ନିମାପଡ଼ା,୧୩/୦୨/୨୦୨୫ (ଓଡ଼ିଶା ସମାଚାର)- ନିମାପଡ଼ାର ଆରାଧ୍ୟ ଦେବତା ମହାପ୍ରଭୁ ଗୋପୀନାଥଙ୍କ ଅଷ୍ଟମ ପ୍ରହର ନାମଯଜ୍ଞ ଓ ସଂକୀର୍ତନ ଅନୁଷ୍ଠିତ ହୋଇ ଯାଇଛି। ବଡ଼ବଜାର ଗୋପୀନାଥ ମହାପ୍ରଭୁଙ୍କ ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଗୋପୀନାଥ ପାଟଣା, ମହାରଣାସାହି, ମୁଦୁଲିସାହି, ବଡବଜାର ଆଦି ୪ସାହିର ଶତାଧିକ ଗ୍ରାମବାସୀ ସହଯୋଗ କରିଥିଲେ।
ତିନିଦିନ ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମଙ୍ଗଳବାର ଦିନ ସକାଳୁ ଅଧିବାସ, ସନ୍ଧ୍ୟାରେ କଳସ ସ୍ଥାପନା, ମହାପ୍ରଭୁଙ୍କ ବିଗ୍ରହ ପ୍ରତିଷ୍ଠା ଆଦି କରାଯାଇଥିବା ବେଳେ ବୁଧବାର ଭୋର ୫ଟାରୁ ଅଷ୍ଟମ ପ୍ରହର ନାମ ସଂକୀର୍ତନ ଆରମ୍ଭ ହୋଇଥିଲା।
ଅଞ୍ଚଳର ନାମକରା ୧୬ମଣ୍ଡଳ ସଂକୀର୍ତନ ମଣ୍ଡଳୀ ଯୋଗ ଦେଇଥିଲେ। ଗୁରୁବାର ସକାଳୁ ଦହିହାଣ୍ଡି ଭଙ୍ଗା ନୀତି, ନଗରକୀର୍ତ୍ତନ ଓ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା। ଗୋପୀନାଥ ମହାପ୍ରଭୁଙ୍କ ଅଷ୍ଟପ୍ରହରୀ ଦୀର୍ଘ ୬୭ବର୍ଷ ଧରି ଚାଲିଛି। ପୂର୍ବରୁ ବୈଶାଖ ପୂର୍ଣ୍ଣିମାରେ ହେଉଥିଲା, ଏବେ ମାଘ ପୂର୍ଣ୍ଣିମା ତିଥିରେ ହେଉଛି ବୋଲି ଗୋପୀନାଥ ମନ୍ଦିର ପୂଜକ ବ୍ରଜକିଶୋର ପଣ୍ଡା କହିଛନ୍ତି।
ଗ୍ରାମ କମିଟି ସଭାପତି ପଦ୍ମଚରଣ ସାହୁ, ସଂପାଦକ ସୁରେନ୍ଦ୍ର ସାହୁ, ଟାଉନକ୍ଲବ ସଭାପତି ଅକ୍ଷୟ ବେହେରା, ସଂପାଦକ ହରେରାମ ସାହୁ,ସଭ୍ୟ ସନ୍ତୋଷ କୁମାର ସାହୁ, ନବ ମହାରଣା, ଫିଲୁଆ ସାହୁ, ଭାସ୍କର ସାହୁ, ମଧୁସୂଦନ ଦାସ, ରବୀନ୍ଦ୍ର ବେହେରା, କାଉନସିଲର ରାଜକିଶୋର ସାହୁ, ଯାଦବ ସଂଘ ସଭାପତି ଗୟାଧର ବେହେରା ପ୍ରମୁଖଙ୍କ ତତ୍ୱାବଧାନରେ ଅଷ୍ଟପ୍ରହରୀ, ନାମ ସଂକୀର୍ତନ ଆଦି ଆୟୋଜିତ ହୋଇଥିଲା।
