ପୂର୍ବତନ ଏଣ୍ଡର ପଂଚାୟତର ଜିଆରଏସଙ୍କୁ ୪ବର୍ଷ ଜେଲଦଣ୍ଡ

କେନ୍ଦ୍ରାପଡା,୨୭/୦୨/୨୦୨୫(ଓଡ଼ିଶା ସମାଚାର)- ଏକ ଲାଂଚ କାରବାର ମାମଲାର ବିଚାର କରି କଟକସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ କେନ୍ଦ୍ରାପଡା ଜିଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଏଣ୍ଡର ଗ୍ରାମପଂଚାୟତର ପୂର୍ବତନ ଗ୍ରାମରୋଜଗାର ସେବକ(ଜି.ଆର.ଏସ.) ଲଳିତବସନ୍ତ ଘଡେଇଙ୍କୁ ୪ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିବା ସହିତ ଏକ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି ।

ମାମଲାର ବିବରଣୀରୁ ପ୍ରକାଶ ଯେ ଅଭିଯୁକ୍ତ ପୂର୍ବତନ ଜି.ଆର.ଏସ. ଶ୍ରୀ ଘଡେଇ ଏଣ୍ଡର ଗ୍ରାମପଂଚାୟତର ଜି.ଆର.ଏସ. ଥିବା ବେଳେ ଏକ ସିମେଂଟ କଂକ୍ରୀଟ ରାସ୍ତାର ନିର୍ମାଣ କରିଥିବା ଠିକାଦାରଙ୍କ ସିକୁ୍ୟରିଟି ଜମାଅର୍ଥ ଫେରାଇବା ପାଇଁ ତାଙ୍କୁ ଲାଂଚ ମାଗିଥିଲେ ।

ଏନେଇ ସଂପୃକ୍ତ ଅଭିଯୋଗକାରୀ ଠିକାଦାର ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ । ଯାହାଫଳରେ ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ତାଙ୍କୁ ଗିରଫ କରି ତାଙ୍କ ଠାରୁ ଲାଂଚ ଅର୍ଥ ଜବତ କରିଥିଲେ । ଏହି ମାମଲାର ଅଭିଯୋଗ ଫର୍ଦ୍ଧ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଦାଖଲ କରାଯିବା ପରେ ମାମଲା ବିଚାରାଧିନ ଥିଲା । ସେହି ମାମଲାର ବିଚାର କରି କଟକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଅଭିଯୁକ୍ତ ଶ୍ରୀ ଘଡେଇଙ୍କୁ ଉପରୋକ୍ତ ଦଣ୍ଡାଦେଶ କରିଛନ୍ତି । କୋର୍ଟ ଦଣ୍ଡବିଧାନ କରିବା ପରେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି । ଏଥିସହିତ ତାଙ୍କୁ ଚାକିରୀରୁ ଅନ୍ତର କରାଯାଇଛି ।

Leave a Reply

Your email address will not be published. Required fields are marked *