ସାଲେପୁର,୨୧/୦୭/୨୦୨୫(ଓଡ଼ିଶା ସମାଚାର)- କଟକ ସାଲେପୁର ମୁଖ୍ୟ ରାସ୍ତାର ନାଳିଆମୁହଁ ଛକ ନିକଟରେ ଏକ ପିକଅପ୍ ଭ୍ୟାନ୍ ଓ ଡାଲାଅଟୋ ମଧ୍ୟରେ ଦୁର୍ଘଟଣା ଘଟିବା ଫଳରେ ଡାଲା ଅଟୋରେ ଥିବା ଦୁଇଜଣଙ୍କ ମଧ୍ୟରୁ ଜଣେ ମୃତୁ୍ୟବରଣ କରିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି । ମୃତକ ଜଣକ ହେଲେ ଢେଙ୍କାନାଳ ଭାପୁର ଥାନା ରାଣୀପାଳର ସାଗର ସାହୁ । ଗୁରୁତର ଜଣକ ହେଲେ ଢେଙ୍କାନାଳ ଭୁବନ ଥାନା ଅଂଚଳର ବିଶ୍ୱଜିତ ବେହେରା ।
ଦୁଇଜଣକୁ ସ୍ଥାନୀୟ ଲୋକେ ଉଦ୍ଧାରକରି ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ସେଠାରେ ଡାକ୍ତର ସାଗର ସାହୁଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ମୁତାବକ ଡାଲା ଅଟୋରେ ଦୁଇଜଣ କଟକ ମାଲ୍ ଗୋଦାମରୁ କେନ୍ଦ୍ରାପଡ଼ାକୁ ଫେରୁଥିବା ବେଳେ ସାଲେପୁର ନାଳିଆମୁହଁ ଛକ ନିକଟରେ ଦୁର୍ଘଟଣାର ଶିକାର ହୋଇଥିବା ସୂଚନା ମିଳିଛି । ସାଲେପୁର ପୁଲିସ ପହଂଚି ଶବକୁ ଜବତ କରି ତଦନ୍ତ ଚଳାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ପିକଅପ୍ ଭ୍ୟାନ୍ ଫେରାର ହୋଇଯାଇଥିବା ବେଳେ ଡାଲାଅଟୋକୁ ପୁଲିସ ଜବତ କରିଛି ।
