‘ଯୁଧିଷ୍ଠିର ଦାସ ନୀତି, ଆଦର୍ଶ ଓ ମୂଲ୍ୟବୋଧର ଜ୍ୱଳନ୍ତ ପ୍ରତୀକ ଥିଲେ’
ଭୁବନେଶ୍ୱର,୧୯/୦୨/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ପୂର୍ବତନ ବାଚସ୍ପତି ଯୁଧିଷ୍ଠିର ଦାସ ନୀତି, ଆଦର୍ଶ, ମୂଲ୍ୟବୋଧର ଜ୍ୱଳନ୍ତ ପ୍ରତୀକ ଥିଲେ । ସମାଜସେବା ତାଙ୍କ ଜୀବନର ବ୍ରତ ଥିଲା । ତାଙ୍କର ସମଗ୍ର ରାଜନୈତିକ ଜୀବନ ଜନସେବା ପାଇଁ ଉତ୍ସର୍ଗୀକୃତ ଥିଲା । ଆଜିର ରାଜନେତାମାନେ ଯୁଧିଷ୍ଠିର ଦାସଙ୍କ ପଦାଙ୍କ ଅନୁସରଣ କଲେ, ଏବର ରାଜନୀତି ସଂସ୍କାରିତ ହୋଇପାରିବ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି ।
ରାଜଧାନୀ ଆଇଆରସି ଭିଲେଜସ୍ଥିତ ଯୁଧିଷ୍ଠିର ଦାସ ଉଦ୍ୟାନରେ ପୁଣ୍ୟାତ୍ମା ଯୁଧିଷ୍ଠିର ଦାସଙ୍କ ଏକାଦଶତମ ଶ୍ରାଦ୍ଧୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ବିଧାୟକ ତଥା ମୁଖ୍ୟ ସଚେତକ ପ୍ରଭାତ ତ୍ରିପାଠୀ, ବିଧାୟକ ସୁଶାନ୍ତ ରାଉତ, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଉତ୍କଳ ସମ୍ମିଳନୀର ରାଜ୍ୟ ସଭାପତି ପ୍ରଫେସର୍ ଅଦ୍ୱୈତ କୁମାର ପାତ୍ର, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ଡଃ. ପ୍ରସନ୍ନ କୁମାର ସ୍ୱାଇଁ, ଭୁବନେଶ୍ୱର ମେୟର୍ ସୁଲୋଚନା ଦାସ, ସ୍ଥାନୀୟ କର୍ପୋରେଟର୍ ମାନସୀ ସୁନ୍ଦରରାୟ, ସଂସ୍କୃତି ଗବେଷକ ବନବିହାରୀ ନାୟକ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ସ୍ୱର୍ଗତ ଦାସଙ୍କ ବହୁମୁଖୀ ପ୍ରତିଭାର ସ୍ମୃତିଚାରଣ କରିଥିଲେ ।
ମୁଖ୍ୟଅତିଥି ରୂପେ ପ୍ରସନ୍ନ ଆଚାର୍ଯ୍ୟ ଏଥରେ ଯୋଗଦେଇ କହିଲେ ଯେ ବାଚସ୍ପତି ଭାବେ ବିଧାନସଭା ପରିଚାଳନା ଓ ବିରୋଧୀଦଳ ସଭ୍ୟ ରୂପେ ଯୁଧୁଷ୍ଠିର ଦାସଙ୍କ ବଳିଷ୍ଠ ବକ୍ତବ୍ୟ ଉପସ୍ଥାପନା, ପ୍ରତ୍ୟେକ ବିଧାୟକଙ୍କ ପାଇଁ ଶିକ୍ଷଣୀୟ । ମୁଖ୍ୟବକ୍ତା ପ୍ରଫୁଲ୍ଲ ସାମଲ ଦର୍ଶାଇଥିଲେ ଯେ, ଋଷିପ୍ରତିମ ସନ୍ନ୍ୟାସୀ ରାଜନେତା ଯୁଧିଷ୍ଠିର ଦାସ ଅତ୍ୟନ୍ତ ସ୍ୱାଭିମାନୀ ଓ ସଚୋଟ ରାଜନେତା ଥିଲେ, ଯାହାକି ସମସ୍ତଙ୍କ ପାଇଁ ଅନୁକରଣୀୟ । ସମ୍ମାନିତ ଅତିଥି ପ୍ରଭାତ ତ୍ରିପାଠୀ ଉଲ୍ଲେଖ କରିଥିଲେ, ଓଡ଼ିଆ ଜାତୀୟତା ପାଇଁ ଯୁଧିଷ୍ଠିର ଦାସଙ୍କ ପ୍ରଗାଢ଼ ଅନୁରକ୍ତି ଥିଲା ।
ବିଧାୟକ ସୁଶାନ୍ତ ରାଉତ ତାଙ୍କୁ ଜଣେ ସଂଗ୍ରାମୀ ନିଷ୍କଳଙ୍କ ନେତା ବୋଲି ଚିତ୍ରଣ କରିଥିବାବେଳେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଜଣାଇଥିଲେ ଯେ, ଯୁଧିଷ୍ଠିର ଦାସ ମୂଲ୍ୟବୋଧ ଭିତିକ ରାଜନୀତି ପାଇଁ ଅମର ହୋଇ ରହିବେ । ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ କହିଲେ ଯେ ରାଜନୀତି କ୍ଷେତ୍ରରେ ଯୁଧିଷ୍ଠିର ଦାସ ହେଉଛନ୍ତି ଏକ ଉଜ୍ଜ୍ୱଳ ନକ୍ଷତ୍ର । ବରିଷ୍ଠ ସାମ୍ବାଦିକ, ରାଜନୈତିକ ସମୀକ୍ଷକ ତଥା ବିଶିଷ୍ଟ ସ୍ତମ୍ଭକାର ପ୍ରଭୁକଲ୍ୟାଣ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧନାର ଉତର ଦେଇ ବରିଷ୍ଠ ସାମ୍ବାଦିକ ଶ୍ରୀ ମହାପାତ୍ର ଦର୍ଶାଇଥିଲେ ଯେ ଯୁଧିଷ୍ଠିର ଦାସଙ୍କ ସମଗ୍ର ଜୀବନ ସମାଜସେବା ପାଇଁ ସମର୍ପିତ ଥିଲା ।
କ୍ଷମତା, ଉଚ୍ଚ ପଦପଦବୀର ଲାଳସା ତାଙ୍କ ଉତୁଙ୍ଗ ବ୍ୟକ୍ତିତ୍ୱକୁ ସ୍ପର୍ଶ କରି ପାରି ନଥିଲା । କାନ୍ତକବିଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’କୁ ବିଧାନସଭାର ଉଦ୍ୟାପନୀ ସଙ୍ଗୀତ ରୂପେ ଗ୍ରହଣ କରି ସେ ଏହାକୁ ‘ରାଜ୍ୟ ସଙ୍ଗୀତ’ ମାନ୍ୟତା ପ୍ରାପ୍ତି ଲାଗି ପଥ ପରିଷ୍କାର କରିଥିଲେ । ଶେଷରେ ଫାଉଣ୍ଡେସନ୍ ପକ୍ଷରୁ ଯୁଧିଷ୍ଠିର ଦାସଙ୍କ ନାତି ମନସ୍ୱୀ ଖୁଂଟିଆ ଧନ୍ୟବାଦ ଦେଇଥିଲେ ।