ଥାନାରେ ମହିଳାଙ୍କୁ ଦୁର୍ବ୍ୟବହାର

ଏସ.ଆଇ.ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି
କେନ୍ଦ୍ରାପଡା,୨୭/୦୨/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲାର ମାର୍ଶାଘାଇ ଥାନାରେ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ନେଇ ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ସଂପୃକ୍ତ ମହିଳା ଅଭିଯୋଗ କରିଛନ୍ତି । ଅଭିଯୋଗକାରୀ ମାର୍ଶାଘାଇ ଥାନା ଅଧିନ ଗୋପିନାଥପୁର ଗ୍ରାମର ପାୟଲ ସାମନ୍ତରାୟ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଗତ ୬ତାରିଖ ରାତି ୧୨ଟାରେ ସେ ଘରେଥିବା ବେଳେ କେତେକ ଦୁର୍ବୃତ ତାଙ୍କ ଘରେ ପଶି ତାଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ ।

ଏନେଇ ସେ ସେହି ରାତିରେ ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ । ଏହି ସମୟରେ ଥାନାରେ ସବଇନସପେକ୍ଟର ଅଜୟ କୁମାର ସାହୁ ଡୁ୍ୟଟିରେ ଥିଲେ । ସେ ତାଙ୍କୁ ଲିଖିତ ଅଭିଯୋଗ ଦେଇ ନ୍ୟାୟ ଭିକ୍ଷା କରିଥିଲେ । କିନ୍ତୁ ଏସ.ଆଇ. ଶ୍ରୀ ସାହୁ ତାଙ୍କୁ ନ୍ୟାୟ ଦେବା ବଦଳରେ ତାଙ୍କୁ ଥାନାରେ ଅଟକ ରଖି ଦୁର୍ବ୍ୟବହାର କରିଥିଲେ ।

ଏହାସହ ସେ ଯେଉଁ ଏତଲା ଦେଇଥିଲେ ତାକୁ ଚିରିବା ପାଇଁ ତାଙ୍କୁ କହିଥିଲେ ଏବଂ ସେ ଯେପରି କହୁଛନ୍ତି ସେହି ଆଧାରରେ ଏତଲା ଲେଖିବାକୁ କହିଥିଲେ । ସେ ଏଥିରେ ରାଜି ନହେବାରୁ ତାଙ୍କୁ ଦୁର୍ବ୍ୟବହାର କରିଥିବା ସଂପୃକ୍ତ ମହିଳା ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ଏସମ୍ପର୍କରେ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତଙ୍କୁ ପଚାରିବାରୁ ସେ କହିଲେ ସଂପୃକ୍ତ ଏସ.ଆଇ. ବିଧାନସଭା ଡୁ୍ୟଟିରେ ରାଜଧାନୀ ଯାଇଛନ୍ତି । ଏସଂକ୍ରାନ୍ତରେ ଏସପିଙ୍କ ନିକଟରେ ଅଭିଯୋଗ ହେବା ପରେ ଅତିରିକ୍ତ ଏସପି ତାଙ୍କୁ ପଚାରିଥିଲେ । ଏସ.ଆଇ. ଶ୍ରୀ ସାହୁ ସେଠାରୁ ଫେରିବା ପରେ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave a Reply

Your email address will not be published. Required fields are marked *