୫ ବର୍ଷ ହେବ ଶ୍ରମ କାର୍ଯ୍ୟାଳୟକୁ ଦୌଡ଼ୁଛନ୍ତି ବିଧବା ପତ୍ନୀ
କେନ୍ଦ୍ରାପଡ଼ା, ୨୧/୦୪/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲାରେ କାର୍ଯ୍ୟରତ ୫୦ରୁ ଊଦ୍ଧ୍ୱର୍ ନିର୍ମାଣ ଶ୍ରମିକଙ୍କ ମୃତୁ୍ୟ ୫ ବର୍ଷ ପୂର୍ବେ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ସେମାନଙ୍କ ପରିବାରକୁ ମୃତୁ୍ୟକାଳୀନ ସହାୟତା ପ୍ରଦାନ କରାଯାଇନାହିଁ । ଯାହା ଫଳରେ ଶ୍ରମିକମାନଙ୍କ ବିଧବା ପତ୍ନୀ ସହାୟତା ପାଇବା ପାଇଁ ବର୍ଷ ବର୍ଷ ଧରି ଶ୍ରମ କାର୍ଯ୍ୟାଳୟକୁ ଦୌଡି ଦୌଡି ନିରାଶ ହୋଇଛନ୍ତି । ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ସେମାନଙ୍କୁ ଆଜି ଆସ କାଲି ଆସ କହି ଫେରାଇ ଦିଆଯାଉଛି । ଫଳରେ ଶ୍ରମିକଙ୍କ ବିଧବା ପତ୍ନୀମାନେ ନିର୍ଯ୍ୟାତିତ ହେଉଛନ୍ତି । ସେମାନେ ନିଜ ପିଲାଙ୍କୁ ପାଠ ପଢାଇ ପାରୁନାହାଁନ୍ତି ।
କେଉଁ ଶ୍ରମିକଙ୍କ ଝିଅ ବିବାହ ଉପଯୋଗୀ ହୋଇଥିଲେ ମଧ୍ୟ ଅର୍ଥ ନ ମିିଳିବାରୁ ବିବାହ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେଉଛି । ଚକ୍ରୋଡ଼ା ପଂଚାୟତ କନ୍ତିଆ ଗ୍ରାମର ଗୀତାଞ୍ଜଳୀ ଜେନା କହିଛନ୍ତି ତାଙ୍କ ସ୍ୱାମୀ ସଞ୍ଜୀବ କୁମାର ଜେନାଙ୍କର ୨୦୨୨ ମସିହା ସେପ୍ଟେମ୍ବର ୧୩ ତାରିଖରେ ଅଂଶୁଘାତରେ ମୃତୁ୍ୟ ହୋଇଥିଲା । ମୃତୁ୍ୟକାଳୀନ ସହାୟତା ପାଇବା ପାଇଁ ସେ ଆବଶ୍ୟକ କାଗଜାଦ ଜିଲା ଶ୍ରମ କାର୍ଯ୍ୟାଳୟରେ ପୈଠ କରିଥିଲେ । କିନ୍ତୁ ତାଙ୍କୁ ଅଦ୍ୟାବଧି ମୃତୁକାଳୀନ ସହାୟତା ପ୍ରଦାନ କରାଯାଇନାହିଁ । ତାଙ୍କ ଝିଅକୁ ବହୁ କଷ୍ଟରେ ବିଏ ପାସ କରାଇଛନ୍ତି । ଝିଅ ଏବେ ବିବାହ ଉପଯୋଗୀ ହୋଇଗଲାଣି । ଝିଅର ଉଚ୍ଚଶିକ୍ଷା ପାଇଁ ଅର୍ଥ ବାଧକ ସାଜିଥିଲା । ସ୍ୱାମୀଙ୍କ ମୃତୁ୍ୟକାଳୀନ ଟଙ୍କା ମିଳିଥିଲେ ପାଠ ପଢାଇବାରେ ସହଜ ହୋଇଥାନ୍ତା । କିନ୍ତୁ ତାହା ମିଳିଲା ନାହିଁ । ତେଣୁ ବହୁ କଷ୍ଟରେ ଝିଅକୁ ସେ ଶିକ୍ଷିତ କରାଇଥିବା କହିଛନ୍ତି ।
ଏବେ ଝିଅ ବିବାହ ଉପଯୋଗୀ ହେଲାଣି । ସ୍ୱାମୀଙ୍କ ମୃତୁ୍ୟକାଳୀନ ସହାୟତା ପାଇଁ ବାରମ୍ବାର ଶ୍ରମ କାର୍ଯ୍ୟାଳୟକୁ ଦୌଡୁଛି । କିନ୍ତୁ କିଛି ଲାଭ ହେଉନାହିଁ । ତେଣୁ ଜିଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ ତୁରନ୍ତ ସହାୟତା ପ୍ରଦାନ କରାଯାଉ ବୋଲି ସେ ନିବେଦନ କରିଛନ୍ତି । ସେହିପରି ଡେରାବିଶ ବ୍ଲକ ଅନ୍ତର୍ଗତ ଦାନପୁର ପଂଚାୟତର ବନିତା ପ୍ରଧାନ କହିଛନ୍ତି ତାଙ୍କ ସ୍ୱାମୀ ବିନୋଦ ପ୍ରଧାନଙ୍କ ଗତ ୨୦୧୯ ମସିହା ମାର୍ଚ୍ଚ ୨୯ ତାରିଖରେ ମୃତୁ୍ୟ ହୋଇଥିଲା । ଏ ନେଇ ସେ ବହୁଥର ଜିଲା ଶ୍ରମ କାର୍ଯ୍ୟାଳୟକୁ ସହାୟତା ପାଇଁ ଯାଇଛନ୍ତି । ଏବେ ବି ତାଙ୍କୁ କୁହାଯାଉଛି ଆଜି ଆସ କାଲି ଆସ । ଏହିପରି ଭାବେ ବାରମ୍ବାର ଶ୍ରମ କାର୍ଯ୍ୟାଳୟକୁ ଦୌଡି ଦୌଡି ସେ ହତାଶ ହୋଇପଡିଥିବା ପ୍ରକାଶ କରିଛନ୍ତି । କେବଳ ଏହି ଦୁଇଜଣ ଶ୍ରମିକଙ୍କ ପରିବାର ନୁହଁନ୍ତି ଏହିପରି ୫୦ରୁ ଊଦ୍ଧ୍ୱର୍ ପରିବାର ଏବେ ମୃତୁ୍ୟକାଳୀନ ସହାୟତା ଅପେକ୍ଷାରେ ରହିଥିବା ମିଳିଥିବା ତଥ୍ୟରୁ ଜଣାପଡିଛି ।
ଶ୍ରମିକ ନେତା ଫକୀର ଚରଣ ଖଟୁଆ କହିଛନ୍ତି ଯେଉଁ ଅଧିକାରୀମାନେ ଶ୍ରମ କାର୍ଯ୍ୟାଳୟରେ ଚାକିରି କରୁଛନ୍ତି ସେମାନଙ୍କ ମାନସିକତାରେ ପରିବର୍ତନ ଆସିବା ଦରକାର । ସେମାନେ ଏକ ନିର୍ଦ୍ଧିଷ୍ଟ ଉଦ୍ଧେଶ୍ୟ ରଖି ଶ୍ୟମିକମାନଙ୍କୁ ହଇରାଣ ହରକତ କରୁଛନ୍ତି । ସେମାନେ ମୃତ ଶ୍ରମିକଙ୍କ ପରିବାର ପ୍ରତି ସଦୟ ହେବା ଉଚିତ । କାରଣ ଶ୍ରମିକଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର । ସେଥିପାଇଁ ସରକାର ମୃତୁ୍ୟକାଳୀନ ସହାୟତା ବ୍ୟବସ୍ଥା କରିଛନ୍ତି । କିନ୍ତୁ ଯଦି ଶ୍ରମିକଙ୍କ ପରିବାର ସେମାନଙ୍କ ନ୍ୟାଯ୍ୟ ହକ ପାଇବା ପାଇଁ ବାରମ୍ବାର ଶ୍ରମ କାର୍ଯ୍ୟାଳୟକୁ ଦୌଡିବେ ତାହାଠାରୁ ଦୁଃଖର କଥା ଆଉ କିଛି ନାହିଁ ବୋଲି ସେ କହିଛନ୍ତି । ଏ ସମ୍ପର୍କରେ ଶ୍ରମ କାର୍ଯ୍ୟାଳୟର ପ୍ରଭାଗୀୟ ଶ୍ରମ ସଂସ୍ଥାପକ ପ୍ରଦୀପ ମହାନ୍ତି କୁହନ୍ତି ଯେ ଏ ସଂକ୍ରାନ୍ତରେ ସେ କିଛି ଜାଣି ନାହାନ୍ତି । ଏଗୁଡିକ ପୁରୁଣା ମାମଲା । କିନ୍ତୁ ସେ ଯୋଗ ଦେବା ପରେ କୌଣସି ଶ୍ରମିକ ପରିବାର ହଇରାଣ ହେଉନାହାନ୍ତି ବୋଲି ସେ କହିଛନ୍ତି । ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଶ୍ରମିକ ପରିବାର ଗୁଡିକ ପକ୍ଷରୁ ଦାବି କରାଯାଇଛି ।
