ଫେରିଲା ହଜିଯାଇଥିବା ଶୈକ୍ଷିକ ବାତାବରଣ
କେନ୍ଦ୍ରାପଡା,୨୮/୦୩/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଦୀର୍ଘଦିନର ଅଚଳାବସ୍ଥା ପରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଡ. ସଞ୍ଜୀବ କୁମାର ମହାନ୍ତିଙ୍କୁ ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦିଆଯାଇଛି । ଗତ ୨୨ତାରିଖରେ ଡ. ମହାନ୍ତି କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ତାଙ୍କର ନିଷ୍ଠା ଓ ଦକ୍ଷତା ବଳରେ ବିଗତ ୪ବର୍ଷ ଧରି ଏହି ମହାବିଦ୍ୟାଳୟରେ ହଜିଯାଇଥିବା ଶୈକ୍ଷିକ ବାତାବରଣ ପୂନର୍ବାର ଫେରିଆସିଥିବା ଦେଖିବାକୁ ମିଳିଛି ।
ଏହାକୁ ନେଇ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଭିଭାବକ, କର୍ମଚାରୀ ଓ ଜନସାଧାରଣଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । ନୂତନ ଅଧ୍ୟକ୍ଷ ମହାବିଦ୍ୟାଳୟ ପରିସରରେ ଥିବା ଅଧ୍ୟକ୍ଷଙ୍କ କ୍ୱାଟରରେ ରହୁଥିବାରୁ କଲେଜ ପ୍ରଶାସନ ମଧ୍ୟ ସକ୍ରୀୟ ହୋଇ ଉଠିଛି ।
କଲେଜ ପରିସରରେ ଶୈକ୍ଷିକ ପରିବେଶର ଉନ୍ନତି ସହ ଶୃଙ୍ଖଳା ଫେରିଆସିଥିବାରୁ ଶିକ୍ଷାନୁଷ୍ଠାନର ପୁରୁଣା ହୃତଗୌରବ ବୃଦ୍ଧି ପାଉଥିବା ବେଳେ ସାଧାରଣଜନତାଙ୍କ ବିଶ୍ୱାସ ଦୃଢିଭୂତ ହୋଇଛି । ଆଗାମୀ ଦିନରେ ମହାବିଦ୍ୟାଳୟର ଆୟବ୍ୟୟ ସମ୍ପର୍କରେ ନୂତନ ଅଧ୍ୟକ୍ଷ ଦୃଢ ପଦକ୍ଷେପ ଗ୍ରହଣ କରି ସେଥିରେ ସୁଧାର ଆଣିବାକୁ କଲେଜର ହିତୈଷୀମାନେ ଆଶାବ୍ୟକ୍ତ କରିଛନ୍ତି ।
ଏତଦବ୍ୟତିତ ମହାବିଦ୍ୟାଳୟ ଭିତିଭୂମିର ବିକାଶ ଏବଂ ଖର୍ଚ୍ଚ ହୋଇନପାରି ଫେରିଯାଉଥିବା ସରକାରୀ ଅନୁଦାନର ତୁରନ୍ତ ସଦୁପଯୋଗ କରାଯିବା ପାଇଁ ନୂତନ ଅଧ୍ୟକ୍ଷ ଓ ମହାବିଦ୍ୟାଳୟ ପରିଚାଳନା ଦାୟୀତ୍ୱରେ ଥିବା ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ବିଳମ୍ବରେ ହେଲେ ମଧ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଏତାଦୃଶ ପଦକ୍ଷେପ ଓ ସ୍ଥାନୀୟ ବିଧାୟକଙ୍କ ଆସ୍ତିବାଚକ ଭୂମିକା ପାଇଁ କେନ୍ଦ୍ରାପଡାର ବୁଦ୍ଧିଜିବି, ଜନସାଧାରଣ ଓ ପୁରାତନ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ପ୍ରଫେସର ନନ୍ଦ କିଶୋର ପରିଡା, ତପନ କୁମାର ପତି, ଡ. ପ୍ରମୋଦ କୁମାର ଦାସ, ଡ.ପ୍ରଦୀପ୍ତ କିଶୋର ଦାଶ, ଚିତରଞ୍ଜନ ଦାସ, ରବୀନ୍ଦ୍ର ଦାଶ, ପ୍ରତାପ ମହାନ୍ତି ପ୍ରମୁଖ ସାଧୁବାଦ ଜଣାଇଛନ୍ତି ।
