କେନ୍ଦ୍ରାପଡ଼ା, ୦୭/୦୫/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଜଣେ ବ୍ୟକ୍ତିଙ୍କ ବାଇକ ଡିକିରୁ ୪ ଲକ୍ଷ ୫୩ ହଜାର ଟଙ୍କା ଲୁଟ୍ ହୋଇଛି । ଲୁଟ୍ ର ଶିକାର ହୋଇଛନ୍ତି ଏକ ସିମେଂଟ ଗୋଦାମର ମ୍ୟାନେଜର ଭାବଗ୍ରାହୀ ସାହି । ଲୁଟ୍ ହେବା ପରେ ପୁଲିସକୁ ଖବର ଦିଆଯାଇଥିଲା । ଖବର ପାଇ ଟାଉନ୍ ଥାନା ପୁଲିସ ଘଟଣା ସ୍ଥଳରେ ପହଂଚିଥିଲା । ଏହାସହ ଏସଡିପିଓ ଜ୍ୟୋତିରଞ୍ଜନ ଗୌଡ଼ ଓ ଟାଉନ୍ ଥାନା ଇନ୍ସପେକ୍ଟର ଦିଲ୍ଲୀପ ସାହୁ ଘଟଣା ସ୍ଥଳରେ ପହଂଚି ଦନ୍ତ ଆରମ୍ଭ କରିଛନ୍ତି ।
ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଯୋଗାଣ ବିଭାଗର ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ ତଦନ୍ତ ଆରମ୍ଭ କରିଛି । ସିସିଟିଭି ଫୁଟେଜରୁ ଜଣାପଡୁଛି ଯେ ଭାବଗ୍ରାହୀଙ୍କୁ ଅନୁସରଣ କରି ଏକ ବାଇକରେ ଦୁଇଜଣ ଲୁଟିଆ ଏକ ବାଇକରେ ଆସୁଛନ୍ତି । ଜଣେ ବାଇକ ଷ୍ଟାର୍ଟ କରି ରହୁଛନ୍ତି । ଅନ୍ୟ ଜଣେ ଲୁଟିଆ ଭାବଗ୍ରାହୀଙ୍କ ବାଇକ ନିକଟକୁ ଆସି ଡିକି ଭାଙ୍ଗି ଟଙ୍କା ଲୁଟି ନେଇ ବାଇକରେ ଫେରାର ହୋଇଯାଉଛି ।
ସିସିଟିଭି ଫୁଟେଜରୁ ଲୁଟିଆ ଦ୍ୱୟଙ୍କୁ ପୁଲିସ ଚିହ୍ନଟ କରିଛି । ହେଲେ ଲୁଟିଆଦ୍ୱୟକୁ ଧରିବାରେ ପୁଲିସ ସକ୍ଷମ ହୋଇନାହିଁ । ଖବର ନେବାରୁ ଜଣାପଡିଛି ଭାବଗ୍ରାହୀ ଦୁହୁରିଆଠାରେ ଥିବା ଏକ ସିମେଂଟ ଗୋଦାମରେ ମ୍ୟାନେଜର ଭାବେ କାର୍ଯ୍ୟ କରନ୍ତି । ସେ ଆଇନ୍ ମହାବିଦ୍ୟାଳୟର ଛକ ଠାରେ ଥିବା ଷ୍ଟେଟ୍ ବ୍ୟାଙ୍କ ଶାଖାରୁ ୪ ଲକ୍ଷ ୫୩ ହଜାର ୯୦୦ ଟଙ୍କା ଉଠାଇଥିଲେ ।
ଏହି ଟଙ୍କାକୁ ବାଇକରେ ରଖି ସେ କୌଣସି କାର୍ଯ୍ୟରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଯୋଗାଣ ବିଭାଗ କାର୍ଯ୍ୟାଳୟ ମଧ୍ୟକୁ ଯାଇଥିଲେ । ସେଠାରୁ କାମ ସାରି ଫେରିବା ବେଳକୁ ଦେଖନ୍ତି ତ ତାଙ୍କ ଡିକି ଭଙ୍ଗାଯାଇ ଟଙ୍କା ଲୁଟ୍ ହୋଇଛି । ଏହାପରେ ସେ ଟାଉନ୍ ଥାନାରେ ଏ ନେଇ ଅଭିଯୋଗ କରିଥିଲେ । ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଟାଉନ୍ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ କହିଛନ୍ତି ଲୁଟ୍ ସଂକ୍ରାନ୍ତରେ ଅଭିଯୋଗ ହୋଇଛି ।
ଅଭିଯୋଗକୁ ଭିତିକରି ଏକ ମାମଲା ରୁଜୁ ହୋଇଛି । ଆମେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛୁ । ତଦନ୍ତ କାଳରେ ସିସିଟିଭି ଫୁଟେଜ ଯାଂଚ ହୋଇଛି । ସିସିଟିଭିରୁ ସ୍ପଷ୍ଟ ଚିତ୍ର ମିଳିପାରୁନାହିଁ । ତେଣୁ ଅନ୍ୟ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଂଚ କରିବୁ । ଲୁଟିଆଦ୍ୱୟଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଦଳ ଗଠନ ହୋଇଛି । ଖୁବଶୀଘ୍ର ଲୁଟିଆ ଦ୍ୱୟ ଗିରଫ ହେବେ ବୋଲି ସେ କହିଛନ୍ତି । ଯେଉଁ ସ୍ଥାନରୁ ଲୁ୍ଟ୍ ହୋଇଛି ସେହି ସ୍ଥାନଟି ଏସଡିପିଓଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ୧୦ ହାତ ଦୂର । ତେଣୁ ଲୁଟିଆମାନେ ଜିଲାପାଳ ଓ ଏସଡିପିଓଙ୍କୁ ଖୋଲା ଚାଲେଞ୍ଜ ଦେଇ ଏଭଳି ଲୁଟ୍ କରିଥିବା ଚର୍ଚ୍ଚା ହେଉଛି ।
