କେନ୍ଦ୍ରାପଡା,୧୫/୧୦/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡାରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ରୀୟ ଯୋଜନାର ସଫଳ ରୂପାୟନ ଓ କାର୍ଯ୍ୟକାରୀତାର ସମୀକ୍ଷା କରିଛନ୍ତି ଦୁଇଜଣ କେନ୍ଦ୍ରୀୟ ଅଧିକାରୀ । ସୋମବାର ଅପରାହ୍ନରେ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜାତୀୟ ଜୀବିକା ମିଶନର ବରିଷ୍ଠ ପ୍ରକଳ୍ପ ଅଧିକାରୀ ଅନୁପ ଯୋଶୀ ଓ ବରିଷ୍ଠ କାର୍ଯ୍ୟକ୍ରମ ସଂଯୋଜକ ସଚୀ ଯୋଗେନ୍ଦ୍ରନାଥ ବର୍ମା ଯୋଗଦେଇ କେନ୍ଦ୍ରାପଡା ଜିଲାରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରି ଗତ ୨୦୨୩-୨୪ ଓ ୨୦୨୪-୨୫ ଅଗଷ୍ଟ ମାସ ସୁଦ୍ଧା କେତେ ଲକ୍ଷ୍ୟ ପୂରଣ ହୋଇଛି ତା’ ଉପରେ ସମୀକ୍ଷା କରିଛନ୍ତି । ଜିଲାରେ କାର୍ଯ୍ୟକାରୀ ହେଉଥିବା ଦୀନଦୟାଲ ଅନ୍ତଃଦୋୟ ଯୋଜନା, ଜାତୀୟ ଗ୍ରାମୀଣ ଜୀବିକା ମିଶନ, ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଜାତୀୟ ସାମାଜିକ ସହାୟତା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ, ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା, ପଂଚାୟତିରାଜ, ଡିଜିଟାଲ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡସ ଆଧୁନିକିକରଣ କାର୍ଯ୍ୟକ୍ରମ, ଦୀନଦୟାଲ ଗ୍ରାମୀଣ କୌଶଳ ଯୋଜନା, ଗ୍ରାମୀଣ ସ୍ୱୟଂ କର୍ମ ନିୟୋଜନ ପ୍ରଶିକ୍ଷଣ ପ୍ରତିଷ୍ଠାନର କାର୍ଯ୍ୟକାରୀତା ଆଦି ସମ୍ପର୍କରେ ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ କେନ୍ଦ୍ରାପଡା ବିଡିଓ, ମାର୍ଶାଘାଇ, ମହାକାଳପଡା ଓ ପଟ୍ଟାମୁଣ୍ଡାଇ ବିଡିଓଙ୍କ ପ୍ରତିନିଧି, ଜିଲା ମୁଖ୍ୟ କୃଷି ଅଧିକାରୀ କଲ୍ୟାଣ ରାୟ, ଜିଲା ବେସାମରିକ ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁ, ମୃତିକା ସଂରକ୍ଷଣ ସହକାରୀ ନିର୍ଦ୍ଧେଶକ ଅଶୋକ କୁମାର ସାମଲ, ଜୀବିକା ମିଶନର ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ ଦୁଇଜଣ କେନ୍ଦ୍ରୀୟ ଅଧିକାରୀ ପଟ୍ଟାମୁଣ୍ଡାଇ ବ୍ଲକର ଚନ୍ଦନନଗର ଓ ଗଙ୍ଗାରାମପୁର ଗ୍ରାମ ପଂଚାୟତ ଗସ୍ତ କରି ସମସ୍ତ କାର୍ଯ୍ୟର ସମୀକ୍ଷା କରିଥିଲେ । ଆସନ୍ତା ୨-୩ ଦିନ ମଧ୍ୟରେ କେନ୍ଦ୍ରାପଡା, ମାର୍ଶାଘାଇ ଓ ମହାକାଳପଡା ବ୍ଲକର ବିଭିନ୍ନ ପଂଚାୟତକୁ ଗସ୍ତ କରି କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିବେ ।
ଦୁଇଜଣିଆ କେନ୍ଦ୍ରୀୟ ଅଧିକାରୀଙ୍କ କେନ୍ଦ୍ରାପଡା ଜିଲାରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ରୀୟ ଯୋଜନାର ସମୀକ୍ଷା Review of Central Schemes being implemented in Kendrapada District by two Central Officers
