ଭୁବନେଶ୍ୱର,୧୦/୧୧/୨୦୨୬(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୦ଟି ବିଭାଗର ୧୩ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ବୈଠକରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ୀକରଣ କରିବା ସହ ରାଜ୍ୟର ବିକାଶକୁ ଗୁରୁତ୍ୱ ଦିଆଯାଇଛି।
ବୈଠକ ପରେ ମୁଖ୍ୟଶାସନ ସଚିବ ଅନୁ ଗର୍ଗ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, ନୂଆପଡ଼ାରେ ଜଳସେଚନ ବ୍ୟବସ୍ଥାର ସୁଦୃଢ଼ୀକରଣ ଲାଗି ୨୮୯.୬୮ କୋଟି ବ୍ୟୟ କରିବାକୁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନିଆଯାଇଛି।
ସେଥିରେ ୭ଟି ମେଗା ଲିଫ୍ଟ କରାଯିବାକୁ ବ୍ୟବସ୍ଥା ରହିଛି। ନୂଆପଡ଼ାର ପାର୍ବତୀ ଗିରି ମେଗା ଲିଫ୍ଟ ଜଳସେଚନ ଯୋଜନାର କ୍ଲଷ୍ଟର-୨୮ ଅଧୀନରେ ୭ଟି ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ବୋଡ଼େନ, ବୋରିଗାଁ, ଖଇରମାଲ, ଇସୁନପାଲି, ଗଣ୍ଡାବାହାଲି, ଚୌରା ଏବଂ କୋନାବିରା ପ୍ରକଳ୍ପ ଦ୍ବାରା ବୋଡ଼େନ, ସିନାପାଲି ଏବଂ କୋମନା ବ୍ଲକର ୫୯ ଟି ଗ୍ରାମର ୮,୮୦୦ ହେକ୍ଟର ଜମିରେ ଅତିରିକ୍ତ ଜଳସେଚନ କ୍ଷମତା ସୃଷ୍ଟି କରାଯିବ।
ଏହି ପ୍ରକଳ୍ପର ନିର୍ମାଣ ପାଇଁ ୨୬୮କୋଟି ୨୨ଲକ୍ଷ ୪୦ହଜାର ୮୪୨ ଟଙ୍କା ଏବଂ ପନ୍ଦର ବର୍ଷ ପାଇଁ ପରିଚାଳନା ଓ ରକ୍ଷଣାବେକ୍ଷଣ ଲାଗି ୨୧କୋଟି ୪୫ଲକ୍ଷ ୭୯ହଜାର ୨୬୮ ଟଙ୍କାର ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି ।
ସେହିପରି ଓଡିଶାରେ ସାଧାରତଃ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବାହ ଯୋଗୁ, ଅଧିକାଂଶ ବୃଷ୍ଟିପାତ କେବଳ ଜୁନ୍-ଅକ୍ଟୋବରରେ କେନ୍ଦ୍ରିତ ହେଉଥିବାରୁ ଏହାର ଦୀର୍ଘକାଳୀନ ସମାଧାନ ଲାଗି ଅନ୍ତଃ ନଦୀ ଜଳାଶୟ ନିର୍ମାଣକୁ ତ୍ୱରାନ୍ବିତ କରାଯିବ। ଏହି ଯୋଜନା ଅନ୍ତର୍ଗତ, ବଲାଙ୍ଗୀର ଜିଲାର ଟିଟିଲାଗଡ଼ ବ୍ଲକ୍ର ପଥର୍ଲା ଗ୍ରାମ ନିକଟରେ ତେଲ୍ ନଦୀର ଉପନଦୀ ଅବବାହିକାରେ ପ୍ରସ୍ତାବ ପ୍ରକଳ୍ପ ଲାଗି କ୍ୟାବିନେଟ ୯୯କୋଟି ୯୯ଲକ୍ଷ ୯୯ହଜାର ୯୯୯ ଟଙ୍କାର ଟେଣ୍ଡରଟିକୁ ଅନୁମୋଦନ କରିଛନ୍ତି ।
ଏହି ପ୍ରକଳ୍ପ ମାଧ୍ୟମରେ ଟିଟିଲାଗଡ଼ ଓ ବଙ୍ଗମୁଣ୍ଡା ବ୍ଲକର ୧୨ଟି ଗ୍ରାମକୁ ଘରୋଇ ଜଳ ଯୋଗାଣ କରାଯାଇପାରିବ।
୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଚିଠା ଅତିରିକ୍ତ ବଜେଟକୁ ରାଜ୍ୟ ମନ୍ତ୍ରିପରିଷଦର ଅନୁମୋଦନ ମିଳିଛି । ଅତିରିକ୍ତ ବଜେଟର ମୋଟ ଆକାର ପାଖାପାଖି ୧୮ ହଜାର କୋଟି ହେବ ବୋଲି ସୂଚନା ମିଳିଛି । ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିଲା ମନ୍ତ୍ରିପରିଷଦ ବୈଠକ । ଆସନ୍ତା ୧୮ ତାରିଖରେ ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନରେ ହିଁ ଅତିରିକ୍ତ ବଜେଟ ପ୍ରସ୍ତାବ ଉପସ୍ଥାପନ ହେବ ।
୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ ପାରିତ ହୋଇଥିଲା । ଏଥିରେ କାର୍ଯ୍ୟକ୍ରମ ଅର୍ଥାତ୍ ଯୋଜନା ବ୍ୟୟ ବରାଦ ଭାଗ ୫୮ ପ୍ରତିଶତ ( ୧ ଲକ୍ଷ ୮୦ ହଜାର କୋଟି) ଥିଲା । ବଜେଟରେ ୧୨% ଅଭିବୃଦ୍ଧି ଲକ୍ଷ୍ୟ ରଖିଥିଲେ ମୋହନ ସରକାର । କୃଷି, ଭିତ୍ତିଭୂମି, ଗ୍ରାମ୍ୟ ଉନ୍ନୟନ ବିଭାଗକୁ ସର୍ବାଧିକ ଫୋକସ୍ ଦିଆଯାଇଥିଲା । ପଞ୍ଚାୟତ ଓ ପୌର ନିର୍ବାଚନ ଆଗକୁ ଥିବାରୁ ଚିଠା ଅତିରିକ୍ତ ବଜେଟରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ପାଇଁ ବିଶେଷ ଧ୍ୟାନ ଦିଆଯାଇଛି ।
ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ ଡିଜିଟାଲ୍ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ ନେଇଛନ୍ତି। ଇଣ୍ଟରନେଟ୍ ସୁବିଧା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ସଶକ୍ତୀକରଣ ଫ୍ଲାଗସିପ୍ ଯୋଜନା ଓଡିଶା ଶିକ୍ଷାନେଟକୁ ଅନୁମୋଦନ ମିଳିଛି। ଏଥିରେ ସମସ୍ତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟଳୟକୁ ମାଗଣା ଓ୍ବାଇଫାଇ ଇଣ୍ଟରନେଟ ସୁବିଧା ମିଳିବ। ଏହି ଯୋଜନା ପାଇଁ ୨୦୨୯ ଯାଏଁ ୩୯୩ କୋଟି ୬୨ ଲକ୍ଷ ଟଙ୍କା ମଞ୍ଜୁରୀ ଦିଆଯାଇଛି।
ଏହି ଯୋଜନାରେ ପ୍ରତ୍ୟେକ ଛାତ୍ରଛାତ୍ରୀ କ୍ୟାମ୍ପସ୍ ମଧ୍ୟରେ ପ୍ରତିଦିନ ୧ GB ପର୍ଯ୍ୟନ୍ତ ମାଗଣା ଇଣ୍ଟରନେଟ୍ ଡାଟା ପାଇପାରିବେ। ପ୍ରଥମ ପର୍ଯ୍ୟାୟରେ ୧୩୦ଟି ମହାବିଦ୍ୟାଳୟରେ ଏହି ଯୋଜନା ସଫଳତାର ସହ କାର୍ଯ୍ୟକାରୀ ହୋଇଥିବାବେଳେ ବର୍ତ୍ତମାନ ଏହାକୁ ରାଜ୍ୟର ୬୦୧ଟି କଲେଜକୁ ସମ୍ପ୍ରସାରଣ କରାଯିବ।
ଏହି ସୁବିଧା ଦ୍ୱାରା ଛାତ୍ରଛାତ୍ରୀ ଇ-ବୁକ୍, ଡିଜିଟାଲ୍ ଲାଇବ୍ରେରୀ, ଅନଲାଇନ୍ କ୍ଲାସ୍, SWAYAM ଏବଂ ଅନ୍ୟାନ୍ୟ MOOCs ପ୍ଲାଟଫର୍ମ, ଗବେଷଣା ଡାଟାବେସ୍ ଓ ପ୍ରତିଯୋଗିତାମୂଳକ ପରୀକ୍ଷା ଉତ୍ସ, ଦକ୍ଷତା ବିକାଶ ପ୍ଲାଟଫର୍ମପାଇଁ ଅଧ୍ୟୟନ ସହଜରେ କରିପାରିବେ। ଏଥିସହ SAMS, HIMS ଓ ବୃତ୍ତି ପୋର୍ଟାଲ୍ ଭଳି ଇ-ଗଭର୍ଣ୍ଣାନ୍ସ ସେବାର ଉପଯୋଗ ମଧ୍ୟ ସହଜ ହେବ।
ବଲାଙ୍ଗୀର ଇନ୍ଦ୍ରା ନଦୀରେ ହେବ ଇନଷ୍ଟି୍ରମ ଷ୍ଟୋରେଜ। ଟିଟିଲାଗଡ ପଥରଲା ନିକଟରେ ହେବ ପ୍ରକଳ୍ପ। ପ୍ରକଳ୍ପ ପାଇଁ ୧୦୦ କୋଟି ଖର୍ଚ୍ଚ ହେବ। ସେହିପରି ନୂଆପଡା ଜିଲ୍ଲାରେ ହେବ ମେଗା ଜଳସେଚନ ପ୍ରକଳ୍ପ। ୭ ମେଗା ଉଠାଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ୫୯ ଗାଁକୁ ପାଣି ଯୋଗାଣ ପାଇଁ ଲକ୍ଷ୍ୟ ରହିଛି। ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୨୮୯ କୋଟି ୬୮ ଲକ୍ଷ। ସେହିପରି ଓସିଏସ ପରୀକ୍ଷାରେ ଆଟେମ୍ପଟ ଲିମିଟ ହଟାଯାଇଛି। ବୟସ, ଯୋଗ୍ୟତା ଠିକ ଥିଲେ ପରୀକ୍ଷା ଦେଇ ହେବ।
