଣା ଜଙ୍ଗଲକୁ ଆହୁରି ବ୍ୟାପକ କରାଯାଇ ଜୈବ ବିବିଦ୍ଧତାର ସୁରକ୍ଷା କରାଯିବ । ଭିତରକନିକା ଓ ଗହୀରମଥା ଅଂଚଳରେ ଇକୋ ଟୁରିଜିମ୍କୁ ଆହୁରି ତ୍ୱରାନ୍ୱିତ କରାଯିବ । ମୋହନ ସରକାରଙ୍କ ଦ୍ୱିତୀୟ ବର୍ଷର ଉନ୍ନୟନମୂଳକ କାର୍ଯ୍ୟ କେନ୍ଦ୍ରାପଡ଼ା ଜିଲାରୁ ଶୁଭାରମ୍ଭ ହେବ । ଜିଲାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଚୋରା ବାଲି ଚାଲାଣକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ । ଜିଲା ବିକାଶ ସଂକ୍ରାନ୍ତରେ ବିସ୍ତୃତ ଯୋଜନା ଆଗାମୀ ଏକ ମାସ ମଧ୍ୟରେ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଧେଶ ଦେଇଥିଲେ ।

ବୈଠକରେ ମହାକାଳପଡ଼ା ବିଧାୟକ ଡ଼. ଦୁର୍ଗା ପ୍ରସନ୍ନ ନାୟକ, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ଆଳି ବିଧାୟକ ପ୍ରତାପ କେଶରୀ ଦେବ,ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର, ଜିଲା ପରିଷଦ ସଭାପତି ଲିଲିତା ଦାସ, କେନ୍ଦ୍ରାପଡ଼ା ପୌରାଧ୍ୟକ୍ଷା ସରିତା ସାହୁ, ଜିଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

ସମୀକ୍ଷା ବୈଠକ ପୂର୍ବରୁ ମୁଖ୍ୟମନ୍ତ୍ରୀ ମାଉସୀ ମା’ମନ୍ଦିର ନିକଟରୁ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପର୍ଯ୍ୟନ୍ତ ତ୍ରିରଙ୍ଗା ଶୋଭାଯାତ୍ରାକୁ ଉଦଘାଟନ କରି କହିଥିଲେ ଯେ ପ୍ରତ୍ୟେକ ମା’ ଓ ଭଉଣୀଙ୍କ ସିନ୍ଦୁରର ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେଇଥିବା ପ୍ରତିଜ୍ଞା ଆଜି ସାରା ବିଶ୍ୱରେ ଗୁଞ୍ଜରିତ ହେଉଛି । ଏହାପରେ ମୁଖ୍ୟମନ୍ତ୍ରୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ଚତୁର୍ଦ୍ଧାମୂର୍ତିଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରି ଜିଲା କୃଷି ରଥ ଓ ରାଜସ୍ୱ ରଥର ଶୁଭାରମ୍ଭ କରିଥିଲେ । କେନ୍ଦ୍ରାପଡ଼ା ଜିଲାବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *