ଜାତୀୟ ପତାକା ବ୍ୟବହାର ସମ୍ପର୍କରେ ସୂଚନା
ଜଗତସିଂହପୁର, ୧୯/୦୯/୨୦୨୫ (ଓଡ଼ିଶା ସମାଚାର)- ଜାତୀୟ ପତାକାକୁ ସମ୍ମାନ ଜଣାଇବା ପ୍ରତ୍ୟେକ ଭାରତୀୟ ନାଗରିକଙ୍କ କର୍ତ୍ତବ୍ୟ । ଭାରତୀୟ ଜାତୀୟ ପତାକା ଆଶା ଓ ଉଚ୍ଚକାଂକ୍ଷା ଭାବେ ଆମ ଦେଶର ଜନସାଧାରଣଙ୍କ ପ୍ରତିନିଧିତ୍ବ କରିଥାଏ । ତେଣୁ ଜାତୀୟ ପତାକାକୁ ଭଲ ପାଇବା, ସମ୍ମାନ ଦେବା ଓ ଏହା ପ୍ରତି ଆନୁଗତ୍ୟ ଦେଖାଇବା ଉଚିତ୍ । ଜାତୀୟ ସମ୍ମାନ ନିୟମ ୧୯୭୧ ଅନୁଯାୟୀ ଜାତୀୟ ପତାକାକୁ ଅସମ୍ମାନ କଲେ ଆଇନାନୁଯାୟୀ ଦଣ୍ଡ ଦେବାର ବ୍ୟବସ୍ଥା ରହିଛି । ସେହିପରି ଫ୍ଲାଗ କୋର୍ଡ ଅଫ୍ ଇଣ୍ଡିଆ-୨୦୦୨ ନିୟମ ଅନୁଯାୟୀ ଏହାର ବ୍ୟବହାର ସଠିକ୍ ଭାବରେ କରାଯିବା ଉଚିତ ।
ଗୁରୁତ୍ୱପୂର୍ଣ୍ଣ ଜାତୀୟ ଦିବସ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ କ୍ରୀଡା ମହାକୁମ୍ଭ ସମୟରେ ପ୍ଲାଷ୍ଟିକ୍ ଜାତୀୟ ପତାକା ପରିବର୍ତ୍ତେ କାଗଜରେ ତିଆରି ଜାତୀୟ ପତାକା ବ୍ୟବହାର କରାଯିବା ଉଚିତ । ଏହି ସବୁ କାର୍ଯ୍ୟକ୍ରମ ସମୟରେ ଜନସାଧାରଣ ବ୍ୟବହାର କରୁଥିବା କାଗଜ ତିଆରି ଜାତୀୟ ପତାକାକୁ ଏଣେ ତେଣେ ପଡିଆରେ ପକାଇଥାନ୍ତି, ଯାହାକି ଜାତୀୟ ପତାକାକୁ ଅସମ୍ମାନ ଅଟେ। ସରକାରଙ୍କ ବିନା ଆଦେଶରେ ଜାତୀୟ ପତାକାକୁ ଅର୍ଦ୍ଧ ନମିତ ଭାବରେ ଉଡାଇବା ଅନୁଚିତ୍। ଜାତୀୟ ପତାକାକୁ ପୋଷାକ ପରିଛଦ, ୟୁନିଫର୍ମ, କୈାଣସି ପ୍ରକାର ଗଦି, ରୁମାଲ, ଗାମୁଛା ଓ ପୋଷାକ ପତ୍ରରେ ବ୍ୟବହାର କରାଯାଇ ପାରିବ ନାହିଁ । ଜାତୀୟ ପତାକା ଉପରେ କୈାଣସି ଲେଖାଲେଖି କରିବା ଅନୁଚିତ୍ ।
କୈାଣସି ଆତିଥ୍ୟ ଗ୍ରହଣ ସମୟରେ, ବିତରଣ ସମୟରେ, କୈାଣସି ଦ୍ରବ୍ୟ ବହନ ସମୟରେ ଜାତୀୟ ପତାକାକୁ ବ୍ୟବହାର କରାଯାଇ ପାରିବ ନାହିଁ । ସାଧାରଣତନ୍ତ୍ର ଦିବସ ଓ ସ୍ବାଧୀନତା ଦିବସ ପାଳନ ସମୟରେ ପତାକା ଉଡାଇବା ପୂର୍ବରୁ କେବଳ ପତାକା ମଧ୍ୟରେ ଫୁଲ ପାଖୁଡା ରଖାଯାଇ ପାରିବ । ପ୍ରତିମୂର୍ତ୍ତି ଉନ୍ମୋଚନ ସମୟରେ ପ୍ରତିମୂର୍ତ୍ତିକୁ ଆଛାଦିତ କଲାଭଳି ଜାତୀୟ ପତାକା ବ୍ୟବହାର କରାଯାଇ ପାରିବ ନାହିଁ । ପ୍ରତିମୂର୍ତ୍ତି ସ୍ଥଳରେ ପୃଥକ ଭାବରେ ଜାତୀୟ ପତାକା ପ୍ରଦର୍ଶିତ କରାଯାଇ ପାରିବ । ଇଛାକୃତ ଭାବେ ଜାତୀୟ ପତାକାକୁ ଚଟାଣ, ଭୂମି କିମ୍ବା ଜଳରେ ସ୍ପର୍ଶ କରାଯିବା ଅନୁଚିତ୍। ଯାନବାହାନ ରେଳଗାଡି, ନୌକା, ବିମାନର ହୁଡ୍, ପଛପାଖ, ଉଭୟ ପାର୍ଶ୍ଵରେ ଜାତୀୟ ପତାକା ପ୍ରଦର୍ଶିତ କରାଯାଇ ପାରିବ ନାହିଁ । ଜନସାଧାରଣ ଓ ଅନୁଷ୍ଠାନ ଏ ସଂପର୍କରେ ସଚେତନତା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଅଛି ।
