ଭୁବନେଶ୍ୱର,୦୩/୦୪/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଆଇସିଏଆର୍-କେନ୍ଦ୍ରୀୟ ମଧୁରଜଳଜୀବ ପାଳନ ସଂସ୍ଥା (ସିଫା)ର ୩୮ତମ ବାର୍ଷିକ ଉତ୍ସବ କୌଶଲ୍ୟାଗଂଗସ୍ଥିତ ମୁଖ୍ୟାଳୟ ଠାରେ ପାଳିତ ହୋଇଯାଇଛି । ୧୯୮୭ ମସିହା ଆଜିର ଦିନରେ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ତରଫରୁ ସିଫା ପ୍ରତିଷ୍ଠା ହୋଇଥିଲା ।ଏହି ଉତ୍ସବରେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଧେଶକ ଡ. ମୃତୁ୍ୟଂଜୟ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ମଧୁରଜଳ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡ. ମହାପାତ୍ର ସିଫା ର ୩୮ତମ ବାର୍ଷିକ ଉତ୍ସବ ଅବସରରେ ଅଭିନନ୍ଦନ ଜଣାଇଥିଲେ ।
ଏହି ଅନୁଷ୍ଠାନଟି ଗବେଷଣା, ପ୍ରକାଶନ ଓ ପ୍ୟାଟେଂଟ ହାସଲ କ୍ଷେତ୍ରରେ ପ୍ରମୁଖ ସଫଳତା ହାସଲ କରିବା ସହିତ ଏହାର ଗବେଷଣାଲବ୍ଧ ବ୍ୟବହାରିକ ଜ୍ଞାନକୁ କୃଷକ ମାନଙ୍କ ନିକଟରେ ପହଂଚାଇବା ପାଇଁ ପ୍ରାଥମିକତା ଦେଇଛି । ସାଧାରଣଲୋକଙ୍କୁ ପ୍ରଶିକ୍ଷଣ ପ୍ରଦାନ, ଉଦ୍ୟୋଗ ପ୍ରତିଷ୍ଠା ପାଇଁ ପ୍ରୋତ୍ସାହନ ଓ ମହିଳାମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରି ରାଷ୍ଟ୍ରର ଅଗ୍ରଗତିରେ ସହାୟକ ହେବା ପାଇଁ ଉଦ୍ୟମ ଜାରି ରଖିଛି ବୋଲି ସେ ପ୍ରକାଶ କରିଥିଲେ ।
ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ତେଜ୍ ପ୍ରତାପ ସମ୍ମାନୀତ ଅତିଥି ରୂପେ ଯୋଗଦାନ କରିଥିଲେ । ପ୍ରାକ୍ତନ କର୍ମଚାରୀଙ୍କୁ ସିଫାଦ୍ୱାରା ସମ୍ମାନୀତ କରାଯାଇଥିବାରୁ ସେ ଆନନ୍ଦ ପ୍ରକାଶ କରିଥିଲେ ।ଏହି ପରିପ୍ରେକ୍ଷୀରେ ସେ କହିଥିଲେ ଯେ, କୌଣସି ଅନୁଷ୍ଠାନର ସଫଳତା ବର୍ତମାନ କାର୍ଯ୍ୟରତ ଥିବା କର୍ମଚାରୀଙ୍କ କାର୍ଯ୍ୟ ଯୋଗୁ କେବଳ ନୁହେଁ ପରନ୍ତୁ ପ୍ରାକ୍ତନ କର୍ମଚାରୀଙ୍କ କଠୋର ପରିଶ୍ରମ, ସମର୍ପିତ ମନୋଭାବ, ଅଧ୍ୟବସାୟ ଯୋଗୁଁ ସମ୍ଭବ ହୋଇପାରିଛି ।ସେମାନଙ୍କର ପରିଶ୍ରମକୁ ପ୍ରଶଂସା କରି ତାଙ୍କୁ କୃତଜ୍ଞତା ଜଣାଇଲେ ବର୍ତମାନ ଏବଂ ଭବିଷ୍ୟତର ପିଢୀମାନେ କାର୍ଯ୍ୟକରିବାକ ୁଉତ୍ସାହିତ ହେବେ ।
ଭାରତୀୟ ଜଳ ପରିଚାଳନା ସଂସ୍ଥାର ନିର୍ଦ୍ଧେଶକ ଡ. ଅର୍ଜମାଦତ ଷଡ଼ଙ୍ଗୀ କହିଥିଲେ ଯେ ବିଶ୍ୱସ୍ତରୀୟ ମାନ୍ୟତା ବଜାୟ ରଖିବା ପାଇଁ ଗବେଷଣା କ୍ଷେତ୍ରରେ ପରିସ୍ପର ମଧ୍ୟରେ ଦୃଢସହଯୋଗ ରଖିବା ସହିତ ହିତାଧିକାରୀ ମାନଙ୍କୁ ଅନ୍ତର୍ଭୁକ୍ତ କଲେ ଆସୁଥିବା ସମସ୍ୟାର ସମାଧାନ ହୋଇପାରିବ । ଇଣ୍ଡିଆନ ଇନଷ୍ଟିଚୁ୍ୟଟ୍ ଅଫ୍ ଏଗ୍ରିକଲଚରାଲ ବାୟୋଟେକ୍ନୋଲୋଜିର ନିର୍ଦ୍ଧେଶକ ଡ. ସୁଜୟ ରକ୍ଷିତ ୍କହିଥିଲେ ଯେ ବାର୍ଷିକ ଉତ୍ସବ ଆତ୍ମ ବିଶ୍ଳେଷଣ, ସ୍ୱମୂଲ୍ୟାଂକନ ପାଇଁ ଏକ ସୁଯୋଗ ସୃଷ୍ଟିକରିଥାଏ ।
ପ୍ରାରମ୍ଭରେ ସିଫାର ନିର୍ଦ୍ଧେଶକ ଡ. ପି. କେ.ସାହୁ ଅତିଥିମାନଙ୍କୁ ସ୍ୱାଗତ କରି ବିଗତ ବର୍ଷରେ ବିଭିନ୍ନ କ୍ଷେତ୍ରରେ ସିଫା ଅର୍ଜନ କରିଥିବା କୃତୀତ୍ୱ ଗୁଡ଼ିକ ଯଥା ଅତ୍ୟାଧୁନିକ ସ୍ମାର୍ଟ ପୋଖରୀ, ବାୟୋଫ୍ଲକ ମାଛ ଚାଷ, ପାବ୍ଦା ଓ ଚିଙ୍ଗୁଡ଼ି ପାଇଁ ପୋର୍ଟେବଲ ହାଚେରୀ ପ୍ରତିଷ୍ଠା କରାଯାଇଛି ବୋଲି ପ୍ରକାଶ କରିଥିଲେ । ଉଚ୍ଚ ମୂଲ୍ୟଯୁକ୍ତ ମାଛ ଯଥା ଏଏଚଆର୍ ଜୟନ୍ତୀ ରୋହୀ ଓ ସିଫା ଜିଆଇସ୍କାମ୍ପିର ଉତ୍ପାଦନର ସଫଳତା ବିଷୟରେ ବର୍ଣ୍ଣନା କରିଥିଲେ । ଏହାଏବେ ସମଗ୍ର ଦେଶରେ ବଂଟନ କରାଯାଇ ପାରିଛି ବୋଲି ମଧ୍ୟ ସେ ପ୍ରକାଶକରିଥିଲେ ।ମାଛରୋଗର ନିୟନ୍ତ୍ରଣ ପାଇଁ ନୂତନ ଭ୍ୟାକ୍ସିନ୍ ର ଉଦ୍ଭାବନ ଓ ଏଏମ୍ଆର୍ସର୍ଭିଲାନ୍ସ ସଂପର୍କରେ ଡ. ସାହୁ ବର୍ଣ୍ଣନା କରିଥିଲେ ।
ବିଏସ୍ଏଫ୍ଲାର୍ଭା ଓ ସାମୁଦ୍ରିକ ମାଇକ୍ରୋ ଆଲଗାଲତୈଳକୁ ପୋଷଣୀୟ ଖାଦ୍ୟ ର ଉପାଦାନ ଭାବରେ ବ୍ୟବହାର କରି ସିଫା କୃତୀତ୍ୱ ଅର୍ଜନ କରିଛି ବୋଲି ସେ କହିଥିଲେ ।ବିଗତ ବର୍ଷରେ ଜିନୋମ୍ଏଡିଟିଂ ଲ୍ୟାବ୍ ଓ ସେଂଟ୍ରାଲ ଇନ୍ଷ୍ଟ୍ରୁମେଂଟେସନ୍ ଫାସିଲିଟି ପ୍ରତିଷ୍ଠା କରାଯିବା ସହିତ କୃଷକମାନଙ୍କୁ ବିଭିନ୍ନ କ୍ଷେତ୍ରରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଆନ୍ତର୍ଜାତୀୟ ସହଯୋଗୀତା ସୃଷ୍ଟିକରି ପୋଷଣୀୟ ଜଳକୃଷି ପ୍ରତିଷ୍ଠାକରିବା ଦିଗରେ ସାରା ଦେଶରେ ସିଫାସଫଳତା ହାସଲ କରିଛି ବୋଲି ଡ. ସାହୁ ପ୍ରକାଶ କରିଥିଲେ ।
ଏହି ଅବସରରେଅତିଥିମାନେ ୧୪ ଗୋଟି ପୁସ୍ତିକା ଓ ଅମୃତ୍କାଟ୍ଲା ଭିଡିଓକୁ ଉନ୍ମୋଚନ କରିବାସହିତ ୨୦୨୪ ମସିହା ପାଇଁ ଏସ୍ ଶୁସିଲା ଆମାବୃତି, ଡ. ଗିରିଶ ଚନ୍ଦ୍ର ଚୌଧୁରୀ ବୃତି ଓ ଡ. ଟି. ଋାମାପ୍ରଭୁବୃତି ପ୍ରଦାନ କରିଥିଲେ ।ଏହି ଉତ୍ସବରେ ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଧେଶିକା ଡ. ମନୋରମା ମହାନ୍ତି ଯୋଗଦେଇଥିଲେ ।ଜାତୀୟ ଧାନ ଗବେଷଣାକେନ୍ଦ୍ର, ସିଆଇଡବ୍ଲୁଏ, ସିଟିସିଆର୍ଆଇ, ଓୟୁଏଟି, ଏନ୍ଏଫ୍ଡିବି ର ପ୍ରତିନିଧିମାନଙ୍କ ସହିତ ସିଫାର ଅବସରପ୍ରାପ୍ତ କର୍ମଚାରୀମାନେ ଯୋଗଦାନ କରିଥିଲେ ।ଶେଷରେ ଫିସ୍ଜେନେଟିକ୍ସ ଏଣ୍ଡ ବାୟୋଟେକ୍ନୋଲୋଜି ବିଭାଗର ମୁଖ୍ୟ ଡ. ଜେ. କେ. ସୁନ୍ଦରାୟ ଧନ୍ୟବାଦ ଅର୍ପଣ କରିଥିଲେ ।
-୦-