୫ ବର୍ଷର ନାବାଳିକାକୁ ବଳାତ୍କାର ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡ

କେନ୍ଦ୍ରାପଡ଼ା,୧୬/୦୪/୨୦୨୫(ଓଡ଼ିଶା ସମାଚାର)- ଏକ ୫ ବର୍ଷର ନାବାଳିକା ବଳାତ୍କାର ମାମଲାର ବିଚାର କରି କେନ୍ଦ୍ରାପଡ଼ା ସ୍ୱତନ୍ତ୍ର ପୋକସୋ ଜଜ୍ ପ୍ରଜ୍ଞା ପରମିତା ରାଉଳ ଅଭିଯୁକ୍ତକୁ ଦୋଷୀସାବ୍ୟସ୍ତ କରିବା ସହ ୨୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ୬୦ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ଏକ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ଜଜ୍ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ।

ଦଣ୍ଡିତ ଆସାମୀ ହେଉଛି ପଟ୍ଟାମୁଣ୍ଡାଇ ମଡେଲ ଥାନା(ବର୍ତମାନ ଗ୍ରାମାଂଚଳ ଥାନା) ଅଂଚଳର ଚନ୍ଦ୍ର ଶେଖର ମଲ୍ଲିକ । ନାବାଳିକା ପରିବାରକୁ ୮ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ଜିଲା ଆଇନସେବା ପ୍ରାଧିକରଣକୁ ଜଜ୍ ନିର୍ଦ୍ଧେଶ ଦେଇଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ନାବାଳିକାଟି ତାଙ୍କ ମାଙ୍କ ପାଖରେ ଶୋଇଥିଲେ । ତାଙ୍କ ମା’ ୨୦୨୦ ମସିହା ଫେବୃୟାରୀ ମାସ ୨୭ ତାରିଖ ରାତି ପ୍ରାୟ ୪ଟାରେ ଶେଜରୁ ଉଠି ବାସନ ମାଜିବାକୁ ବାରି ପଛକୁ ଯାଇଥିଲେ । ଏହି ସମୟରେ ଅଭିଯୁକ୍ତ ଚନ୍ଦ୍ରଶେଖର ନାବାଳିକାଙ୍କ ଘରକୁ ପଶି ଶୋଇଥିବା ଅବସ୍ଥାରେ ନାବାଳିକାଙ୍କୁ ବଳାତ୍କାର କରିଥିଲା ।

ନାବାଳିକା ଜଣକ ଯନ୍ତ୍ରଣାରେ ଚିତ୍କାର କରିବାରୁ ନାବାଳିକାଙ୍କ ବୁଢି ମା’ ଘଟଣା ସ୍ଥଳକୁ ଆସି ଅଭିଯୁକ୍ତକୁ ବିରୋଧ କରିଥିଲେ । ଅଭିଯୁକ୍ତ ଫେରାର ହୋଇଯାଉଥିବା ସମୟରେ ପରିବାର ସଦସ୍ୟମାନେ ତାଙ୍କୁ କାବୁ କରିନେଇଥିଲେ । ଖବର ପାଇ ଅଭିଯୁକ୍ତର ବାପା ଜଗବନ୍ଧୁ ମଲ୍ଲିକ ଘଟଣା ସ୍ଥଳକୁ ୪/୫ ଜଣ ସହଯୋଗୀଙ୍କ ସହ ଆସି ନାବାଳିକାର ପରିବାର ସଦସ୍ୟଙ୍କୁ ଧମକ ଦେଇଥିଲା । ଘଟଣା ଥାନାକୁ ନେଲେ ପରିବାରର ସମସ୍ତ ସଦସ୍ୟଙ୍କୁ ହତ୍ୟା କରିବ ବୋଲି କହି ପୁଅକୁ ଯୋର ଜବରଦସ୍ତ ଛଡାଇ ନେଇ ଯାଇଥିଲା । ନାବାଳିକାର ମା’ ଏ ନେଇ ପଟ୍ଟାମୁଣ୍ଡାଇ ମଡେଲ ଥାନାରେ ଏତଲା ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ନାବାଳିକାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲା ।

ଏଥିସହ ନାବାଳିକା ପିନ୍ଧିଥିବା ପୋଷାକକୁ ପରୀକ୍ଷା ପାଇଁ ରାଜ୍ୟ ଫରେନ୍ସିକ ଲାବୋରେଟୋରୀକୁ ପଠାଇଥିଲା । ଏହାପରେ ଫେରାର ଥିବା ଅଭିଯୁକ୍ତ ଓ ଗଣ୍ଡଗୋଳ କରିଥିବା ଅଭିଯୁକ୍ତର ବାପାକୁ ପଟ୍ଟାମୁଣ୍ଡାଇ ମଡେଲ ଥାନା ପୋଲିସ ଗିରଫ କରି ଜେଲ ପଠାଇଥିଲା । ଏ ନେଇ ମଡେଲ ଥାନାରେ ୯୯/୨୦୨୦ରେ ଏକ ମାମଲା ରୁଜୁ ହୋଇଥିଲା । ତଦନ୍ତକାରୀ ଅଧିକାରୀ ୨୦୨୦ ଏପ୍ରିଲ ମାସ ୧୬ ତାରିଖରେ ଅଭିଯୋଗଫର୍ଦ୍ଧ ଦାଖଲ କରିଥିଲେ । ୧୬ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣକୁ ଭିତିକରି ଜଜ୍ ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *