ଭୁବନେଶ୍ୱର,୧୦/୧୧/୨୦୨୬(ଓଡ଼ିଶା ସମାଚାର)- ୭ ହଜାର ଟଙ୍କା ଲାଞ୍ଚ ନେବା ଓଆରଏସ୍ ମନୀଷା ମିଶ୍ରଙ୍କୁ ମହଙ୍ଗା ପଡ଼ିଲା । ରାଜ୍ୟ ସରକାର ମନୀଷା ମିଶ୍ରଙ୍କୁ ବରଖାସ୍ତ କରିଛନ୍ତି। ବାଲିଆପାଳ ସବ୍ରେଜିଷ୍ଟ୍ରାର୍ ମନୀଷା ମିଶ୍ର ପ୍ରୋବେସନ ପିରିୟଡରେ ଥିବାବେଳେ ଲାଞ୍ଚ ନେଇ ଧରାପଡ଼ିଥିଲେ। ଜମି ପଞ୍ଜୀକରଣ ପାଇଁ ୭ ହଜାର ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ।
ମନୀଷା ମିଶ୍ର (ଓଆରଏସ୍ ଅଧିକାରୀ ଭାବେ) ବାଲିଆପାଳ ସବ୍ରେଜିଷ୍ଟ୍ରାର୍ ଭାବେ ନିଯୁକ୍ତି ପାଇଥିଲେ । ଜମି ରେଜିଷ୍ଟ୍ରି କରାଇଦେବା ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ବାରିପଦା ଭିଜିଲାନ୍ସ ବିଭାଗର ୧୧ ଜଣିଆ ଟିମ୍ ତାଙ୍କୁ ଧରିଥିଲେ। ଏହି ଚଢ଼ଉ ସମୟରେ ଲାଞ୍ଚ ଟଙ୍କା ଜବତ କରାଯାଇଥିଲା। ସୂଚନା ଅନୁଯାୟୀ, ମନୀଷା ମିଶ୍ର ଗତ ୮ ମାସ ହେବ ବାଲେଶ୍ୱର ଜିଲ୍ଲା ବାଲିଆପାଳ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ। ସେ ବିଭିନ୍ନ ସମୟରେ ଲୋକଙ୍କଠାରୁ ଲାଞ୍ଚ ନେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲା।
ବାଲିଆପାଳ ଅଞ୍ଚଳର ଜ୍ଞାନ ରଞ୍ଜନ ପାତ୍ରଙ୍କ ଜମି ରେଜିଷ୍ଟ୍ରି କରାଇବା ପାଇଁ ମନୀଷା ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପରେ ୭ ହଜାର ଟଙ୍କାରେ ଡିଲ୍ ଚୂଡ଼ାନ୍ତ ହୋଇଥିଲା। ଏନେଇ ଜ୍ଞାନ ରଞ୍ଜନ ବାରିପଦା ଭିଜିଲାନ୍ସ ବିଭାଗକୁ ଅବଗତ କରାଇଥିଲେ। ନଭେମ୍ବର ୬ରେ ଜ୍ଞାନ ରଞ୍ଜନ ୭ ହଜାର ଟଙ୍କା ନେଇ ସବ୍-ରେଜିଷ୍ଟ୍ରାରଙ୍କ ନିକଟକୁ ଯାଇଥିଲେ। ସେ ଟଙ୍କା ଦେବା ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସର ୧୧ ଜଣିଆ ଟିମ୍ ଚଢ଼ଉ କରି ମନୀଷା ମିଶ୍ରଙ୍କୁ ଧରିଥିଲା। ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଥିଲା। ରାଜ୍ୟ ସରକାର ମନୀଷା ମିଶ୍ରଙ୍କୁ ବରଖାସ୍ତ କରିଛନ୍ତି।
