ଶ୍ରମ କାର୍ଯ୍ୟାଳୟରୁ ନ୍ୟାୟ ପାଉନାହାନ୍ତି ଶ୍ରମିକ – ଅଭିଯୋଗ

କେନ୍ଦ୍ରାପଡ଼ା,୦୩/୦୪/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲା ଶ୍ରମ କାର୍ଯ୍ୟାଳୟରୁ ଶ୍ରମିକମାନେ ନ୍ୟାୟ ପାଇପାରୁ ନାହାନ୍ତି । ଶ୍ରମିକମାନଙ୍କ କଲ୍ୟାଣ ପାଇଁ ଯେଉଁ ଅର୍ଥ ଆସୁଛି ତାହା ହେରଫେର ହୋଇଯାଉଛି । ନିର୍ମାଣ ଶ୍ରମିକଙ୍କୁ ଗୁରୁତ୍ୱ ଦିଆନଯାଇ ଅଣସଂଗଠିତ ଶ୍ରମିକମାନଙ୍କୁ ଗୁରୁତ୍ୱ ଦିଆଯାଉଛି ବୋଲି କେନ୍ଦ୍ରାପଡା ଜିଲା ମିଳିତ ଟ୍ରେଡ ୟୁନିଅନ କମିଟି ପକ୍ଷରୁ ବୁଧବାର ଖଡିଅଙ୍ଗସ୍ଥିତ ସି.ପି.ଆଇ.(ଏମ) କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି ।

ଶ୍ରମିକ ନେତା ଜଗତଜୀବନ ଦାଶ ଅଭିଯୋଗ କରିଛନ୍ତି ଯେ ୭୦ଜଣ ନିର୍ମାଣ ଶ୍ରମିକଙ୍କ ମୃତୁ୍ୟକାଳୀନ ସହାୟତା ବାବଦ ଏକ କୋଟି ୪୦ଲକ୍ଷ ଟଙ୍କା ସେମାନଙ୍କ ପରିବାରକୁ ଦିଆନଯାଇ ହେରଫେର କରାଯାଇଛି । ଜଣେ ଅଣସଂଗଠିତ ଶ୍ରମିକଙ୍କ ମୃତୁ୍ୟ ହେଲେ ସପ୍ତାହକ ମଧ୍ୟରେ ତାଙ୍କ ପରିବାରକୁ ୩ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉଥିବା ବେଳେ ନିର୍ମାଣ ଶ୍ରମିକଙ୍କ ପରିବାର ସଦସ୍ୟ ଏଥିପାଇଁ ବର୍ଷ ବର୍ଷ ଧରି ଶ୍ରମ କାର୍ଯ୍ୟାଳୟକୁ ଦୌଡୁଥିଲେ ମଧ୍ୟ ସେମାନଙ୍କ କଥା କେହି ଶୁଣୁ ନାହାନ୍ତି ।

ମହାକାଳପଡାରେ ୩ଲକ୍ଷ ୫୦ହଜାର ଟଙ୍କା ବ୍ୟୟରେ ଏକ ନିର୍ମାଣ ଶ୍ରମିକ ସେଡ ନିର୍ମାଣ କରାଯାଇଥିବା କାଗଜପତ୍ରରେ ଦର୍ଶାଯାଇ ସେହି ଅର୍ଥ ଚଳୁ କରାଯାଇଛି । ଶ୍ରମିକମାନଙ୍କୁ ସାଇକେଲ, ଯନ୍ତ୍ରପାତି ସହାୟତା, ଗୃହନିର୍ମାଣ ସହାୟତା, ଚିକିତ୍ସା ସହାୟତା ପ୍ରଦାନରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି । ଏସଂକ୍ରାନ୍ତ ଅଭିଯୋଗ ଲୋକପାଳଙ୍କୁ ପ୍ରଦାନ କରାଯାଇଥିଲା । ଲୋକପାଳ ଏହାର ତଦନ୍ତ କରିବା ପାଇଁ ଅର୍ଥନୈତିକ ଅପରାଧ ଶାଖାକୁ ଦେଇଥିଲେ ।

ଅର୍ଥନୈତିକ ଅପରାଧ ଶାଖା ଏହାର ତଦନ୍ତ ଦାୟୀତ୍ୱ ଭିଜିଲାନ୍ସକୁ ଦେଇଥିଲେ । କିନ୍ତୁ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ । ଏହାର ପ୍ରତିବାଦରେ କେନ୍ଦ୍ରାପଡା ଭିଜିଲାନ୍ସ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଫକୀର ଚରଣ ଖଟୁଆ, ସଞ୍ଜୀବ ରାଉତ, କାଂଚନବାଳା ସ୍ୱାଇଁ, ମାଧବ ଦାସ, ଜଗତଜୀବନ ଦାଶ, ପ୍ରଜ୍ଞାଦୀପ୍ତ ସାମଲ, ତ୍ରିଲୋଚନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *