ଦୀର୍ଘଦିନର ଦାବି ପୁରଣ ହେଲା — ଢୋଲ ପ୍ରଧାନମନ୍ତ୍ରୀ ସଡକ ଠାରୁ ଛୋଟୀ ନହଙ୍ଗ ଆରଡି ରାସ୍ତା ନିର୍ମାଣ ଆରମ୍ଭ

କେନ୍ଦ୍ରାପଡ଼ା, ୨୧/୧୧/୨୦୨୫(ଓଡ଼ିଶା ସମାଚାର)-ଦେଶ ସ୍ୱାଧୀନ ହେବା ପର ଠାରୁ ଆଜି ପର୍ଯ୍ୟନ୍ତ ରାସ୍ତା ଟିଏ ନଥିଲା । ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମ ମାନେ ଭତା ଆଣିବାକୁ ଏବଂ ଖାଉଟି ସାମଗ୍ରୀ ଆଣିବା ପାଇଁ ଲୋକମାନେ ୧୦କିଲୋମିଟର ରାସ୍ତା ବୁଲି ଯିବାକୁ ପଡୁଥିଲା । ନତୁବା ପଙ୍କ କାଦୁଅ ଭିତରେ ପଶି ଯିବାକୁ ବାଧ୍ୟ ହେଉଥିଲେ ଲୋକମାନେ । ବାରମ୍ବାର ଏହି ରାସ୍ତା ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲା । ଫଳରେ ଦୀର୍ଘ ଦିନର ଦାବି ଏବେ ପୁରଣ ହୋଇଛି । ଢୋଲ ପ୍ରଧାନମନ୍ତ୍ରୀ ସଡକ ଯୋଜନା ରାସ୍ତା ଠାରୁ ଛୋଟୀ ନହଙ୍ଗ ଗ୍ରାମ୍ୟ ଉନ୍ନୟନ ରାସ୍ତା ଭାୟା ବିଷ୍ଣୁଦାସପୁର ବିଲମୁଗବାଡି ପ୍ରାୟ ୫କିଲୋମିଟର ବ୍ୟାପି ରାସ୍ତାର ନିର୍ମାଣ କାର୍ଯ୍ୟ ଶୁକ୍ରବାର ଶୁଭାରମ୍ଭ ହୋଇଛି । ଯୁବନେତା ନରୋତମ ମଲିକ ନଡିଆ ବାଡେଇ ଏହି କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ।

ଗତ ୨୦୧୭ମସିହାରୁ ଏହି ରାସ୍ତା ନିର୍ମାଣ ପାଇଁ କୁତୁରଙ୍ଗ ଗ୍ରାମପଂଚାୟତର ତତକାଳୀନ ସରପଂଚ ସୀତାସୁନ୍ଦରୀ ମଲିକ ଓ ଯୁବନେତା ନରୋତମ ମଲିକ ଏଥିନିମନ୍ତେ ପ୍ରୟାସ କରି ଆସୁଥିଲେ । ଏଥିସହିତ ପଂଚାୟତବାସୀ ମଧ୍ୟ ଦାବି କରି ଆସୁଥିଲେ । ବିଭିନ୍ନ ସମୟରେ ଜିଲାପାଳଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ, କେନ୍ଦ୍ରାପଡା ବିଧାୟକ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏହି ରାସ୍ତା ନିର୍ମାଣ କରାଯିବାକୁ ଦାବିପତ୍ର ପ୍ରଦାନ କରାଯାଇ ଦାବି ହୋଇଆସୁଥିଲା । ଏହି ରାସ୍ତାଟି ଉପରେ ଦୁଇଟି ବ୍ଲକର ୬ଟି ଗ୍ରାମପଂଚାୟତର ୨୫ହଜାରରୁ ଉଦ୍ଧ୍ୱର୍ ଲୋକ ଦୈନିକ ଯାତାୟତ ନିମନ୍ତେ ନିର୍ଭର କରିଥାନ୍ତି ।

କେନ୍ଦ୍ରାପଡା ବ୍ଲକର କୁତରଙ୍ଗ ପଂଚାୟତର ବିଷ୍ଣୁଦାସପୁର, ବିଲମୁଗବାଡି, ଡିହମୁଗବାଡି ଓ କୁତରଙ୍ଗ, ଢୋଲ ପଂଚାୟତର ଢୋଲ, ଜମରା, କନ୍ତିଆ, ନଳପାରୀ, ନିକିରାଇ ପଂଚାୟତର ନିକିରାଇପାଟଣା, ମଠସାହି ଓ ନିକିରାଇ ଏବଂ ଡେରାବିଶ ବ୍ଲକର ନହଙ୍ଗ ପଂଚାୟତର ବଡସାରଦେଇପୁର, ମାଣିପୁରା, ନିଳକଣ୍ଠପୁର, ଜଗନ୍ନାଥପୁର, ଛନ୍ଦା, ସନ୍ଥପୁରା, ବାରିମୂଳ ପଂଚାୟତର ରାୟପୁର, ବଙ୍ଗାଳିସାହି ଓ କୁରୁଜଙ୍ଗା ପଂଚାୟତର କୁରୁଜଙ୍ଗା ପ୍ରଭୃତି ୬ଟି ପଂଚାୟତର ୨୦ଟି ଗ୍ରାମର ପ୍ରାୟ ୨୫ହଜାରରୁ ଉଦ୍ଧ୍ୱର୍ ଲୋକ ଏହି ରାସ୍ତା ଦେଇ ଦୈନିକ ଯାତାୟତ କରିଥାନ୍ତି । ୫କିଲୋମିଟର ବ୍ୟାପ୍ତ ଏହି ରାସ୍ତାର ନିର୍ମାଣ ନିମନ୍ତେ ୧୨କୋଟି ୬୮ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ଗ୍ରାମ୍ୟ ଉନ୍ନୟନ ଡିଭିଜନ ନଂ-୧ର ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି ।

ଏଥିନିମନ୍ତେ ଟେଣ୍ଡର କାର୍ଯ୍ୟ ସମାପ୍ତ ହୋଇ କାର୍ଯ୍ୟ ଆରମ୍ଭ ହୋଇଛି । ଫଳରେ ଲୋକମାନଙ୍କର ବହୁ ବର୍ଷର ଦାବି ପୁରଣ ହୋଇଥିବାରୁ ସେମାନେ ଖୁସିବ୍ୟକ୍ତ କରିଛନ୍ତି । ପ୍ରଥମେ ୨୦୧୭ମସିହାରେ ଲୋକମାନଙ୍କ ପ୍ରବଳ ଦାବି ଯୋଗୁଁ ତତକାଳୀନ କେନ୍ଦ୍ରାପଡା ବିଧାୟକ କିଶୋର ଚନ୍ଦ୍ର ତରାଇ ଏଥିନିମନ୍ତେ ଉଦ୍ୟମ ଆରମ୍ଭ କରିଥିଲେ । କିନ୍ତୁ ସମସ୍ତ କାର୍ଯ୍ୟ ସମାପନ ହୋଇଥିଲେ ମଧ୍ୟ ପ୍ରକଳ୍ପଟିର ଟେଣ୍ଡର ଡକାଯାଇ ପାରିନଥିଲା । ପରେ ବିଧାୟକ ଶଶୀଭୂଷଣ ବେହେରାଙ୍କ ସମୟରେ ୨ଥର ଟେଣ୍ଡର ଡକାଯାଇଥିଲେ ମଧ୍ୟ ସିଙ୍ଗଲ ଟେଣ୍ଡର ଯୋଗୁଁ ତାହା ବାତିଲ ହୋଇଯାଇଥିଲା ।

ଏବେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରାଙ୍କ ଉଦ୍ୟମ ଯୋଗୁଁ ସେହି ପ୍ରକଳ୍ପଟିର ଟେଣ୍ଡର କାର୍ଯ୍ୟ ସମାପ୍ତ ହୋଇ କାର୍ଯ୍ୟ ଆରମ୍ଭ ହୋଇଛି । ଏନେଇ ପଂଚାୟତବାସୀଙ୍କ ପକ୍ଷରୁ ସମିତିସଭ୍ୟା ମିନତୀ ଦାସ, ମାନସରଞ୍ଜନ ଆଚାର୍ଯ୍ୟ, ପ୍ରଦୀପ କୁମାର ଆଚାର୍ଯ୍ୟ, ବିଶ୍ୱନାଥ ଆଚାର୍ଯ୍ୟ, ପ୍ରଫୁଲ୍ଲ ନନ୍ଦ, ଶ୍ରୀନିବାସ ଆଚାର୍ଯ୍ୟ, କୃଷ୍ଣଚନ୍ଦ୍ର ବେହେରା, ଦୁର୍ଗା ଚରଣ ଦାସ, ବିଦ୍ୟାଧର ମଲିକ, ପୁରୁଷୋତମ ମଲିକ, ରାମଚନ୍ଦ୍ର ମଲିକ, ପିତାମ୍ବର ମଲିକ, ନିରଞ୍ଜନ ବଳ, ରମେଶ ଚନ୍ଦ୍ର ପରିଡା, ଗୋଲଖ ଚନ୍ଦ୍ର ଜେନା, ଦୁଃଶାସନ ମଲିକ, ପଦ୍ମନାଭ ସାହୁ, ଅଜୟ କୁମାର ସ୍ୱାଇଁ ପ୍ରମୁଖ ବିଧାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *