ବ୍ୟକ୍ତି, ସମାଜ ଏବଂ ଜାତିକୁ ପରିବର୍ତନ କରିବାରେ ଶିକ୍ଷା ହେଉଛି ଶକ୍ତି ।

ନୂତନ ଶିକ୍ଷାନୀତି-୨୦୨୦ ବିଶ୍ୱର ପରିବର୍ତିତ ଆବଶ୍ୟକତା ପୂରଣ ଦିଗରେ ମାଇଲ୍ ଖୁଂଟ: ରାଜ୍ୟପାଳ
ଭୁବନେଶ୍ୱର,୨୪/୦୫/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବ୍ୟକ୍ତିର ବିକାଶ ସହିତ ସମାଜ ଓ ରାଷ୍ଟ୍ରର ବିକାଶ ସମନ୍ୱିତ ହୋଇ ଗତି କରେ । ବ୍ୟକ୍ତି, ସମାଜ ଏବଂ ସାମଗ୍ରିକ ଭାବରେ ଜାତିକୁ ପରିବର୍ତନ କରିବାରେ ଶିକ୍ଷା ହେଉଛି ଶକ୍ତି ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ ପାଟି କହିଛନ୍ତି । ଚଳିତ ମଇ ୨୪ ତାରିଖ ଦିନ ଭୁବନେଶ୍ୱରଠାରେ “ଓ-ଟିଭି ଶିକ୍ଷା କନକ୍ଲେଭ – ୨୦୨୫”କୁ ଉଦ୍ଘାଟନ କରି ରାଜ୍ୟପାଳ ଏହା କହିଛନ୍ତି ।

ଉଦଘାଟନୀ ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ବିଶ୍ୱ ବର୍ତମାନ ଦ୍ରୁତ ପରିବର୍ତନ ଦେଇ ଗତି କରୁଛି । ଏପରି ପରିବର୍ତିତ ପରିସ୍ଥିତିରେ ବିଗ୍ ଡାଟା, ମେସିନ ଲର୍ଣ୍ଣିଂ, କୃତ୍ରିମ ବୁଦ୍ଧିମତା, ରୋବଟିକ୍ ବିଜ୍ଞାନ ଇତ୍ୟାଦିର ଆବିର୍ଭାବ ସହିତ ବିଶ୍ୱର ବୁଝମଣାରେ ଏକ ବଡ଼ ପରିବର୍ତନ ଆସିଛି । ବର୍ତମାନ ବିଶ୍ୱ ସମ୍ମୁଖୀନ ହେଉଥିବା ବହୁବିଧ ସମସ୍ୟାର ସମାଧାନ ପାଇଁ ବିଶେଷଜ୍ଞତା ଆବଶ୍ୟକ । ଦ୍ରୁତ ପରିବର୍ତନଶୀଳ ନିଯୁକ୍ତି ଏବଂ ଗ୍ଲୋବାଲ ଇକୋସିଷ୍ଟମ୍ ପାଇଁ ଯୁବ ପୀଢ଼ି ସୃଜନଶୀଳ, ବହୁବିଧ ଅନୁକୂଳଶୀଳ ଏବଂ ଉଦ୍ଭାବନଶୀଳ ହେବା ଅତ୍ୟନ୍ତ ଜରୁରୀ ହୋଇ ପଡ଼ିଛି । ନୂତନ ଶିକ୍ଷାନୀତି – ୨୦୨୦ ବିଶ୍ୱର ପରିବର୍ତିତ ଆବଶ୍ୟକତା ପୂରଣ କରିବା ଦିଗରେ ଏକ ମାଇଲ୍ ଖୁଂଟ ଭାବେ ଉଭା ହୋଇଛି ।

ଏହା ଯୁବପୀଢ଼ିଙ୍କ ନିଯୁକ୍ତି କ୍ଷମତା ବୃଦ୍ଧି କରିବା ଏବଂ ସେମାନଙ୍କୁ ଆବଶ୍ୟକତା ଅନୁଯାୟୀ ପ୍ରସ୍ତୁତ କରିବା ଲକ୍ଷରେ ପାରମ୍ପରିକ ଶିକ୍ଷା ସହିତ ଦକ୍ଷତାର ସମନ୍ୱୟ ଉପରେ ଗୁରୁତ୍ୱ ଆରୋପ କରିଛି ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ ପାଟି କହିବା ସହିତ କନକ୍ଲେଭରେ ଉପସ୍ଥିତ ଶିକ୍ଷାବିତ୍, ନୀତି ନିର୍ଦ୍ଧାରକ, ବୃତିଧାରୀମାନେ ପାଠ୍ୟକ୍ରମରେ ଦକ୍ଷତା ବିକାଶ ପାଠ୍ୟକ୍ରମ ଅନ୍ତର୍ଭୂକ୍ତ କରିବା ଏବଂ ଶିକ୍ଷାନୁଷ୍ଠାନ ଏବଂ ଦକ୍ଷତା ବିକାଶ ପ୍ରତିଷ୍ଠାନ ମଧ୍ୟରେ ଅଧିକ ସହଯୋଗ ଓ ସମନ୍ୱୟ ମଡେଲ ପ୍ରସ୍ତୁତ ଉପରେ କାର୍ଯ୍ୟକାରିବାକୁ ଆହ୍ୱାନ ଜଣାଇଥିଲେ ।

 କନକ୍ଲେଭ ର ଆଲୋଚନା ଓ ନିଷ୍କର୍ଷ ୨୦୩୬ ସୁଦ୍ଧା ଏକ ବିକଶିତ ଓଡିଶା ପାଇଁ ମୂଲ୍ୟବାନ ଅର୍ନ୍ତଦୃଷ୍ଟି ପ୍ରଦାନ କରିବାରେ ସାହାଯ୍ୟ କରିବ ବୋଲି ରାଜ୍ୟପାଳ କହିଥିଲେ । ଏତଦ୍ ବ୍ୟତୀତ ନୂତନ ଶିକ୍ଷାନୀତି-୨୦୨୦ କେବଳ ଚାକିରି ଖୋଜୁଥିବା ବ୍ୟକ୍ତି ସୃଷ୍ଟି କରିବା ପାଇଁ ସୀମିତ ନୁହେଁ, ବରଂ ଏହା ଯୁବବର୍ଗଙ୍କୁ ଉଦ୍ୟୋଗୀ ହେବା ପାଇଁ ପ୍ରୋତ୍ସାହିତ କରିବ ବୋଲି ରାଜ୍ୟପାଳ କହିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱରେ ଦେଶ ୨୦୪୭ ସୁଦ୍ଧା ବିକଶିତ ଭାରତରେ ପରିଗଣିତ ହେବାର ଲକ୍ଷ ରଖିଥିବା ବେଳେ ଉଦ୍ୟୋଗୀ ହେବାକୁ ଆକାଂକ୍ଷା ରଖୁଥିôବା ଯୁବବର୍ଗର ଭୂମିକା ଏହାକୁ ବାସ୍ତବ ରୂପ ଦେବାରେ ଗୁରୁତ୍ୱପୂର୍ଣର୍ ଭୂମିକା ଗ୍ରହଣ କରିବ ବୋଲି କହିଥିଲେ ।


ଶ୍ରୀମତୀ ଜାଗୀ ମଙ୍ଗତ ପଣ୍ଡାଙ୍କ ନେତୃତ୍ୱରେ ଓ-ଟିଭି ଶିକ୍ଷା କନକ୍ଲେଭ ଆୟୋଜନ କରିବାର ନିରନ୍ତର ପ୍ରୟାସ ପାଇଁ ଓଡ଼ିଶା ଟେଲିଭିଜନ ଗ୍ରୁପ୍କୁ ରାଜ୍ୟପାଳ ଅଭିନନ୍ଦନ ଜଣାଇବା ସହିତ ଏ ପ୍ରକାର ଆୟୋଜନ ଏହାର ସାମାଜିକ ପ୍ରତିବଦ୍ଧତାର ପ୍ରମାଣ ବୋଲି ରାଜ୍ୟପାଳ କହିଥିଲେ ।
ପ୍ରାରମ୍ଭରେ ଓଡିଶା ଟେଲିଭିଜନ ନେଟ୍ୱାର୍କ ଲିଃ.ର ଏମ୍.ଡି ଶ୍ରୀମତୀ ଜାଗୀ ମଙ୍ଗତ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।
-୦-
ସଂଜୀବ ବାରିକ,ରାଜ୍ୟପାଳଙ୍କ ଲୋକସଂପର୍କ ଅଧିକାରୀ

Leave a Reply

Your email address will not be published. Required fields are marked *