ପାଣି ବିଲ୍ ସହଜ ଉପାୟରେ ପଇଠ କରିବାକୁ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଅନୁରୋଧ

ଭୁବନେଶ୍ୱର,୨୪/୦୪/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ବର୍ତମାନ ପ୍ରତି ମାସରେ ବିଜୁଳି, ଟେଲିଫୋନ, ଗ୍ୟାସ୍ ଆଦିର ବିଲ୍ ୟୁପିଆଇ ବା ବାରକୋଡ୍ ମାଧ୍ୟମରେ ପେମେଂଟ କରୁଛନ୍ତି । ଏଥିରୁ ବରିଷ୍ଠ ନାଗରିକ ଓ ଜନସାଧାରଣ ମଧ୍ୟ ରିହାତିର ସୁବିଧା ପାଉଛନ୍ତି ।

ସେହିଭଳି ଭାବେ ୱାଟକୋର ପାଣି ବିଲ୍ ପେମେଂଟର ସୁବିଧା ଉପରୋକ୍ତ ମାଧ୍ୟମରେ ଉପଲବ୍ଧ କରିବା ପାଇଁ ନିଳାଦ୍ରୀ ବିହାର ବରିଷ୍ଠ ନାଗରିକ ଟ୍ରଷ୍ଟର ସଦସ୍ୟ ଜ୍ୟୋତିରଞ୍ଜନ ଦାସ, ବେଣୁଧର ଭୋଳ, ଦେବେନ୍ଦ୍ର ପାତ୍ର, ସାଧୁଚରଣ ସାମନ୍ତରାୟ, ବଂଶୀଧର ସେଠୀ, ଅରୁଣ ଦେ, ମାନଗୋବିନ୍ଦ ସେଠୀ ଏବଂ ବରିଷ୍ଠ ସାମ୍ବାଦିକ ପ୍ରଦୁ୍ୟମ୍ନ କୁମାର ମହାନ୍ତି ନଗର ଉନ୍ନୟନ ଓ ଗୃହ ନିର୍ମାଣ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ୱାଟକୋର ପରିଚାଳନା ନିର୍ଦ୍ଧେଶକ ଗୁରୁ ଚରଣ ଦାସଙ୍କୁ ପୃଥକ୍ ପୃଥକ୍ ଭାବେ ଭେଟି ଏକ ସ୍ମାରକପତ୍ର ଜରିଆରେ ଅନୁରୋଧ କରାଯାଇଛି ।

ପାଣି ବିଲ୍ ପଇଠ କରିବା ନେଇ ୱାଟକୋ ସଂସ୍ଥା ‘ସୁଯୋଗ’ ଆପ୍ ଜରିଆରେ ଯେଉଁ ବ୍ୟବସ୍ଥା ଉପଲବ୍ଧ କରିଛନ୍ତି, ତାହା ବରିଷ୍ଠ ନାଗରିକ ଓ ଜନସାଧାରଣଙ୍କ ପାଇଁ ସହଜସାଧ୍ୟ ହେଉନାହିଁ ।

ତେଣୁ ପାଣି ବିଲ୍ ପଇଠ କରିବା ନିମନ୍ତେ ଫୋନ୍ ପେ, ଗୁଗୁଲ୍ ପେ୍, ବାରକୋଡ ଏବଂ ୟୁପିଆଇ ଜରିଆରେ ପ୍ରଦାନ କରିବା ପାଇଁ ଟ୍ରଷ୍ଟର ସଦସ୍ୟମାନେ ମନ୍ତ୍ରୀ ଡଃ ମହାପାତ୍ରଙ୍କୁ ଅନୁରୋଧ କରିଛନ୍ତି । ଯଦି ଏକ ମାସ ମଧ୍ୟରେ ଏହି ସମସ୍ୟାର ସମାଧାନ କରାନଯାଏ ତେବେ ଟ୍ରଷ୍ଟର ସଦସ୍ୟ ତଥା ବରିଷ୍ଠ ନାଗରିକମାନେ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେବାକୁ ବାଧ୍ୟ ହେବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *