୩ଜଣ ବାଂଲାଦେଶୀଙ୍କୁ କେନ୍ଦ୍ରାପଡାରୁ ଦେଶାନ୍ତର

କେନ୍ଦ୍ରାପଡ଼ା, ୩୦/୦୧/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗରାପୁର ଗ୍ରାମରେ ରହୁଥିବା ୩ ଜଣ ବାଂଲାଦେଶୀଙ୍କୁ ଦେଶାନ୍ତର କରାଯାଇଛି । ସେମାନେ ହେଉଛନ୍ତି ମୁନତାଜ ଖାନ୍(୬୪), ଅମୀନା ବିବି(୭୦)ଓ ଇନ୍ସାନ ଖାନ୍(୫୮) । ଏମାନେ ୧୯୭୦ ମସିହାରେ ବାଂଲାଦେଶରୁ କେନ୍ଦ୍ରାପଡ଼ା ପଳାଇ ଆସିଥିଲେ । ସେବେଠାରୁ ସେମାନେ ଏହି ଜିଲାରେ ରହୁଛନ୍ତି । ପ୍ରଶାସନ ପକ୍ଷରୁ ଅନୁପ୍ରବେଶକାରୀ ଯାଂଚ ଅଭିଯାନ ସମୟରେ ଗୋଟିଏ ପରିବାରର ଏହି ୩ଜଣଙ୍କୁ ଚିହ୍ନଟ କରାଯାଇଥିଲା । ଏମାନେ ଦୁଇ ଭାଇ ଓ ଭଉଣୀ ବୋଲି ଜଣାପଡିଛି ।

ଅମୀନା ବିବି
ମୁନତାଜ ଖାନ୍

ବର୍ତମାନ ସେମାନଙ୍କ ନିକଟରେ ଭାରତୀୟ ଭୋଟର କାର୍ଡ ଓ ଆଧାର କାର୍ଡ ରହିଛି । ହେଲେ ସେମାନଙ୍କ ଜମି ପଟ୍ଟା ନାହିଁ । ତେଣୁ ସେହି ଆଧାରରେ ସେମାନେ ଭାରତୀୟ ନୁହଁନ୍ତି ବୋଲି ଚିହ୍ନଟ କରାଯାଇଛି । ଏହାସହ ସେମାନଙ୍କ ପୂର୍ବଜଙ୍କ ଜମିବାଡି ରେକର୍ଡ ଯାଂଚ କରିବା ପରେ ତାହା ପୂର୍ବ ମେଦିନାପୁର ବୋଲି ଜଣାପଡିଛି ।

ତେଣୁ ସେହି ଆଧାରରେ ସେମାନଙ୍କୁ ଦେଶାନ୍ତର କରାଯାଇଛି ବୋଲି ଜନୈକ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ଏହି ପରିବାରର ୫ଜଣ ସଦସ୍ୟ ୧୯୭୦ମସିହାରେ ଭାରତରେ ଅନୁପ୍ରବେଶ କରିଥିଲେ । ସେମାନଙ୍କ ମଧ୍ୟରୁ ୩ଜଣ କେନ୍ଦ୍ରାପଡାକୁ ଆସି ସ୍ଥାୟୀ ଭାବେ ବସବାସ କରୁଥିଲେ ।

ତେବେ ୫ଜଣଙ୍କ ମଧ୍ୟରୁ ୩ଜଣ ଭାଇଭଉଣୀଙ୍କୁ ଦେଶାନ୍ତର କରାଯାଇଥିବା ବେଳେ ଅନ୍ୟ ଦୁଇ ଜଣ ମୃତ ବୋଲି ସୂଚନା ଦିଆଯାଇଛି ।

ଇନସାନ୍ ଖାନ୍

୩ଦେଶାନ୍ତରଙ୍କ ମଧ୍ୟରୁ ଦୁଇଭାଇ ମୁନତାଜ ଓ ଇନସାନ୍ ସଦର ଥାନା ଅନ୍ତର୍ଗତ କପାଳେଶ୍ୱର ପଂଚାୟତର ଗରାପୁରସ୍ଥିତ ବସ୍ତିରେ ରହୁଥିବା ବେଳେ ସେମାନଙ୍କ ଭଉଣୀ ଅମିନା ବିବି ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ଅରୁଣନଗରରେ ରହୁଥିଲେ । ସଂପୃକ୍ତ ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ ବାଂଲାଦେଶୀଙ୍କୁ ଚିହ୍ନଟ କରି ଦେଶାନ୍ତର କରିବା ପାଇଁ କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ଓଡ଼ିଶା ଡିଜିଙ୍କୁ ନିର୍ଦେଶ ଆସିଥିଲା । ଡିଜି ଏ ନେଇ କେନ୍ଦ୍ରାପଡ଼ା ଏସପି ଙ୍କୁ ନିର୍ଦେଶ ଦେଇଥିଲେ । ଏସପି ଙ୍କ ନିର୍ଦେଶ ଅନୁଯାୟୀ ବାଂଲାଦେଶୀ ଧରପଗଡ଼ ଅଭିଯାନ ଆରମ୍ଭ ହୋଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ୩ ଜଣଙ୍କୁ ଦେଶାନ୍ତର କରାଯାଇଛି । ଆଗାମୀ ଦିନରେ ବାକି ବଂଲାଦେଶୀଙ୍କୁ ଦେଶାନ୍ତର କରାଯିବ ବୋଲି ସଂପୃକ୍ତ ପୋଲିସ ଅଧିକାରୀ ଜଣକ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *