ରାଜ୍ୟ କ୍ୟାବିନେଟ୍‌‌ର ଜରୁରୀ ବୈଠକ , ୩ଟି ପ୍ରସ୍ତାବକୁ ମୋହର

ଭୁବନେଶ୍ୱର, ୨୪/୧୧/୨୦୨୩ (ଓଡ଼ିଶା ସମାଚାର)- ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌‌ର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ୩ଟି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ବାଜିଛି। କୃଷି ଓ କୃଷକ ଶସକ୍ତିକରଣ ବିଭାଗର ଏକ ପ୍ରସ୍ତାବକୁ କ୍ୟାବିନେଟ ମୋହର ବାଜିଛି। ସେହିପରି ଇଲୋକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ଏକ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଥିବା ବେଳେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଏକ ପ୍ରସ୍ତାବରକୁ ମଧ୍ୟ ମଞ୍ଜୁରୀ ମିଳିଛି। ଏ ନେଇ ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ସୂଚନା ଦେଇଛନ୍ତି। ଓଡିଶା ଷ୍ଟେଟ ୱାର୍କଫ୍ଲୋ ଅଟୋମେସନ୍ ସିଷ୍ଟମ (OSWAS) ର ଉନ୍ନତିକରଣକୁ କ୍ୟାବିନେଟ ଅନୁମୋଦନ ମିଳିଛି। ସମଗ୍ର ଦେଶରେ digital workflow systemର ଅନ୍ୟତମ ଶ୍ରେଷ୍ଠ ବ୍ୟବସ୍ଥା ଭାବରେ ଓସ୍ୱାସ୍‌ର ସ୍ୱତନ୍ତ୍ର ଖ୍ୟାତି ରହିଛି। ଏହି ଉନ୍ନତିକରଣ ପଦକ୍ଷେପ 5T ଢାଞ୍ଚାରେ ଶାସନର ଦକ୍ଷତା ସ୍ତରକୁ ଆହୁରି ଉଚ୍ଚତର ସୋପାନକୁ ନେବା ସହିତ ନାଗରିକ ଅନୁକୂଳ ସ୍ୱଚ୍ଛ ବ୍ୟବସ୍ଥାକୁ ସୁନିଶ୍ଚିତ କରିବ।ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ ୧୯୬୨ରେ ପ୍ରତିଷ୍ଠା ହୋଇଥିଲା। ବିଶ୍ୱ ବିଦ୍ୟାଳୟର ଅଧିକାଂଶ ଭିତ୍ତିଭୂମି ୫ ଦଶନ୍ଧିରୁ ଅଧିକ ହୋଇଥିବାରୁ ଏହାର ଜରୁରୀ ମରାମତି, ନବୀକରଣ ଓ ପୁନଃନିର୍ମାଣ ପାଇଁ ୨୦୨୩-୨୪ ରୁ ୨୦୨୭-୨୮, ପାଞ୍ଚ ବର୍ଷ ପାଇଁ ରାଜ୍ୟ କ୍ୟାବିନେଟ ୪୯୧.୪୧ କୋଟି ଟଙ୍କା ମଞ୍ଜୁରୀ ଦେଇଛନ୍ତି। ଆଦିବାସୀ ଉପଦେଷ୍ଟା ପରିଷଦ (TAC) ଦ୍ୱାରା ତା.୧୧.୦୭.୨୦୨୩ ରିଖରେ ଅନୁମୋଦନ କରାଯାଇଥିବା ପ୍ରସ୍ତାବକୁ ଆଧାର କରି ତା. ୧୪.୧୧.୨୦୨୩ ରିଖରେ ଓଡିଶା ଅନୁସୂଚିତ ଅଞ୍ଚଳରେ ସ୍ଥାବର ସମ୍ପତ୍ତି ( ଅନୁସୂଚିତ ଜନଜାତି ଦ୍ୱାରା) ହସ୍ତାନ୍ତର ଆଇନ, ୧୯୫୬ କୁ ସଂଶୋଧନ କରିବା ପାଇଁ ରାଜ୍ୟ କ୍ୟାବିନେଟରେ ପ୍ରସ୍ତାବ ପାରିତ କରିଥିଲେ। ଆଜିର ବୈଠକରେ ଉପରୋକ୍ତ ସଂଶୋଧନର ପୁନର୍ବିଚାର କରି କ୍ୟାବିନେଟ ଏ ବିଷୟରେ ଅଧିକ ତର୍ଜମା କରିବା ପାଇଁ ଆଦିବାସୀ ଉପଦେଷ୍ଟା ପରିଷଦକୁ ସୁପାରିଶ କରିଛନ୍ତି ।

Leave a Reply

Your email address will not be published. Required fields are marked *