ଗରଦପୁର, ୧୧/୦୩/୨୦୨୬ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ତଥା ଗରଦପୁର ତହସିଲ ଅଧିନ ତେଣ୍ଡାକୁଡ଼ା ପଂଚାୟତ ତଥା ତେଣ୍ଡାକୁଡ଼ା ରାଜସ୍ୱ ସର୍କଲ ଅନ୍ତର୍ଗତ ବସନ୍ତପୁର ଗାଁରେ ଗତ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଦୀପକ ମଲିକ୍, ଚକ୍ରଧର ମଲିକ୍, ଦିଲିପ ମଲିକ୍ ,ଧୁଳେଶ୍ୱର ମଲିକ୍, ଦୋଳ ଗୋବିନ୍ଦ ମଲିକ୍ ଓ ଗଗନ ମଲିକ୍ ଙ୍କର ମୋଟ୍ ୭ ବଖରା ଘର ସମେତ ଘରେ ଥିବା ଧାନ, ଚାଉଳ ଆଦି ସଶ୍ୟ, ଘରର ସମସ୍ତ ଆସବାବ ପତ୍ର , ପିନ୍ଧା ବସ୍ତ୍ର ଏପରିକି ଘରେ ଥିବା ସମସ୍ତ କାଗଜପତ୍ର, ନଗଦ ଟଙ୍କା ପଇସା ଜଳି ପୋଡ଼ି ପାଉଁଶ ହୋଇ ଯାଇଛି ।
ସୌଭାଗ୍ୟକୁ ଘରେ ନିଆଁ ଲାଗିଯିବା ପରେ ସମସ୍ତେ ଘରୁ ପଦାକୁ ବାହାରି ଆସିଥିଲେ ଓ ଗୃହପାଳିତ ଗାଈ ଗୋରୁ ଆଦିଙ୍କୁ ମଧ୍ୟ ବାହାରକୁ ନେଇ ଆସିଥିଲେ । ଏଭଳି ଦୁଃଖଦ ଖବର ପାଇ ବରିଷ୍ଠ ରାଜନେତା ବିଜୟ ମହାପାତ୍ର ଆଜି ସନ୍ଧ୍ୟାରେ ବିପନ୍ନ ପରିବାରଙ୍କ ନିକଟରେ ପହଂଚି ସେମାନଙ୍କ ଅବସ୍ଥା ସ୍ୱଚଚକ୍ଷୁରେ ଦେଖି ଅତ୍ୟନ୍ତ ଦୁଃଖ ପ୍ରକାଶ କରିଥିଲେ । ବିପନ୍ନ ପରିବାରଙ୍କୁ ବସ୍ତ୍ର, ରୋଷେଇ ସରଂଜାମ ଆଦି ବଂଟନ କରିଥିଲେ । ବିପନ୍ନଙ୍କୁ ଆବାସ ଯୋଗାଇ ଦେବାକୁ ପ୍ରଶାସନ ନିକଟରେ ଦାବି କରିଥିଲେ । ଶ୍ରୀ ମହାପାତ୍ରଙ୍କ ସହିତ ବାସୁଦେବ ବେହେରା, ସୁକାନ୍ତ ନାୟକ, ସ୍ୱରୂପ ମହାନ୍ତି, ପ୍ରକାଶ ଦାଶ , ମାନସ ମହାନ୍ତି, ପ୍ରଭାକର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
