ଅଭିଆରା ପ୍ରତିଭା ସମ୍ମାନ -୨୦୨୬ ଅନୁଷ୍ଠିତ

ଗରଦପୁର, ୦୪/୦୬/୨୦୨୬ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ପଳସୁଧା ପଂଚାୟତସ୍ଥିତ ରାଏସର ଖରିସାଣ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅଭିଆରା ଫାଉଣ୍ଡେସନ ଓ ଫାଇଣ୍ଡ ଫାଉଣ୍ଡେସନର ମିଳିତ ସହଯୋଗରେ ଅଭିଆରା ପ୍ରତିଭା ସାମ୍ମନ-୨୦୨୬ ସଫଳତାର ସହ ଅନୁଷ୍ଠିତ ହୋଇଛି । ଅଭିଆରା ଫାଉଣ୍ଡେସନ ଓ ଫାଇଣ୍ଡ ଫାଉଣ୍ଡେସନର ମୁଖ୍ୟ କାର୍ଯ୍ୟାଳୟ ମୁମ୍ବାଇରେ ଅବସ୍ଥିତ । ଆଜିର କାର୍ଯ୍ୟକ୍ରମ ଅଭିଆରା ଫାଉଣ୍ଡେସନର ସଂଯୋଜକ ମନୋଜ କୁମାର ମଲ୍ଲିକଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା ।

ଏହି ଅବସରରେ ବିଦ୍ୟାଳୟର ଦଶମ ଶ୍ରେଣୀର ଟପର ଶୁଭଲକ୍ଷ୍ମୀ ନାୟକ, ବ୍ଲକ ଟପର ସ୍ମିତମ ସାଲୋନୀକା ପାଣି, ଆଇ. ଆଇ. ଟି (ଜାମ)ରେ ଭଲ ନମ୍ବର ରଖିଥିବା ଶୁଭ୍ରାଂଶୁ ଶେଖର ପୃଷ୍ଟି, ତଥା ରାଏସର ବିଦ୍ୟାଳୟର ପୂବର୍ତନ ଛାତ୍ରଛାତ୍ରୀ ଯେଉଁମାନେ ବର୍ତମାନ +୨ ବିଜ୍ଞାନରେ ଅଧ୍ୟୟନ କରି ୭୦%ରୁ ଅଧିକ ନମ୍ବର ରଖିଥିବା ୭ ଜଣ କୃତି ଛାତ୍ରଛାତ୍ରୀ ଓ ରାଏସର ବିଦ୍ୟାଳୟର ଦଶମ ଶ୍ରେଣୀର ୬୦%ରୁ ଅଧିକ ନମ୍ବର ରଖିଥିବା ୧୮ ଜଣ କୃତି ଛାତ୍ରଛାତ୍ରୀଙ୍କୁ ଟ୍ରଫି, ପ୍ରମାଣପତ୍ର ଓ ପଦକ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି ।କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ରାଜକିଶୋର ରାଉତ ସଭାପତିତ୍ୱ କରିଥିବାବେଳେ ବିଦ୍ୟାଳୟର ପଂଚଶଖା ଶିକ୍ଷା ସେତୁର ସଭାପତି ଶ୍ରୀ ଅନୁଜ କୁମାର ମହାନ୍ତି ସଭା ପରିଚାଳନା କରିଥିଲେ ।

ସମ୍ମାନିତ ଅତିଥି ଭାବରେ ଅଂଚଳର ବିଶିଷ୍ଟ ଶିକ୍ଷାବିତ ଶ୍ରୀ ପ୍ରଭାତ କୁମାର ଜେନା, ଶ୍ରୀ ଗୌରାଙ୍ଗ ପ୍ରସାଦ ନାୟକ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସରୋଜ କୁମାର ମଲ୍ଲିକ ଯୋଗଦେଇ କୃତି ଛାତ୍ରଛାତ୍ରୀଙ୍କୁ ଶିକ୍ଷା, ଶୃଙ୍ଖଳା ଓ ସମାଜ ସେବା କ୍ଷେତ୍ରରେ ଆଗକୁ ବଢିବା ପାଇଁ ପ୍ରେରଣାଦାୟକ ବାର୍ତା ପ୍ରଦାନ କରିଥିଲେ । ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ସେକ ମହମ୍ମଦ ଶାକିର ଅହମ୍ମଦ, କୁନପ୍ରଭା ନନ୍ଦୀ, ରାଜା ମହାରାଜ, ସୁଶାନ୍ତ କୁମାର ଦାସ, ସରୋଜିନୀ ତରାଇ, ଶ୍ରୀତମ ଦାସ, ପ୍ରଶାନ୍ତ କୁମାର ପ୍ରଧାନ, ସ୍ମିତା ସ୍ୱାଇଁ, ସୁନିତା ମିଶ୍ର, ସୁପ୍ରଭା ପାତ୍ର, ଶିକ୍ଷା କର୍ମଚାରୀ ସୋହେଲ ଆଜିଜ, ସେକ ମେହେମୁଦୁଲ ହସନ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।

ଏହି ସମ୍ମାନ ଜୀବନରେ ପ୍ରେରଣାର ଉତ୍ସ ହେବ ବୋଲି କୃତି ଛାତ୍ରଛାତ୍ରୀମାନେ ମତବ୍ୟକ୍ତ କରିବା ସହିତ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଅଭିଆରା ଫାଉଣ୍ଡେସନର ପ୍ରତିଷ୍ଠାତା ଶ୍ରୀ ଅଭିମନ୍ୟୁ ମଲ୍ଲିକ ଓ ଫାଇଣ୍ଡ ଫାଉଣ୍ଡେସନର ଅଧ୍ୟକ୍ଷା ରାଗିନୀ ବର୍ମାଙ୍କୁ ହୃଦୟରୁ କୃତଜ୍ଞତା ଜଣାଇବା ସହ ଫାଇଣ୍ଡ ଫାଉଣ୍ଡେସନର ସହ ସଂପାଦକ ଶ୍ରୀରମନ ମୋହନ ଗିରିଜାଙ୍କ ଜନ୍ମଦିନକୁ ସମସ୍ତ ଛାତ୍ରଛାତ୍ରୀ ବିଦ୍ୟାଳୟ ପରିସରରେ ମହା ଆନନ୍ଦରେ ପାଳନ କରିଥିଲେ । ଏଭଳି ସମାଜ ସେବାମୂଳକ କାର୍ଯ୍ୟକ୍ରମ ପାଇଁ ସମଗ୍ର ଅଂଚଳବାସୀଙ୍କ ତରଫରୁ ଭୁରି ଭୁରି ପ୍ରଶଂସାର ସୁଅ ଛୁଟି ଆସିଛି ।

Leave a Reply

Your email address will not be published. Required fields are marked *